ଠିକ୍ ଏତିକିବେଳେ ବନ୍ଧୁ ପଚାରିଲେ, “ ଘରଣୀକୁ ଏକୁଟିଆ ଛାଡି କି ଉଦ୍ଧେଶ୍ୟରେ ଏତେ ଦୂର ସ୍ଥାନରେ ବୁଲୁଛ, କାହିଁକି? କିଛି କହିଲ ନାହିଁ । ” ବ୍ରାହ୍ମଣ କହିଲା, “ ପୁଅକୁ ବିଭା କରିବି ଯେ, ବୋହୁଟିଏ ଖୋଜି ବୁଲୁଛି । ”
ବନ୍ଧୁ ଜଣକ କହିଲେ, “ ହାଇରେ ବିଧାତା ! ସେତେବେଳୁ ମତେ ସେ କଥା କିଛି କହି ନାହଁ? ତୁମ ବୋହୂ ପରା ଏଠି ଅଛି । କି ହୋ ଖୋଜି ବୁଲୁଛ କ’ଣ? ମୋ ଝିଅକୁ ନେଇ ବୋହୂ କର । ମୋ ଝିଅର ରୂପ ଗୁଣକୁ କେହି ଖୁଣିବାର ନାହିଁ । ”
ବ୍ରାହ୍ମଣ କହିଲା, “ ତା’ ହେଲେ ଭଲ ହେଲା । ତୁମେ ଟିକିଏ ମୋ ପୁଅକୁ ଥରେ ଦେଖି ଆସ । ତା’ପରେ ଯାହା କରିବା । ”
ବ୍ରାହ୍ମଣର ବନ୍ଧୁ କିନ୍ତୁ ପୁଅ ଦେଖିଯିବାକୁ ଜମା ରାଜି ହେଲା ନାହିଁ । ବାପା, ମାଆଙ୍କୁ ତ ସେ ବହୁ ପୂର୍ବରୁ ଜାଣିଥିଲା । ତେଣୁ ସେ କହିଲେ, “ ତୁମ ପୁଅକୁ ଆଉ ଦେଖିବି କ’ଣ? ଏଇଠି ସତ୍ୟ କରି ଦେଉଛି । ତୁମେ ମୋ ଝିଅକୁ ସାଙ୍ଗରେ ନେଇଯାଅ । ଭଲ ତିଥି ଦେଖି ଦୁହିଁଙ୍କୁ ବିଭା କରାଇ ଦେବ । ସୁବିଧା ଦେଖି ମଝିରେ ମୁଁ ଯିବି । ” ବନ୍ଧୁତା କଥା ଭାଙ୍ଗି ନ ପାରି ବ୍ରାହ୍ମଣ ତାଙ୍କ ଝିଅକୁ ସାଙ୍ଗରେ ଧରି ଘରେ ଆସି ପହଁଚିଲା । ସ୍ୱାମୀଠାରୁ ସମସ୍ତ କଥା ଶୁଣିସାରି ବ୍ରାହ୍ମଣୀ ମନ ବହୁତ ଆନନ୍ଦ ହୋଇଗଲା । ତା’ ପୁଅ ପାଇଁ ଏତେ ଦିନପରେ ବୋହୂଟିଏ ମିଳିଛି । ବାହାଘର ଆୟୋଜନରେ ସ୍ୱାମୀ ସ୍ତ୍ରୀ ଦୁହେଁଯାକ ଲାଗି ପଡିଲେ ।
ସାଇ ପଡିଶାର ଲୋକମାନେ ଯେତେବେଳେ ଏକଥା ଜାଣିଲେ, ସେତେବେଳେ ତାଙ୍କ ତାଙ୍କ ଭିତରେ କୁହା କୁହି ହେଲେ । “ ଝିଅର ବାପା, ମାଆ ବୋଧହୁଏ କିଛି ଜାଣି ନାହାଁନ୍ତି । ଜାଣିଥିଲେ ଝିଅକୁ ଏମିତି ଭସେଇ ଦେଇଥାନ୍ତେ? ଗାଁର ସ୍ତ୍ରୀ ଲୋକମାନେ ଝିଅକୁ ଡାକିନେଇ ଶିଖାଇ ଦେଲେ ବ୍ରାହ୍ମଣର ପୁଅ ସାପଟାଏ । ତାକୁ କ’ଣ ବିଭା ହେବୁ, ନାହିଁ କରିଦେଇ ଘରକୁ ପଳେଇ ଯାଆ । ”
ସେ ବ୍ରାହ୍ମଣ ଝିଅଟି କିନ୍ତୁ ସେମାନଙ୍କ କଥା ଶୁଣିଲା ନାହିଁ । ତାଙ୍କୁ କହିଲା, “ ମୋ ବାପା ଯାହା ସତ୍ୟ କରିଛନ୍ତି, ମୁଁ ତାହାକୁ ଭାଙ୍ଗି ପାରିବି ନାହିଁ । ମୁଁ ସେଇ ସାପକୁ ହିଁ ବାହା ହେବି । ତା’ ପରେ ମୋ ଭାଗ୍ୟରେ ଯାହାଥିବ । ” ଦିନେ ଶୁଭଲଗ୍ନ ଦେଖି ସାପ ପୁଅ ସାଙ୍ଗରେ ଝିଅର ବାହାଘର ହୋଇଗଲା । ବ୍ରାହ୍ମଣୀର ଖୁସି ଦେଖେ କିଏ? ଯିଏ ଯାହା କହୁ ପଛେ, ସେ ଗୋଟିଏ ଭଲ ବୋହୂ ପାଇଛି । ଘର କାମରେ ବୋହୂ ତାକୁ ବହୁତ ସାହାଯ୍ୟ କରୁଛି । ଶାଶୂ ଶ୍ୱଶୁରଙ୍କର ସେବା ମଧ୍ୟ କରୁଛି । ଦିନେ ରାତିରେ ବୋହୂ ଦେଖିଲା ସାପ ପେଡିରୁ ଜଣେ ସୁନ୍ଦର ପୁରୁଷ ବାହାରି ଆସୁଛି । ଯୁବକକୁ ଦେଖି ବୋହୂଟି ଭୟରେ ଶୋଇବା ଘରୁ ଦୌଡି ପଳାଇ ଯିବାକୁ ଉଦ୍ୟତ ହୁଅନ୍ତେ, ଯୁବକ ବାଧା ଦେଇ କହିଲା । “ ଭୟ କରନା, ମୁଁ ଅନ୍ୟ କେହି ନୁହେଁ ତୁମର ବିବାହିତ ସ୍ୱାମୀ । ”
ତଥାପି ବୋହୂର ବିଶ୍ୱାସ ହେଲା ନାହିଁ । କିପରି ଏ କଥା ସମ୍ଭବ ହେଲା । ତା’ ପରେ ଯୁବକ ନିଜ ସ୍ତ୍ରୀର ବିଶ୍ୱାସ ଜନ୍ମାଇବା ପାଇଁ ଯୁବକ ତା’ କାତି ଖୋଳ ଭିତରେ ପଶିଯାଇ କିଛି ସମୟ ମଧ୍ୟରେ ସାପ ହୋଇଗଲା ପୁଣି ଅଳ୍ପ ସମୟ ମଧ୍ୟରେ ରୂପ ବଦଳାଇ ସୁନ୍ଦର ଯୁବକଟିଏ ହୋଇଗଲା । ଏସବୁ ଦେଖିଲା ପରେ ବ୍ରାହ୍ମଣ ବୋହୂର ଆଉ କିଛି ସନ୍ଦେହ ରହିଲା ନାହିଁ । କେଉଁ ଦେବତାଙ୍କର ମାୟା ଯୋଗୁଁ ଏପରି ଘଟୁଛି ଭାବି ସେ ତା’ର ସ୍ୱାମୀର ପାଦତଳେ ଲମ୍ବ ହୋଇ ପଡିଗଲା ।
ସେହିଦିନଠାରୁ ବ୍ରାହ୍ମଣ ବୋହୂର ମନରେ ଆଉ କୌଣସି ଦୁଃଖ ରହିଲା ନାହିଁ । ତା’ ସ୍ୱାମୀ ଦିନ ବେଳା ପେଡି ଭିତରେ ଥାଏ । ରାତି ହେଲେ ମଣିଷ ରୂପ ଧରି ପେଡିରୁ ବାହାରେ ଓ ପୁଣି ରାତି ପାହିବା ପୂର୍ବରୁ ସାପ ହୋଇ ପେଡିରେ ପଶିଯାଏ ।
ଦିନେ ବ୍ରାହ୍ମଣୀ ଶୁଣିଲା ପୁଅର ଶୋଇବା ଘରୁ ଦୁଇଜଣ ମଣିଷଙ୍କର କଥାବାର୍ତ୍ତା ଶୁଭୁଛି । ତାକୁ ପ୍ରଥମେ ପ୍ରଥମେ ଆଶ୍ଚର୍ଯ୍ୟ ଲାଗିଲା । ଜଣେ ତ ବୋହୂ । ଆଉ ଜଣେ ମଣିଷ କିଏ ହୋଇପାରେ । ଏକଥା ଦେଖିବା ପାଇଁ ବ୍ରାହ୍ମଣୀ ରାତିରେ ଉଜାଗର ହୋଇ ଜଗି ବସିଲା । ଦୁଇତିନି ଦିନ ଏଭଳି ଜଗିବା ପରେ ସେ ଦେଖିଲା ସାପ କାତିର ଖୋଳ ଭିତରୁ ସୁନ୍ଦର ଯୁବକଟିଏ ବାହାରି ଆସୁଛି । ବ୍ରାହ୍ମଣୀ ହଠାତ୍ ସେ ଘରକୁ ପଶିଯାଇ କାତି ଖୋଳଟିକୁ ଆଣି ନିଆଁ ଲଗାଇ ପୋଡିଦେଲା । ଯୁବକଟି ଏହି ସମୟରେ ବ୍ରାହ୍ମଣୀ ପାଦତଳେ ପଡି କହିଲା, “ ମାଆ, ତୋ ପାଇଁ ମୁଁ ଆଜି ମୁକ୍ତି ପାଇଛି । ପୂର୍ବ ଜନ୍ମ କର୍ମଫଳରୁ ସାପ ଜନ୍ମ ପାଇଥିଲି । ମୋତେ ଅଭିଶାପ ଥିଲା । ଯେଉଁ ଦିନ ସ୍ୱଇଚ୍ଛାରେ କେହି ଜଣେ ମୋ ସାପ ଖୋଳଟିକୁ ନଷ୍ଟ କରି ଦେବ । ସେହିଦିନ ମୁଁ ମନୁଷ୍ୟ ରୂପ ଫେରି ପାଇବି । ଆଜି ସେଇକଥା ଘଟିବାରୁ ମୁଁ ଦଶାରୁ ମୁକ୍ତ ହେଲି । ”
ତା’ ପରେ ବ୍ରାହ୍ମଣୀ, ବ୍ରାହ୍ମଣ ପୁଅବୋହୂଙ୍କୁ ନେଇ ମହା ଆନନ୍ଦରେ ରହିଲେ ।