ସେମାନେ କିଛି ସମୟ ପରେ ସେହି ଜାଲରୁ କୌଣସି ପ୍ରକାରରେ ବାହାରି ଆସିଲେ । ଭୈରବ କହିଲା, “ଆମେ ଜାଣିପାରିଲେ ନାହିଁ ଯେ ଆମ କଥା ଡାକୁମାନେ ଗଛରେ ଥାଇ ଶୁଣୁଛନ୍ତି । କିନ୍ତୁ ମୁଁ ତାଙ୍କୁ ଏତେ ସହଜରେ ଛାଡିବି ନାହିଁ । ମୁଁ ସେମାନଙ୍କୁ ଧରି ସେମାନଙ୍କଠାରୁ ହୀରାର ହାର ଆଣିହିଁ ଗ୍ରାମକୁ ଫେରିବି । ଇତିମଧ୍ୟରେ ତୁମେ ଯାଇ ଗୌରୀକୁ ଏ ସମସ୍ତ ଖବର ଦିଅ ।” ତା’ପରେ ସେହି ଚୋରମାନେ ଯେଉଁ ଆଡକୁ ଯାଇଥିଲେ ଭୈରବ ମଧ୍ୟ ସେହି ଆଡକୁ ଦୌଡିଲା । ବୀର ଗ୍ରାମରେ ପହଁଚି ଗୌରୀକୁ ସବୁକଥା କହିଲା । ସବୁଶୁଣି ଗୌରୀ କହିଲା, “ଚାରିଜଣ ଚୋରଙ୍କୁ ଧରିବାକୁ କ’ଣ ସେ ଏକେଲା ଗଲା? ତାକୁ ତ ପ୍ରଶଂସା କରିବାର କଥା ।” ଗୌରୀ କଥାରୁ ଯାହା ଜଣାଗଲା ଯେ ସେ ତାକୁହିଁ ବିବାହ କରିବ । କାରଣ ଅଳ୍ପ ସମୟ ମଧ୍ୟରେ ଭୈରବ ବି ହୀରାହାର ଧରି ସେଠାରେ ଆସି ପହଁଚି ଯିବ । ଏଥର ବୀର ଧୈର୍ଯ୍ୟ ଧରି ତା’ର ଶେଷ କଥା ଗୌରୀକୁ ଶୁଣାଇଲା; “ଆଉ ସଂକୋଚ କରିବାର କ’ଣ ଅଛି? ତୁମେ ଧନକୁ ନା ପ୍ରେମକୁ ଅଧିକ ମୂଲ୍ୟ ଦେଉଛ? ମୁଁ ସିନା ହୀରାର ହାର ଆଣି ପାରିବି ନାହିଁ, କିନ୍ତୁ ମୋ ହୃଦୟ ତୁମ ପ୍ରତି ପ୍ରେମରେ ଭର୍ତ୍ତି ହୋଇଛି । ଏକଥା କ’ଣ ତୁମେ ଜାଣ ନାହିଁ?”
