ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସାହାସିକ କାର୍ଯ୍ୟ

ଦୂର୍ବଳ ସାଧୁଙ୍କ ପାଖକୁ ଯିବାକୁ ବାହାରିବାରୁ ତା’ ସ୍ତ୍ରୀ ଆସି ତାକୁ ଧମକ ଦେଇ କହିଲା, “ଶୁଣ, ସାଧୁଙ୍କ ପାଖକୁ ଯଦି ଯାଉଛ ତ ଯାଅ । କିନ୍ତୁ ତା’ ପରେ ଫେରି ଆସି ମୁଁ ଯାହା କହିବି କରିବ । ତମେ କିଏ ଆଉ ସାହସ କିଏ! ସାଧୁ ଯାହା କିଛି ବି କହିବେ ସେଥିରେ ତମର ରାଜି ହୋଇଯିବା ଆଦୌ ଦରକାର ନାହିଁ । ସାବଧାନ ଥିବ । ନହେଲେ ତମ ଅବସ୍ଥା କ’ଣ ହେବ ଦେଖିବ ।”

ଦୂର୍ବଳ ସାଧୁଙ୍କ ପାଖକୁ ଯିବା ମାତ୍ରେ ସାଧୁ ତା’ କାନରେ କହିଲେ, “ଶୁଣ, ମୁଁ ତୁମକୁ ସାହସର ସହିତ କାମ କରିବାକୁ କହିବି । ମୋର ଶକ୍ତି ତୁମକୁ ସର୍ବଦା ରକ୍ଷା କରିବ । ତଦ୍ୱାରା ତୁମର ଅପାର ଗୌରବ ଲାଭ ହେବ । ଏବେ ତୁମ ପତ୍ନୀ ରାଗିବ ହେଲେ ପରେ ଖୁସି ହେବ । ହେଲେ ମନେରଖ, ମୋ ସାହାଯ୍ୟରେ ହିଁ ତମେ ଜୀବନରେ କିଛି କାମ କରି ପାରିବ ।”

ସାଧୁଙ୍କର ସବୁ କଥା ଦୂର୍ବଳ ମନଦେଇ ଶୁଣିଲା । ତା’ପରେ ସାଧୁ କହିଲେ, “ଏବେ ତୁମେ ଯାଇପାର । କିନ୍ତୁ ମନେରଖ କାଲି ଶୀଘ୍ର ଏଠାକୁ ଆସିଯିବ । ଅନ୍ୟ ସବୁ ଲୋକ ମଧ୍ୟ ଏଠାକୁ ଆସିବେ । ସେମାନଙ୍କ ଉପସ୍ଥିତିରେ ହିଁ ମୁଁ ତମ ଦ୍ୱାରା କିଛି ସାହସିକ କାର୍ଯ୍ୟ କରାଇ ପାରିବି ।”

ପରଦିନ ସାଧୁ ଓ ଗ୍ରାମବାସୀ ଗାଁ ମୁଣ୍ଡ ବରଗଛ ମୂଳରେ ଏକତ୍ରିତ ହୋଇଥା’ନ୍ତି । ସମସ୍ତେ ଦୂର୍ବଳର ଅପେକ୍ଷାରେ ଥା’ନ୍ତି । ଟିକିଏ ଡେରି କରି ଦୂର୍ବଳ ଆସିଲା ।

ସାଧୁ କହିଲେ, “ଦୂର୍ବଳ, ତମେ ଡେରୀରେ ଆସିଲ । ମୁଁ ଚାହୁଁଥିଲି ତମେ ଥରେ ଏକଲା ମୋ ପାଖକୁ ଆସିଥା’ନ୍ତ । କ’ଣ, ତମେ ସାହସିକ କାମ କରିବାକୁ ଚାହଁନାହିଁ?”

ଦୂର୍ବଳ କହିଲା “ସ୍ୱାମୀଜୀ, କ୍ଷମା କରନ୍ତୁ । ମୁଁ ସାହସିକ କାର୍ଯ୍ୟ ନିଶ୍ଚୟ କରିବି । ପ୍ରଥମେ କରିବି ନା ନାହିଁ ଭାବୁ ଭାବୁ ଡେରୀ ହୋଇଗଲା ।

ଦୂର୍ବଳ କଥା ଶୁଣି ସାଧୁ କହିଲେ “ଆପଣମାନେ ଦେଖନ୍ତୁ, ମୋ କଥା ପ୍ରମାଣିତ ହୋଇଛି ନା ନାହିଁ ।”

“ସ୍ୱାମୀଜୀ, ଆପଣ କହିଥିଲେ ନା ଦୂର୍ବଳକୁ ମୁଁ ସବଳ ବନାଇ ଦେବି? କିନ୍ତୁ ସାହସିକ କାର୍ଯ୍ୟ କରିବ ନା ନାହିଁ ସେତିକି ଠିକ୍ କରିବା ପାଇଁ ଦୂର୍ବଳକୁ ଦିନଟିଏ ଲାଗିଗଲା । ତଥାପି କ’ଣ ଆପଣ ଭାବୁଛନ୍ତି ଯେ ଆପଣଙ୍କ କଥାର ସତ୍ୟତା ପ୍ରମାଣ କରିପାରିବେ?” ଗ୍ରାମବାସୀମାନେ ଏକଥା ଥଟ୍ଟାଳିଆ ସ୍ୱରରେ କହିଲେ ଓ ହସିଲେ ।

