କେତେବର୍ଷ ପରେ ଥରେ ସେ ରାଜ୍ୟରେ ଦୁର୍ଭିକ୍ଷ ଦେଖାଦେଲା । ରାଜା ଭାବିପାରିଲେ ନାହିଁ ଯେ ଏବେ କ’ଣ କରାଯିବ । ଏପରି ସମୟରେ ରାଜଜ୍ୟୋତିଷ ବିଶାଳାକ୍ଷ ଦିନେ ଆସି ରାଜାଙ୍କୁ କହିଲେ, “ମହାରାଜ, ଆମ ରାଜ୍ୟର ଦକ୍ଷିଣପଟରେ ଗୋଟିଏ ବିରାଟ କାଳୀ ମନ୍ଦିର ଅଛି । ସେଠାରୁ ସଂଗୃହିତ ହୋଇଥିବା ଶିଳାଲେଖରେ ଲେଖା ଅଛି ଯେ ଯଦି କେହି ନିଜକୁ ବଳୀ ଦେଇ ପାରିବ, ତେବେ ସେ ଯାହା କିଛିବି ପ୍ରାର୍ଥନା କରିଥିବ ତାହା ନିଶ୍ଚୟ ଫଳିବ । କିନ୍ତୁ ଆଉ ଏକ ସର୍ତ୍ତ ଅଛି ଯେ ଯିଏ ନିଜକୁ ବଳୀ ଦେବ ତା’ର ମନ ମଧ୍ୟରେ କୌଣସି ପ୍ରକାରର ସନ୍ଦେହ ତଥା ଭୟ ରହିବ ନାହିଁ । ଏପରି ଲୋକଟିଏ ମିଳିବ କି?”
ଜ୍ୟୋତିଷ ଯେତେବେଳେ ରାଜାଙ୍କ ସହିତ କଥା ହେଉଥିଲେ ସେତେବେଳେ ଶ୍ରୀକାନ୍ତ ସେହି ପାଖରେ ଥାଇ ସେମାନଙ୍କ ସବୁକଥା ଶୁଣୁଥିଲା । ସେ ରାଜାଙ୍କୁ କହିଲା, “ମହାରାଜ, ବଳୀ ପାଇଁ ମୁଁ ପ୍ରସ୍ତୁତ । ବଳୀ ଦେବାବେଳେ ମୋ ମନରେ କୌଣସି ଭୟ କି ସନ୍ଦେହ ଆଦୌ ରହିବ ନାହିଁ । ମୁଁ ମା’ କାଳୀଙ୍କୁ ପ୍ରସନ୍ନ କରାଇବି ଓ ଆମ ଦେଶରେ ବର୍ଷା ହେବା ପାଇଁ ପ୍ରାର୍ଥନା ମଧ୍ୟ କରିବି ।”
ରାଜାଙ୍କୁ ଏତିକି ମାତ୍ର କହିବା ପରେ ସେ ସିଧା କାଳୀଙ୍କ ମନ୍ଦିରକୁ ଚାଲିଗଲା । ସେ ମନ୍ଦିର ଭିତରକୁ ଯାଇ ଦେଖିଲା ତ୍ରିଶୁଳଟିଏ ପଡିଛି । ସେ ତାକୁ ଉଠାଇ ଧରିଲା ଓ ମା’ କାଳୀଙ୍କୁ ପ୍ରାର୍ଥନା କଲା, “ହେ ଜଗତଜନନୀ, ମୋତେ କୃତାର୍ଥ କର । ମୋର ପ୍ରାଣ ନେଇ ଆମ ରାଜ୍ୟରେ ବର୍ଷା କରାଅ – ଯେପରିକି ଦୁର୍ଭିକ୍ଷ ଆଉ ନପଡୁ – ଲୋକ ଭଲରେ ରହିଥା’ନ୍ତୁ । ଏତିକି କୃପା କର ମା’ ।” ପ୍ରାର୍ଥନା କରିସାରିବା ପରେ ଶ୍ରୀକାନ୍ତ ସେହି ତ୍ରିଶୁଳ ଉଠାଇ ନିଜ ଦେହରେ ଭୂଷି ଦେବାକୁ ଯାଉଛି ଠିକ୍ ଏତିକିବେଳେ ଦେବୀ ପ୍ରତିମା ଭିତରୁ ଶୁଣାଗଲା, “ବତ୍ସ, ମୁଁ ତୁମପରି ତ୍ୟାଗୀର ବଳୀଦାନ ଚାହେଁନାହିଁ, ତୁମେ ଖୁସିରେ ରୁହ । ତୁମର ଦେଶ ପ୍ରତି ଜୀବନ ଉତ୍ସର୍ଗ କରିବାର ବ୍ରତ ଅତି ଉଚ୍ଚକୋଟିର । ଏବେ ଯାଅ ଦେଖିବ ସାରା ଦେଶରେ ବର୍ଷା ହେବ ଓ ଚାରିଆଡ ସବୁଜ ପତ୍ରରେ ହସି ଉଠିବ ।”
ତା’ପରେ ଶ୍ରୀକାନ୍ତ ହାତରୁ ତ୍ରିଶୁଳ ଖସି ଯାଇ ବିଦ୍ୟୁତ୍ ଗତିରେ ତାହା ଆକାଶକୁ ଉଡିଗଲା । ସେହିକ୍ଷଣି ବାଦଲ ସବୁରେ ଆକାଶ ଛାଇଗଲା ଓ ମୂଷଳଧାରାରେ ବର୍ଷା ହେବାକୁ ଲାଗିଲା । ଏହାପରେ ଶ୍ରୀକାନ୍ତ ରାଜଧାନୀକୁ ଫେରି ଆସିଲା । ରାଜା ତାକୁ ଜୀବିତ ଦେଖି ବହୁତ ଖୁସି ହେଲେ । ସେ ରାଜାଙ୍କୁ ସବୁକଥା ବିସ୍ତାର କରି କହିଲା, ରାଜା ତାକୁ ପ୍ରଶଂସା କରି କହିଲେ, “କେବଳ ତୁମରି ଯୋଗୁଁ ସମଗ୍ର ରାଜ୍ୟ ଆଜି ଦୁର୍ଭିକ୍ଷରୁ ରକ୍ଷା ପାଇଲା । ଏବେ ତୁମେ ଯାହା ଚାହଁ ତାହା ମାଗିନିଅ । ତୁମକୁ ଆମ ରାଜ୍ୟର ଏକ ପ୍ରାନ୍ତରେ ମୁଖିଆ ରୂପେ ନିଯୁକ୍ତ କରିବାକୁ ମୁଁ ଚାହେଁ ।”
ଶ୍ରୀକାନ୍ତ ଉତ୍ତରରେ କହିଲା, “ମହାରାଜ, ମୁଁ ମୋର କର୍ତ୍ତବ୍ୟ ମାତ୍ର କରିଛି । କୌଣସି ସ୍ଥାନର ମୁଖିଆ ହେବାକୁ ମୁଁ କେବେବି ଚାହେଁନାହିଁ । ମୁଁ ଯେମିତି ଅଛି ସେମିତି ରହିଥାଏ ।”
