ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସାହସ

ବୀର ଗୌରୀକୁ ବିବାହ କରିବାକୁ ଚାହୁଁଥିଲା । ମାତ୍ର ଗୌରୀ ଚାହୁଁଥିଲା ଯିଏ ତାକୁ ହୀରାହାରଟିଏ ଦେବ ସେ କେବଳ ତାକୁହିଁ ବିବାହ କରିବ । ହେଲେ ବୀର ପାଖରେ ହୀରାହାର ପାଇଁ ଯଥେଷ୍ଟ ଧନ ନଥାଏ ।

                ବୀର ରୋଷେଇ କାମ ଶିଖିଲା । ବିଭିନ୍ନ ଲୋକଙ୍କ ଘରେ କାମ କରି ଦେଇ ସେ କିଛି ପଇସା ରୋଜଗାର କଲେ । ସେହି ପଇସାକୁ ସଞ୍ଚୟ କରି କରି ସେ ଯେ ଦିନେ ଗୌରୀକୁ ବିବାହ କରିବ, ତାହା ଏକ ବିଡମ୍ବନା, ତଥାପି ମଧ୍ୟ ତା’ର ଆଶା ଥାଏ । କିନ୍ତୁ ହୀରାହାର ପୂରଣ କରିବା କଥା ମନେ ପଡିଲେ ତାକୁ ସବୁ ବ୍ୟର୍ଥ ଲାଗେ । ଏଣୁ ତା’ର ମନ ନିରାଶାରେ ଭରି ରହିଥାଏ ।

                ଏମିତି ଏକ ସମୟରେ ଦିନେ ସେ ରାଜ୍ୟର ରାଜା ଏହା ଘୋଷଣା କଲେ କି ତାଙ୍କ ରାଜ୍ୟରେ ଯିଏ ଶ୍ରେଷ୍ଠ ବୀର ବୋଲି ପ୍ରମାଣିତ ହେବ, ତାକୁ ଦଶହଜାର ମୋହର ମିଳିବ । ବୀରର ସାହସିକ କାର୍ଯ୍ୟ କରିବାକୁ ବହୁତ ଇଚ୍ଛା ଥାଏ । କିନ୍ତୁ ସେ ସ୍ୱଭାବରେ ବଡ ଭୟାଳୁ ଥିଲା । ସ୍ୱପ୍ନରେ ବେଙ୍ଗଟିଏ ବା ଝିଟିପିଟିଟିଏ ଦେଖିଦେଲେ ଭୟରେ ଚିତ୍କାର କରି ନିଦରୁ ସେ ସେହିକ୍ଷଣି ଉଠିପଡେ ।

                ସେହି ଗ୍ରାମରେ ଜଣେ ବ୍ୟକ୍ତି ଥିଲେ; ସେ ସମସ୍ତିଙ୍କୁ ସାହାଯ୍ୟ କରନ୍ତି । ଲୋକେ ତାଙ୍କୁ ରାମଦାଦା ବୋଲି ଡାକନ୍ତି । ବୀର ତାଙ୍କରି ପାଖକୁ ଯାଇ ତାଙ୍କୁହିଁ ନିଜର ସବୁ ଦୁଃଖ ଜଣାଇଲା । ରାମଦାଦା ତାକୁ କହିଲେ, “ଭୟ ହେଉଛି ମଣିଷର ଗୋଟିଏ ରୋଗ । ଔଷଧ ଖାଇଲେ ରୋଗ ଯେପରି ଭଲ ହୁଏ, ଠିକ୍ ସେମିତି ସାହସିକ କାର୍ଯ୍ୟ କଲେ ଭୟ ମଧ୍ୟ ଧୀରେ ଧୀରେ ଛାଡିଯିବ । ଅଥବା ଅନ୍ୟ ଏକ ଉପାୟ ଅଛି ଚନ୍ଦ୍ରପୁରର ପାହାଡ ଗୁମ୍ଫାରେ ଜଣେ ସାଧୁ ଅଛନ୍ତି । ତାଙ୍କ ପାଖରେ ଏମିତି ଏକ ପ୍ରକାର ଔଷଧ ଅଛି, ଯାହାକୁ କି ଖାଇଲେ ମଣିଷ ମନରୁ ସମସ୍ତ ଭୟ ଆପେ ଦୂର ହୋଇଯିବ ।”

