ଚାହୁଁ ଚାହୁଁ ହେନେରୀ ମାଙ୍କର ଅବସ୍ଥା ଆହୁରି ଖରାପ ହୋଇଗଲା । ସେଦିନ ହେନେରୀର ମା’ ବଡ ଛାଟିପିଟି ହେଲେ । ତାଙ୍କର ପାଟିରେ ଆଉ ପାଣି ସୁଦ୍ଧା ବି ଗଳିଲା ନାହିଁ । ସେ ମଧ୍ୟ ହେନେରୀକୁ ଆଉ ଚିହ୍ନିପାରିଲେ ନାହିଁ । ହେନରୀ ବା ଏବେ ଆଉ କ’ଣ କରିବ? ଏହି କଥା ଭାବି ଭାବି ସେ ବଡ ବ୍ୟସ୍ତ ହେଉଥାଏ । ଯଦି ତା ମା’ ମରିଯାଆନ୍ତି, ତେବେ ତା’ର ଅବସ୍ଥା କ’ଣ ହେବ? ଭାଇ ବନ୍ଧୁ ବୋଲି ଏ ସଂସାରରେ ତା’ର ଆପଣାର ଆଉ କେହି ନାହାଁନ୍ତି । ତା’ର ହଠାତ୍ ମନେ ପଡିଲା ମା’ଙ୍କ କଥା । ମା’ ସବୁବେଳେ ତାକୁ (ହେନେରୀକୁ) ବୁଝାଇ କହନ୍ତି, ବିପଦବେଳେ ତୋ ପାଇଁ ‘ପରୀରାଣୀ’ ଅଛନ୍ତି । ତାଙ୍କୁ ଡାକିଲେ ତୋର ସବୁ ବିପଦ କଟିଯିବ ।
ତାପରେ ସେ ହେନେରୀ ବଡ ବିକଳ ହୋଇ ଡାକିଲା, “ହେ ପରୀରାଣୀ! ତୁମେ ଆମ ଘରକୁ ଆସ, ଆଉ ମୋ ମା’ଙ୍କୁ ଶୀଘ୍ର ଭଲ କରିଦିଅ ।” ଅତ୍ୟନ୍ତ ବିକଳ ସ୍ୱରରେ ପ୍ରାର୍ଥନା କରି ସେ ପରୀରାଣୀଙ୍କୁ ଡାକୁଥାଏ । ଅତ୍ୟନ୍ତ ଭକ୍ତିରେ ସେ ତା ଆଖି ବୁଜି ଦେଇଥାଏ । ହଠାତ୍ ତାକୁ ଜଣା ପଡିଲା, ଘରଟା ଯେପରି ତାର ଆଲୁଅ ହୋଇଯାଇଛି । ସେ ତ ଆଲୁଅ ମୋଟେ ଲଗାଇ ନାହିଁ; ସେମିତି ଅନ୍ଧାର ଭିତରେ ବସିଛି ସେ । ହଠାତ୍ ଏତେ ତୋଫା ଆଲୁଅ କେଉଁଠୁ ଆସିଲା? ସତକୁ ସତ ସେ ତା ଆଖି ମେଲି ଚାହିଁଦିଏ ତ ପରୀରାଣୀ କବାଟ ଠେଲି ତା ଘର ଭିତରକୁ ପଶି ଆସୁଛନ୍ତି । ଦେଖିବାକୁ କେଡେ ସୁନ୍ଦର ସେ ପରୀରାଣୀ ଜଣକ । ତାଙ୍କ ଦେହରୁ ଖାଲି ଆଲୁଅ ଚାରିଆଡକୁ ବିଛାଡି ହୋଇ ପଡୁଛି । ଏସବୁ ଦେଖି ହେନେରୀ ଅତି ଭକ୍ତିରେ ସେ ପରୀରାଣୀଙ୍କର ପାଦତଳେ ନିଜ ମୁଣ୍ଡ ଲଗାଇଲା ।
ତାପରେ ପରୀରାଣୀ ବି ଅତ୍ୟନ୍ତ ସ୍ନେହରେ ହେନେରୀର ମୁଣ୍ଡରେ ନିଜ ହାତ ବୁଲାଇ ଦେଲେ । ତାକୁ କହିଲେ, “ତୁ ମୋତେ କାହିଁକି ଡାକିଲୁ?”
ହେନେରୀ କହିଲା, “ଏବେ ଆପଣ ହିଁ ମୋର ଏକମାତ୍ର ସହାୟ । ମୋ ମା’ଙ୍କୁ ଭଲ କରିଦିଅନ୍ତୁ ।”
ଏହାଶୁଣି ପରିରାଣୀ ଟିକିଏ ମୁରୁକି ମୁରୁକି ହସିଲେ । ତା’ପରେ ପରୀରାଣୀ ଧୀରେ ଧୀରେ ହେନେରୀର ମା’ଙ୍କ ଖଟିଆ ପାଖକୁ ଯାଇ ତାଙ୍କୁ ଟିକେ ଆଉଁସି ଦେଲେ । ଡାକ୍ତରାଣୀଙ୍କ ପରି ଭଲଭାବରେ ସେ ପରୀରାଣୀ ପରୀକ୍ଷା କଲେ । ତା’ପରେ ପରୀରାଣୀ ହେନେରୀକୁ ଅତି ଆଦରରେ ପାଖରେ ବସାଇ କହିଲେ, “ବାବା, ତୋ ମା’ଙ୍କୁ ଭଲ କରିବା କ୍ଷମତା ମୋର ବିଲ୍କୁଲ୍ ନାହିଁ; ମାତ୍ର ତୋତେ ମୁଁ ଗୋଟିଏ ଉପାୟ ବତାଇ ଦେବି । ତୁ ତାହା କରିପାରିଲେ ତୋ ମା’ଙ୍କର ନିଶ୍ଚୟ ଜୀବନ ରକ୍ଷା ହୋଇଯିବ ।
ଏମନ୍ତ ଶୁଣି ହେନେରୀ କହିଲା, “ମୋ ମା’ଙ୍କ ପାଇଁ ମୁଁ ସବୁକିଛି କରିପାରିବି । ଆପଣ ଦୟାକରି କେବଳ ଏତିକି କୁହନ୍ତୁ, ମୋତେ ଏବେ କ’ଣ କରିବାକୁ ହେବ ।”
ପରୀରାଣୀ କହିଲେ, “ସେ କାର୍ଯ୍ୟଟି ଅତ୍ୟନ୍ତ କଷ୍ଟ । ତୋ ପରି ପିଲାଲୋକ ଉପରେ ମୋର କିନ୍ତୁ ଆଦୌ ବିଶ୍ୱାସ ପାଉନାହିଁ ।”