ଫରାସୀ ଦେଶର ପରୀକାହାଣୀରେ ‘ହେନେରୀ’କୁ ସମସ୍ତେ ମନେ ରଖିଛନ୍ତି । ମାତ୍ର ସାତ ବର୍ଷର ପିଲା ହେଉଛି ସେ ହେନେରୀ । ତା’ର ମାଆ ଥିଲେ ଅତ୍ୟନ୍ତ ଦୁଃଖିନୀ । ମାଆ ଥିଲେ ହେନେରୀର ଏକମାତ୍ର ଭରସା । କାରଣ ପିଲାଟିଦିନରୁ ସେ ତା ବାପାକୁ ହରାଇଥିଲା । ଗାଁ ବାହାରେ ଛୋଟ କୁଡିଆ ଘରେ ମାଆ ପୁଅ ଦୁହେଁ ରହୁ ଥାଆନ୍ତି । ମା’ ପ୍ରତିଦିନ କିଛି କିଛି ସିଲେଇକାମ କରନ୍ତି ଓ ତାକୁ ନେଇ ହାଟରେ ବିକି ଯାହା ରୋଜଗାର କରନ୍ତି, ସେଇଥିରେ କୌଣସି ପ୍ରକାରେ ମା ପୁଅଙ୍କର ଗୁଜୁରାଣ ଚଳିଯାଏ ।
ପିଲା ହେଲେ କ’ଣ ହେବ, ହେନେରୀର କିନ୍ତୁ ଭାରୀ ବୁଦ୍ଧି । ସେ ତା ମା’ଙ୍କୁ କାମରେ ସାହାଯ୍ୟ କରିବା ପାଇଁ ଦିନରାତି ଲାଗିପଡିଥାଏ । ମା’ଙ୍କ ପାଇଁ ସେ ଘର ଓଳାଇ ପକାଏ, କାଠ ଚିରିଦିଏ, ବଗିଚାରେ କାମ କରେ, ମା’ଙ୍କ ପାଇଁ ଫୁଲ ତୋଳିଆଣେ, ଘରେ ଚୌକି – ବେଂଚ ସଜାଡିଦିଏ, ନଚେତ୍ ମା’ଙ୍କର ଓ ତା’ର ଜୋତାରେ ରଙ୍ଗ ଲଗାଇ ବସେ । ମୋଟ ଉପରେ ତା’ର ଶକ୍ତି ଅନୁସାରେ ସେ ଅନବରତ ଘରକାମରେ ଲାଗିରହିଥାଏ ଏବଂ ନିଜ ମା’ଙ୍କୁ ସାହାଯ୍ୟ କରି ଚାଲିଥାଏ ।
ସହଜେ ତ ଗାଁମୁଣ୍ଡର ନିକାଂଚିଆ ଘର ତାଙ୍କର, ପୁଣି ସେମାନେ ଦୁଃଖୀଲୋକ । ତେଣୁ ସେମାନଙ୍କର ଦୁଃଖ – ସୁଖରେ କେହି ତାଙ୍କୁ ହାନି – ଲାଭ ପଚାରନ୍ତି ନାହିଁ । ଯଦି ହାତରେ କିଛି କାମ ନଥାଏ, ତେବେ ହେନେରୀ ଘରର ଝରକା ଫାଙ୍କରେ ଅଦୂରର ସେ ପାହାଡ ଆଡିକି ଚାହିଁ ବସିଥାଏ । ପାହାଡଟି ଏତେ ଉଚ୍ଚ ଯେ ଚାହିଁଲେ ଠେକା ଖସି ପଡିବ । ପାହାଡ ଦେହରେ କେତେ ଝରଣା, ପାଚେରୀ ପରି ବଡ ବଡ ଅକର୍ମଶିଳାମାନ ଚାରିଆଡେ ଘେରି ରହିଛି । ବଡ ବଡ ବୃକ୍ଷରେ ପାହାଡର ଜଙ୍ଗଲ ଭରପୂର । ସମସ୍ତେ କହନ୍ତି, ସେ ପାହାଡକୁ ଆଜି ପର୍ଯ୍ୟନ୍ତ କେହି ଚଢି ଯାଇ ପାରି ନାହାଁନ୍ତି । ଯଦି କେହି ବେଖାତିର କରି ସେ ପାହାଡ ଚଢିଛି ତ ସେ ଆଉ କେବେବି ସେଠାରୁ ଫେରିଆସି ପାରି ନାହିଁ । ତେଣୁ ସେ ଗାଁର ଲୋକମାନେ ପାହାଡକୁ ଚାହିଁ ଭୟରେ କେବଳ ମୁଣ୍ଡିଆ ମାରନ୍ତି ।
ଏଇମିତି କେତେଦିନ ସୁଖ – ଦୁଃଖରେ ଚାଲିଗଲା । ହେନେରୀର ମା’ ଆସ୍ତେ ଆସ୍ତେ ବେମାର ପଡିଲେ । ହାତରେ ତାଙ୍କର କେଉଁ ପଇସା ଅଛି ଯେ, ଡାକ୍ତର ଦେଖାଇ ସେ ଔଷଧ ଖାଇବେ । କେବଳ ନିଜ କରମକୁ ଆଦରି ସେ ଖଟିଆ ଉପରେ ପଡିଥାଆନ୍ତି । ବିଚରା ହେନେରୀ ଏବେ ଅବା ଆଉ କ’ଣ କରିବ । ମା’ଙ୍କ ବିନା ତା’ର ମଧ୍ୟ ଆଉ କିଛି ଖିଆପିଆ ନାହିଁ । ମା’ଙ୍କ ପାଖରେ ସେ ହେନେରୀ ରାତିଦିନ ଜଗି ବସିଥାଏ । ମା’ଙ୍କୁ ଶୋଷ ହେଲେ ହେନେରୀ ତାଙ୍କୁ ପାଣି ମୁନ୍ଦିଏ ପିଇବାକୁ ଦିଏ । ମା’ଙ୍କ କଥା ଭାବି ଭାବି ହେନେରୀର ଆଖିରୁ ଦୁଇଧାର ଲୁହ ଝରି ଆସେ । କାଳେ ମା’ ଦେଖିବେ ବୋଲି ସେ ତା ମୁହଁ ବୁଲାଇ ଆଖି ପୋଛିଦିଏ ।