                ବୀର ଗୌରୀକୁ ଦେଖାକରି କହିଲା, “ତୁମ ପାଇଁ ମୁଁ ଚନ୍ଦ୍ରପୁରର ସାଧୁଙ୍କଠାରୁ ଜଡିବୁଟି ଖାଇ ଭୟ ଦୂର କରିବି ଓ ରାଜଧାନୀ ଯାଇ କୌଣସି ସାହସିକ କାର୍ଯ୍ୟ କରି ତୁମପାଇଁ ହୀରାର ହାର କିଣି ନେଇ ଆସିବି ।”

                ଗୌରୀ ହସି ଦେଇ କହିଲା, “ତୁମେ ତ ଆଜି ଚନ୍ଦ୍ରପୁର ଯାଉଛ, ହେଲେ ଭୈରବ ତ କେବେଠୁ ରାଜଧାନୀ ଗଲାଣି । ସେ ଯଦି ପ୍ରଥମେ ହୀରାର ହାର ନେଇ ଆସେ ତେବେ ତ ମୁଁ ତାକୁହିଁ ବିବାହ କରିବି ।”

                ଭୈରବ ନାମକ ଅନ୍ୟ ଏକ ଯୁବକ ମଧ୍ୟ ଗୌରୀକୁ ବିବାହ କରିବାକୁ ଚାହୁଁଥିଲା । ସେ ଦେଖିବାକୁ   ବୀର ପରି ଏତେଟା ସୁନ୍ଦର ନୁହେଁ, କିନ୍ତୁ ସେ ବହୁତ ସାହସୀ । ଖାଲିହାତରେ ବି ସାପକୁ ସେ ଧରିଦିଏ । ଭୂତ ରହୁଥିବା ବରଗଛ ତଳେ ରାତିରେ ସେ ଏକେଲା ଶୋଇଯାଏ । ଯାହାହେଉ ସେ ଚନ୍ଦ୍ରପୁର ଯାଇ ସାଧୁଙ୍କ ନିକଟରେ ପହଁଚି ନିଜର ଦୁଃଖ ଜଣାଇଲା । ସାଧୁ କହିଲେ, “ମୋ ଗୁମ୍ଫାକୁ ଲାଗିକରି ଥିବା ଗୁମ୍ଫାରେ ଜଡିବୁଟି ଅଛି ତାକୁ ଯାଇ ନେଇଆସ ।”

                ବୀର ସେହି ଗୁମ୍ଫାରେ ପ୍ରବେଶ କରି ଦେଖିଲା ସେଠାରେ ଗଦାଏ ବେଙ୍ଗ ବସିଛନ୍ତି । ସେ ସେମାନଙ୍କୁ ଦେଖି ଡରରେ ଫେରି ଆସି ସାଧୁଙ୍କୁ କହିଲା, “ଆଜ୍ଞା, ସେଠାରେ ତ ଖାଲି ବେଙ୍ଗ ଭର୍ତ୍ତି, ମୁଁ କିମିତି ଜଡିବୁଟି ଆଣିବି?”

                ସାଧୁ କହିଲେ “ସାପ ସିନା ମଣିଷକୁ ମାରେ । ହେଲେ ବେଙ୍ଗ ତ କାହାର କିଛି କ୍ଷତି କରେ ନାହିଁ, ତାକୁ ପୁଣି ତୁମର ଏତେ ଭୟ? ସାହସ କରି ଯାଇ ଏଥର ଜଡିବୁଟି ନେଇ ଆସ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