ଗୌରୀ ହସି ହସି କହିଲା, “ମୁଁ ମଧ୍ୟ ତୁମ ପ୍ରେମରେ ଅତ୍ୟନ୍ତ ମୁଗ୍ଧ । ଭଲ ହେଲା ତୁମେ ସାହସ କରି ଏକଥା ପରିଷ୍କାର ଭାବରେ କହିଲ । ମୁଁ ତୁମକୁହିଁ ବିବାହ କରିବି ।” ତା’କଥା ଶୁଣି ବୀର ଖୁସି ହୋଇଗଲା; ଇତିମଧ୍ୟରେ ଭୈରବ ହୀରାହାର ଧରି ସେଠାରେ ଆସି ପହଁଚିଲା ।
ଗୌରୀ ହସି ହସି କହିଲା, “ତୁମେ ବହୁତ ଡେରି କରିଦେଲ, ମୁଁ ବୀରକୁ କଥା ଦେଇ ସାରିଛି । ଯାହା ଏପର୍ଯ୍ୟନ୍ତ କେହିବି ମୁହଁ ଖୋଲି କହୁ ନଥିଲେ, ସେକଥା, ସେ ଆଜି ପରିଷ୍କାର କରି କହିଛନ୍ତି । ସେଇଥିପାଇଁ ମୁଁ ତାଙ୍କୁ ହିଁ ବାଛିଲି ।”
“ସେ ଏପରି କ’ଣ ସାହସ କଲା ତାହା ମୋତେ ବି ଟିକିଏ ଶୁଣାଅ ତ ।”
“ସାହସର ଅର୍ଥ ଏହା ନୁହେଁ ଯେ ଖଣ୍ଡା ଧରି ଲଢିବା, ମନର କଥା ସାହସର ସହିତ କହିବା ହେଲା ପ୍ରକୃତ ସାହସ । ଖାଲି ସେଇଥିପାଇଁ ତ ସେ ପହଲବାନ୍ର ଝିଅ ସୁନ୍ଦରୀ ତଥା ଦକ୍ଷ ରାଗମତୀର ବିବାହ ପ୍ରସ୍ତାବ ଅସ୍ୱୀକାର କଲେ, ଏସବୁ କେବଳ ମୋ ପ୍ରତି ପ୍ରେମ ଯୋଗୁଁ ନା । ଆମେ ଦୁହେଁ ଦୁହିଁଙ୍କୁ ବିବାହ କରିବାକୁ ସମ୍ମତ, ତେଣୁ ଆଉ ସର୍ତ୍ତର ଆବଶ୍ୟକତା ରହିଲା ବା କେଉଁଠି? ତୁମର ହୀରାହାର ଯୋଗୁଁ ତୁମକୁ ବିବାହ କରିଥିଲେ ତାହା ଛୋଟଲୋକି ହୋଇ ନଥାନ୍ତାକି? କିନ୍ତୁ ବୀରର ମନୋଭାବରେ ନିଃସ୍ୱାର୍ଥପରତା ରହିଛି ।”
ଭୈରବ ଗୌରୀର କଥା ଶୁଣି କହିଲା, “ତୁମ କଥା ସତ । କାରଣ ମୁଁ ବାହାଦୁରୀ ନେବାକୁ ତଥା ପ୍ରଶଂସା ପାଇବାକୁ ସାହସିକ କାମ କରେ । କିନ୍ତୁ ରାଗମତୀର ସୌନ୍ଦର୍ଯ୍ୟ ମୋତେ ବେଶ୍ ଆକର୍ଷିତ କରିଛି; ତା’ର କଥାବାର୍ତ୍ତା ମଧ୍ୟ ମୋତେ ଭାରି ଭଲ ଲାଗିଲା । ଅଥଚ ମୁଁ ତାକୁ ମୋର ମନକଥା କହିବାକୁ ସାହସ କଲି ନାହିଁ । ଯଦି ଆବଶ୍ୟକତା ବେଳେ ସାହସ କୌଣସି କାମରେ ନ ଆସେ ତେବେ ତା’ର କି ମୂଲ୍ୟ? ଏକଦିଗରୁ ଦେଖିଲେ ବୀର ମୋ ଅପେକ୍ଷା ଅଧିକ ସାହସୀ ।”
ବୀର ଖୁସି ହୋଇ କହିଲା, “ତୁମେ ବି ମୋତେ ସାହସୀ ବୋଲି କହୁଛ? ବାଃ ମୁଁ ଆଜି କେତେ ଖୁସି; ଏବେ ସେ ରାଗମତୀ ସହିତ ତୁମର ବିବାହ ପ୍ରସ୍ତାବ ମୁଁ ଦେବି । ତୁମର ସାହସ ତୁମର ଓ ମୋର ସାହସ ମୋର । କେବଳ ଯାହା ଏ ଦୁଇଟି ଭିନ୍ନ ପ୍ରକାରର ।”