ଏକଥା ଶୁଣି ରାଜୁ ପଚାରିଲା – କ’ଣ କହି ଡାକିଲେ ତୁମେ ଆସିବ? ପରୀଟି କହିଲା – ଜଙ୍ଗଲରୁ ମୁଠାଏ ମାଟି ଧରି ତିନିପାଦ ଆଗକୁ ଯାଇ କହିବୁ –
“ପରିରାଣୀ ତୁମେ ଜଙ୍ଗଲ ରାଣୀ
ଦୁଃଖ ଯାହା ଅଛି କର ଗୋ’ ପାଣି ।
ତୁମେ ବନଦୁର୍ଗା ସଙ୍ଗାତ ଅଟ
ତୁମେ ହିଁ ତାରିବ ମୋର ସଙ୍କଟ ।”
ଏହି କଥାକୁ ମନେ ରଖି ଔଷଧ ନେଇ ରାଜୁ ତା’ ଘରକୁ ଗଲା । ମାଆକୁ ଔଷଧପାନେ ଦେଇଛି, ରାଜୁ ମାଆର ଜ୍ୱର ବାରଅଣା ଛାଡିଗଲା । ରାତିରେ ଆଉ ପାନେ ଔଷଧରେ ପୂର୍ଣ୍ଣ ଭାବରେ ସୁସ୍ଥ ହୋଇଗଲା ସେ ରାଜୁର ମାଆ ।
ତାପରେ ରାଜୁ ତା’ ମାଆ ଆଗରେ ସବୁ ସତ କଥା କହିଲା । ମାଆ କିନ୍ତୁ ରାଜୁର କଥାକୁ ମିଛ ଭାବିଲା । ଓଲଟି ମାଆ କହିଲା ତୁ ବଇଦଠାରୁ ଔଷଧ ଆଣିଛୁ । ଜଙ୍ଗଲପରୀ କିଏ ଗୋଟାଏ ଅଛି! କାହିଁକି ତୁ ଏ ମିଛ କହୁଛୁ ।
ଏପରି କଥା ଶୁଣି ରାଜୁ ତା ମାଆର ଅବିଶ୍ୱାସୀତାରେ ଖୁବ୍ ବ୍ୟସ୍ତ ହୋଇପଡିଲା । ତେଣୁ ରାଜୁ ତା ମାଆକୁ ଧରି ଜଙ୍ଗଲକୁ ଗଲା । ଜଙ୍ଗଲରୁ ମୁଠାଏ ମାଟି ଧରି ରାଜୁ ସେ ଗୀତଟି ଗାଇଦେଲା । ହଠାତ୍ ସେହିକ୍ଷଣି ସୁ… ସୁ ଶବ୍ଦ କରି ତଳକୁ ଓହ୍ଲାଇଲା ଚଢେଇପରି ପକ୍ଷଥିବା ସ୍ତ୍ରୀଲୋକଟି । ତା ଦେହରୁ ଝଲକ ବାହାରୁଥିଲା । ରାଜୁର ମାଆ କଥା ଜାଣିପାରି ସେ ଜଙ୍ଗଲପରୀ କହିଲେ –
“ପରୀରାଇଜରୁ ଆସିଅଛି ମୁହିଁ
ମୁଁ ପରୀରାଣୀ ।
ଜଙ୍ଗଲ ଶୋଭାରେ ମୁଗ୍ଧ ହୋଇଏଠି
କଲି ରହଣି ।
ଭଲ ଲୋକ, ଭଲ ପିଲାମାନଙ୍କର ହୁଏ ମୁଁ ସାଥୀ
ତାଙ୍କ ଗୁଣେ ମୁଗ୍ଧ ହୋଇ ମୁଁ କରଇ ସାହାଯ୍ୟ ଅତି ।
ରାଜୁ ଅତି ଭଲ ପିଲାଟିଏ ଅଟେ ଜାଣିପାରିଲି
ମାଆଟି ତାହାର ସୁସ୍ଥ ହେବା ପାଇଁ ଔଷଧ ଦେଲି ।”
ଏପରି କଥା ଶୁଣି ରାଜୁର ମାଆ ଖୁବ୍ ଖୁସି ହୋଇଗଲା । ଏଥର ମାଆ ଜାଣିଲେ ଯେ, ରାଜୁର ବ୍ୟବହାର ଭଲ ଯୋଗୁଁ ଜଙ୍ଗଲ ପରୀ ତାକୁ ଅତି ସ୍ନେହରେ ଔଷଧ ଦେଇଥିଲେ । ଯାହାଦ୍ୱାରା ରାଜୁର ମାଆ ତଥା ସେ ନିଜେ ସୁସ୍ଥ ହୋଇପାରିଲେ । ତାପରେ ରାଜୁର ମାଆ ଦୈନ୍ୟ ଭାବରେ କହିଲେ, ରାଜୁ ମୋର ଭଲ ପାଠ ପଢୁଛି । ସେ କିପରି ବଡ ମଣିଷ ହେବ, ତୁମେ ଚାହିଁବ । ତାର ତ ବାପା ନାହିଁ । ତାଛଡା ଆମ ବନ୍ଧୁବାନ୍ଧବମାନେ ବଡ ଗରିବ । ତେଣୁ କେହିବି ତାର ପାଠ ପଢାପାଇଁ ମୋଟେ ଦୃଷ୍ଟି ଦିଅନ୍ତି ନାହିଁ । ଏବେ ତୁମେ ହିଁ ତାର ଭଉଣୀ, ତୁମେ ହିଁ ତାର ମାଆ ।