ସେ ଭାବିଲା, “ଏଠାରେ ଖାଦ୍ୟ ପାଇଁ ଓ ଶୟନ ପାଇଁ ବନ୍ଦୋବସ୍ତ ଅଛି ମାନେ ଏଠାରେ ନିଶ୍ଚୟ ମନୁଷ୍ୟ ରହୁଛି । ସେ ବୋଧେ ବାହାରକୁ ଯାଇଛି । ସେ ଆସିବା ପର୍ଯ୍ୟନ୍ତ ମୋତେ ଏଠାରେ ଅପେକ୍ଷା କରିବାକୁ ହେବ ।” ତା’ପରେ ସେ ପଲଙ୍କରେ ଆରାମ କରି ବିଶ୍ରାମ ନେଲା ।
କିଛି ସମୟ ପରେ କେହି ଦୂରରୁ ଆସୁଥିବାର ପାଦଶବ୍ଦ ଶୁଣାଗଲା । ତା’ପରେ ସତ୍ୟପାଳ ଦେଖିଲା ଏକ ଭୀମକାୟ ବ୍ୟକ୍ତି ଭିତରେ ପଶି କହିଲା, “ପଲଙ୍କ ଉପରେ ଶୋଇଥିବା ଲୋକକୁ କ’ଣ ଖାଦ୍ୟ ଦେବାକୁ ହେବ?” ସତ୍ୟପାଳ ନ ଡରି ଚୁପ୍ କରି ଉଠି ବସିଥାଏ । ତା’ପରେ ଭୂତ କହିଲା, “ଚାଲ ଖାଇବା ।”
ସତ୍ୟପାଳ କହିଲା “ଯିଏ ପରିଶ୍ରମ କରି ଫେରିଛି ତା’ର ଖାଦ୍ୟ ଦରକାର ।
ହେଲେ ମୋର ଖାଦ୍ୟ ଦରକାର ନାହିଁ ।”
ଏକଥା ଶୁଣି ସେ ଭୂତ ଚୁପ୍ଚାପ୍ ଉଠିଯାଇ ସବୁ ଏକେଲା ଖାଇନେଲା । ତା’ପରେ ଗୋଟାଏ କୋଦାଳ ଓ ଗୋଟାଏ କୋଡି ସତ୍ୟପାଳକୁ ଦେଇ ସେ କହିଲା, “ନେ ଏଇଟା ଧର, ଆଉ ମୋ ସାଙ୍ଗରେ ବାହାରକୁ ଚାଲ ।”
ସତ୍ୟପାଳ କହିଲା “ବାହାରୁ ତ ମୁଁ କୌଣସି କିଛି ଜିନିଷ ଏଠାକୁ ଆଣିନାହିଁ । ତେବେ ଏଠାରୁ କାହିଁକି କୋଡିକୋଦାଳ ଧରି ମୁଁ ବାହାରକୁ ଯିବି?”
“ଆଚ୍ଛା, ମୋ ସହିତ ଆ –” ଏତିକି କହି ସେ ଭୂତ ନିଜେ କୋଡିକୋଦାଳ ଧରି ଆଗେ ଆଗେ ଚାଲିଲା । ସତ୍ୟପାଳ ମଧ୍ୟ ତା’ ପଛେ ପଛେ ଗଲା । ସେମାନେ ଯାଇ ବାହାରେ ପହଁଚିଲେ ।
ସେଠାରେ ଭୂତ ସତ୍ୟପାଳକୁ କହିଲା, “କୋଦାଳ ନେଇ ଏହି ସ୍ଥାନଟିକୁ ଟିକେ ଖୋଳି ଦେ ।”
ସତ୍ୟପାଳ ପଚାରିଲା “କାହିଁକି? ମୁଁ ତ ଏଠାରେ କିଛିବି ପୋତି ନାହିଁ, ଖୋଳିବି ବା କାହିଁକି?”
ତା’ପରେ ଭୂତ ତାକୁ କିଛି ନ କହି ନିଜେ ଖୋଳିବାକୁ ଆରମ୍ଭ କଲା । କିଛି ସମୟ ପରେ ଗୋଟିଏ ପିତଳ ହାଣ୍ଡି ସେ ଗାତ ଭିତରୁ ବାହାରିଲା ।
ଭୂତ କହିଲା, “ହାଣ୍ଡିକୁ ଉପରକୁ ଆଣ ।”
ସତ୍ୟପାଳ କହିଲା “ମୁଁ ତ ଗାତରେ ତାକୁ ପୋତି ନଥିଲି, ଉପରକୁ କାହିଁକି ଆଣିବି?”
ଭୂତ ଏଥର ହାଣ୍ଡି ନିଜେ ଉଠାଇ ଉପରେ ରଖିଲା ଓ କହିଲା, “ହାଣ୍ଡିର ଢାଙ୍କୁଣୀ ଖୋଲିଦେ ।”
ସତ୍ୟପାଳ କହିଲା “ମୁଁ ତ ଢାଙ୍କୁଣୀ ଘୋଡାଇ ନଥିଲି ଖୋଲିବି କାହିଁକି?”