ଶ୍ରୀକାନ୍ତର ଉତ୍ତର ଶୁଣି ରାଜା ଆହୁରି ଖୁସି ହେଲେ । ସେ ରାଣୀଙ୍କ ସହିତ ତା’ ବିଷୟରେ ଆଲୋଚନା କଲେ ଏବଂ ରାଣୀଙ୍କର ଜଣେ ପ୍ରିୟସଖୀ ସହିତ ତା’ର ବିବାହ କରାଇ ଦେଲେ ।
ତିନିବର୍ଷ ବିତିଗଲା । ଶ୍ରୀକାନ୍ତ ଏବେ ଦୁଇଟି ପିଲାର ବାପ । ଥରେ ସେ ରାଜ୍ୟରେ ଆଉ ଏକ ସଂକଟର ସମୟ ଆସିଲା । ରାଜ୍ୟର ନିକଟବର୍ତ୍ତୀ ଜଙ୍ଗଲରେ ତ୍ରିଜଟ ନାମରେ ଜଣେ ରାକ୍ଷସ ରହୁଥାଏ । ଆଗରୁ ତ ସେ କୌଣସି ପ୍ରକାର ଉତ୍ପାତ କରୁ ନଥିଲା । କିନ୍ତୁ ସେ ଏବେ ପଥିକମାନଙ୍କୁ ଧରି ନେଇ ଖାଉଛି । ଏ ଖବର ଶୁଣି ରାଜା ବହୁତ ବିଚଳିତ ହେଲେ । ସେହି ରାକ୍ଷସ ଜଣକ ଖୁବ୍ ଶକ୍ତିଶାଳୀ ଓ ଭୟଙ୍କର ଥିଲା । ବଡ ବଡ ଦ୍ରୁମମାନଙ୍କୁ ଚେର ସହିତ ସେ ଉପାଡି ପକାଏ ଓ ହାତୀ, ଗଣ୍ଡାର ପ୍ରଭୃତି ବଡ ବଡ ଜୀବଙ୍କ ଉପରେ ବୃକ୍ଷ ପ୍ରହାର କରି ସେମାନଙ୍କୁ ସେ ମାରି ପକାଏ ।
ରାଜା ଦରବାରରେ କହିଲେ, “ରାକ୍ଷସର ଭୋଜନ ପାଇଁ ମୁଁ କିଛି ପଶୁମାଂସ ଓ ସୁସ୍ୱାଦୁ ଖାଦ୍ୟ ସବୁଦିନେ ପଠାଇବି । କିନ୍ତୁ ସେସବୁ କଥା ରାକ୍ଷସକୁ ବୁଝାଇବାକୁ ତା’ ପାଖକୁ ଆମତରଫରୁ ଦୂତ ହୋଇ କିଏ ଯିବ? ସେ ତ କିଛି ଜାଣିବା ପୂର୍ବରୁ ଦୂତକୁ ବି ଖାଇଦେଇ ପାରେ । ତେଣୁ ଏହି ସାହସିକ କାର୍ଯ୍ୟ କରିବା ପାଇଁ ମୁଁ ଚାହେଁ ଆମରି ଭିତରୁ କେହି ସ୍ୱେଚ୍ଛାରେ ଯଦି ଯିବ ତ ଆହୁରି ଭଲ ।”
ସଭାରେ ସମସ୍ତେ ନୀରବ । ଶ୍ରୀକାନ୍ତ ଉପରେ ରାଜାଙ୍କ ଦୃଷ୍ଟି ପଡିଲା । ସେ କହିଲେ, “ଶ୍ରୀକାନ୍ତ, ପୂର୍ବରୁ ତ ତୁମେହିଁ ଅନେକ ସାହସିକ କାର୍ଯ୍ୟ କରିଛ । ନିଜ ଜୀବନକୁ ମଧ୍ୟ ବଳୀଦାନ ଦେବାକୁ ଆଗେଇ ଯାଇଛ ଏବେ କୁହ ତୁମର ନିଷ୍ପତି କ’ଣ?”