ସାଧୁ କିଛି ସମୟ ଚୁପ୍ ହୋଇ ବସିବା ପରେ ଗମ୍ଭୀର ସ୍ୱରରେ କହିଲେ, “ତୁମେମାନେ ହିଁ କହିଥିଲ ଯେ ଦୂର୍ବଳ ନିଜ ସ୍ତ୍ରୀ କଥାକୁ ବିରୋଧ କରିପାରେ ନାହିଁ । ଦୂର୍ବଳର ସ୍ତ୍ରୀ ମଧ୍ୟ ସିଧା କହିଲା କି ଦୂର୍ବଳ କିଛି ସାହସିକ କାର୍ଯ୍ୟ କରିବା ସେ ଚାହେଁନି । ଏସବୁ ସତ୍ତ୍ୱେ ମଧ୍ୟ ଦୂର୍ବଳ ନିଜେ ସାହସିକ କାମ କରିବା ପାଇଁ ମନସ୍ଥ କରି ନିଜର ସ୍ତ୍ରୀ କଥାକୁ ଖାତିର ନ କରି ଏଠାରେ ଉପସ୍ଥିତ ହୋଇପାରିଛି; ଏହା କ’ଣ ତା’ ପାଇଁ ଏକ ସାହସିକ ପଦକ୍ଷେପ ନୁହେଁ କି?”

ଏକଥା ଶୁଣି ଉପସ୍ଥିତ ଜନତା ଟିକିଏ ହସି ପକାଇଲେ । କିନ୍ତୁ ସାଧୁ ପୁଣି ବୁଝାଇ କହିଲେ, “ତା’ କ୍ଷେତ୍ରରେ ସେ ସାହସିକ କାର୍ଯ୍ୟ କରିଛି । ଏଥିରେ ତୁମମାନଙ୍କର ହସିବାର କୌଣସି ଯୋଗ୍ୟତା ନାହିଁ । ସେ ତା’ର ପତ୍ନୀକୁ ଡରୁଛି । ତମେମାନେ ବି ତ ଡାକୁମାନଙ୍କୁ ଡରୁଛ । ନିଜେ ସାହସ ରଖିବାରୁ ତୁମ ପଡୋଶୀ ଗ୍ରାମବାସୀ ଡାକୁମାନଙ୍କୁ ତଡିଦେଲେ ଓ ଡାକୁମାନେ ଭୟରେ ସେଠାରେ ପଶିପାରୁ ନାହାଁନ୍ତି ।”

ଏବେ ସେ ସାଧୁଙ୍କ କଥା ସମସ୍ତେ ବୁଝିଲେ ଓ କହିଲେ, “ସାଧୁଜୀ, ଆପଣ ଆମମାନଙ୍କ ଆଖି ଖୋଲିଦେଲେ । ଏବେଠାରୁ ଆମେ ଏକତାବଦ୍ଧ ହୋଇ ଚୋରମାନଙ୍କୁ ତଡିବା । ସେଇଟା ଆଉ ବଡ କାମ କ’ଣ?”

ସେହିଦିନ ଗ୍ରାମବାସୀମାନେ ଏକତ୍ରିତ ହୋଇ କିପରି ଡାକୁମାନଙ୍କୁ ସାମ୍ନା କରିବେ, ସେ ବିଷୟରେ ଆଲୋଚନା କରି କିଛି ଉପାୟ ସ୍ଥିର କଲେ । ପରଥର ଡାକୁଦଳ ଆସି ଗ୍ରାମ ସୀମାନ୍ତରେ ପହଁଚିବା ମାତ୍ରେ ଶତାଧିକ ଲୋକ ଲାଠି ଧରି ଏକତ୍ର ସେମାନଙ୍କୁ ଘେରି ଯିବାକୁ ପ୍ରସ୍ତୁତ ହେଲେ । ପୁରୁଷମାନଙ୍କ ପଛରେ ସ୍ତ୍ରୀମାନେ ମଧ୍ୟ ସଂଘବଦ୍ଧ ଭାବରେ ହାତରେ ମଶାଲ ଧରି ଅପେକ୍ଷା କରିଥାନ୍ତି । ଡାକୁମାନେ ପ୍ରଥମେ କିଛି ବି ବୁଝି ନପାରି ପରସ୍ପର ଅନିଆ ଅନି ହେଲେ । ତା’ପରେ ଯାଇ ସେମାନେ ସେଠାରୁ ପଳାଇଗଲେ ।

ଏହି ଘଟଣା ପରେ ସାଧୁ ଖୁସି ହୋଇ ବୀରସେନ ଓ ଗ୍ରାମବାସୀଙ୍କୁ ଆଶିର୍ବାଦ ଦେଇ ଅନ୍ୟ ଗ୍ରାମକୁ ଲେଉଟି ଗଲେ । ଏସବୁ କଥା ଡାକୁମାନେ ଖବର ସଂଗ୍ରହ କରି ଜାଣିପାରିଲେ, ତା’ପରେ ଏ ଗ୍ରାମକୁ ଲୁଣ୍ଠନ କରିବା ଆଶା ସେମାନେ ସଂପୂର୍ଣ୍ଣ ଛାଡିଦେଲେ । ସେହିଦିନଠାରୁ ଗ୍ରାମବାସୀମାନେ ମଧ୍ୟ ମହା ଆନନ୍ଦରେ ଓ ନିର୍ଭୟରେ କାଳାତିପାତ କରିବାକୁ ଲାଗିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