ଭୂତ ସେ ହାଣ୍ଡିର ଢାଙ୍କୁଣୀ ଖୋଲିଦେଲା । ତା’ ଭିତରେ ବହୁତ ସ୍ୱର୍ଣ୍ଣମୁଦ୍ରା ଥିଲା । ଭୂତ ତାକୁ ତଳେ ଢାଳି ଦେଇ ତିନିଭାଗ କରି ପଚାରିଲା ଏହା ଭିତରୁ ତୋର କେଉଁଟା ଯଦି କହିଦେବୁ ତେବେ ତୁ ଉଦ୍ଧାର ହେବୁ ମୁଁ ମଧ୍ୟ ଉଦ୍ଧାର ହେବି । ଆଉ ଯଦି ତୁ ଭୁଲ୍ କଥା କହିବୁ, ତେବେ ତୁ ବି ମରିବୁ ଆଉ ମୁଁ ମଧ୍ୟ ପୁଣି ଅନ୍ୟ କାହାର ଅପେକ୍ଷାରେ ଏଠି ରହିବି, ଯିଏକି ମୋତେ ଶାପମୁକ୍ତ କରିବ । ଆଉ ଯଦି ତୋ ଦ୍ୱାରା ମୋର ଉଦ୍ଧାର ହୁଏ ତ ଏଇ ଧନ ଭିତରୁ ଗୋଟିଏ ଅଂଶ ତ ନିଶ୍ଚିତ ରୂପେ ତୋର, ଆଉ ଗୋଟିଏ ଅଂଶ ଗରୀବ ଲୋକଙ୍କର ଓ ତୃତୀୟ ଅଂଶ ମୁଁ ମାରିଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କର । କ’ଣ ବୁଝିଲୁ ତ?”
ସତ୍ୟପାଳ ସବୁ ଭାଗକୁ ଏକାଠି କରି ଦେଇ କହିଲା, “ଏହାର ମାତ୍ର ଏକ ତୃତୀୟାଂଶ ମୋର ।”
ଗନ୍ଧର୍ବ କହିଲା “ଧନ୍ୟବାଦ । ତୁ ଲୋଭର ବଶବର୍ତ୍ତୀ ନ ହୋଇ କାମ କରିଛୁ । ତୁ ତୋର ପ୍ରାପ୍ୟ ପାଇବୁ ଓ ଅନ୍ୟ ସବୁ ମୁଁ କହିବା ଅନୁସାରେ କରିବୁ । ମୁଁ ମଧ୍ୟ ଆଜି ଶାପମୁକ୍ତ ହେଲି ।” ସେ ଆଉ ଶାପଗ୍ରସ୍ଥ ଭୂତ ନଥିଲା, ସିଏ ଏକ ସୁନ୍ଦର ଗନ୍ଧର୍ବ ଥିଲା ଯାହା ଦେହରୁ ଆଲୁଅ ବାହାରୁଥାଏ ।
“ଏବେ ମୁଁ ଚାଲିଲି – ଏଠାରେ ଥିବା ଘର ଗାଈ, ଧନ ଆଜିଠୁ ଏସବୁ ତୋର ।” ଏହା କହି ସେ ଗନ୍ଧର୍ବ ହଠାତ୍ କୁଆଡେ ଅଦୃଶ୍ୟ ହୋଇଗଲା ।
ସତ୍ୟପାଳ ପାହାଡରୁ ତଳକୁ ଆସିଲା । ତାକୁ ଜୀବନ୍ତ ଦେଖି ସମସ୍ତେ ଭାରି ଆଶ୍ଚର୍ଯ୍ୟ ହେଲେ । ସେ ଘଟିଯାଇଥିବା ସବୁ ଘଟଣା ସମସ୍ତଙ୍କୁ କହି ଚମତ୍କୃତ କଲା ।
ସେହି ଦିନଠୁଁ ସେ ସେହି ପାହାଡ ଉପରେ ଘର କରି ରହିଲା । କିଛି ଧନ ମୃତ ବ୍ୟକ୍ତିଙ୍କ ପରିବାରକୁ ବାଂଟିଲା । ଆଉ କିଛି ଧନ ସେ ଗରୀବମାନଙ୍କୁ ଦେଲା । ବାକି ଅବଶିଷ୍ଟ ସେ ତା’ ନିଜ ଭାଗରେ ଥିବା ଧନରେ ପାହାଡ ଉପରେ ଓ ତଳେ ଗୋଶାଳା ଆଦି ନିର୍ମାଣ କଲା ଓ ଅତ୍ୟନ୍ତ ସୁଖରେ ରହିଲା ।
ସେହି ଘଟଣା ପରେ ସେହି ଭୂତପାହାଡର ନାମ ବଦଳି ଗଲା । ଲୋକେ ସେହି ପାହାଡର ନାମ “ଗନ୍ଧର୍ବ ପାହାଡ” ରଖିଲେ ।