ଶ୍ରୀକାନ୍ତ କିଛି ସମୟ ନୀରବ ରହିବା ପରେ କହିଲା, “ମହାରାଜ କ୍ଷମା କରନ୍ତୁ । ମୁଁ ସେ ରାକ୍ଷସ ପାଖକୁ ଦୂତ ରୂପରେ ଆଦୌ ଯାଇ ପାରିବି ନାହିଁ ।”
ରାଜା ଭାବିଥିଲେ ଶ୍ରୀକାନ୍ତହିଁ ଏହାର ସମାଧାନ କରିବ, କିନ୍ତୁ ତା’ର ଏପରି ଉତ୍ତର ଶୁଣି ସେ ସମ୍ପୂର୍ଣ୍ଣ ଭାବରେ ନିରାଶ ହୋଇଗଲେ ।
ବେତାଳ ନିଜର କାହାଣୀ ଶେଷ କରି ବିକ୍ରମଙ୍କୁ ପ୍ରଶ୍ନ କଲା, “ରାଜନ୍, ଶ୍ରୀକାନ୍ତ ତ ଅଦମ୍ୟ ସାହସୀ ଓ ଯୁଦ୍ଧକଳାରେ ନିପୁଣ ଥିଲା । ରାଜ୍ୟ ପାଇଁ, ରାଜାଙ୍କ ପାଇଁ ଜୀବନ ଉତ୍ସର୍ଗ କରିବାକୁ ସେ କେବେ ମଧ୍ୟ ପଛଘୁଞ୍ଚା ଦେଇନାହିଁ । କିନ୍ତୁ ଏ କ୍ଷେତ୍ରରେ ତ୍ରିଜଟ ରାକ୍ଷସକୁ ଦେଖା କରିବାକୁ ସେ କାହିଁକି ଏପରି କହିଲା । ଏହା ତା’ ଅବିବେକୀର କଥାପରି ଲାଗୁନାହିଁ? ମୋର ଏ ସମସ୍ତ ପ୍ରଶ୍ନର ଉତ୍ତର ଦିଅ । ଉତ୍ତର ଜାଣି ମଧ୍ୟ ଯେବେ ତମେ କିଛିବି ନ କହିବ ତେବେ ତୁମର ଶିର ସ୍କନ୍ଧଚ୍ୟୁତ ହେବ ।”
ବେତାଳର ପ୍ରଶ୍ନ ଶୁଣି ମହାରାଜ ବିକ୍ରମ କହିଲେ, “ମଣିଷ ମନରେ ଉଚ୍ଚନୀଚ୍ଚ ଭାବନା ସର୍ବଦା ଯିବା ଆସିବାକୁ ଥାଏ । ପୁଣି ପରିସ୍ଥିତି ମଧ୍ୟ ଅନ୍ୟ ଏକ କାରଣ । ଯିଏ ଅବିବାହିତ ଥାଏ ସେ ପାରିବାରିକ ଦାୟିତ୍ୱରୁ ମୁକ୍ତ ଥାଏ । ତା’ଉପରେ ପୁଣି ଶ୍ରୀକାନ୍ତର ବାପ ମା’ ମଧ୍ୟ ନଥିଲେ । ଶ୍ରୀକାନ୍ତ ଯେତେବେଳେ ରାଜାଙ୍କ କଥାରେ ଅସମ୍ମତ ହେଲା ସେତେବେଳେ ସେ ବିବାହିତ ଓ ଦୁଇଟି ଛୁଆର ବାପ । ତେଣୁ ନିଜ ପରିବାରର ମଙ୍ଗଳ ପାଇଁ ତାକୁ ଜୀବିତ ରହିବାକୁହିଁ ପଡିବ । ଖାସ୍ ସେଇଥିପାଇଁହିଁ ସେ ରାକ୍ଷସ ପାଖକୁ ଯିବାକୁ ମନା କଲା । ସେଥିରେ ତ କୌଣସି ପ୍ରକାର ଅବିବେକିତା ନାହିଁ, ଏହା ଅତ୍ୟନ୍ତ ସ୍ୱାଭାବିକ ।”
ରାଜା ବିକ୍ରମ ଉତ୍ତର ଦେବା ମାତ୍ରେ ତାଙ୍କର ମୌନଭଙ୍ଗ ହେଲା । ଉତ୍ତର ଶେଷ ହେବା ମାତ୍ରେ ଶବ ସହ ବେତାଳ ମଧ୍ୟ ତାଙ୍କ କାନ୍ଧରୁ ଖସି ପୁନର୍ବାର ବୃକ୍ଷ ଡାଳରେ ଯାଇ ଝୁଲି ପଡିଲା ।