ତାପରେ ହେନେରୀ ଅତ୍ୟନ୍ତ ବିକଳ ହୋଇ ପରୀରାଣୀଙ୍କୁ କହିଲା, “ଆପଣ ମୋତେ ବିଶ୍ୱାସ କରନ୍ତୁ, ମୋ ମା’ଙ୍କ ପାଇଁ ମୁଁ ଯେକୌଣସି ଦୁଃଖ ସହିବାକୁ ମଧ୍ୟ ପ୍ରସ୍ତୁତ ଅଛି ।”
ଏତିକି ଶୁଣି ସେ ପରୀରାଣୀ ଜଣକ ଖୁବ୍ ଖୁସି ହୋଇଗଲେ । ତାପରେ ସେ ହେନେରୀକୁ ଆର୍ଶୀବାଦ କଲେ; କହିଲେ, “ଏଇ ଆଗରେ ଯେଉଁ ପାହାଡ ଦେଖୁଛୁ, ତା’ରି ଉପରେ ‘ଅମୃତଚେର’ ଅଛି । ସେଠାକୁ ଯିବା ପାଇଁ ହେଲେ ଖୁବ୍ ସାହସ ଏବଂ ଧୈର୍ଯ୍ୟ ଲୋଡା ହେବ । ପାହାଡର ତିଖରେ ପହଁଚିଲେ ତୁ ମୋ’ରି ନାଁ କହି ସେଠାରେ ଡାକ୍ତରକୁ ଡାକିବୁ । ସେ ହିଁ ତୋତେ ଅମୃତଚେର ଦେବ ।”
ଏପରି କଥା ଶୁଣି ହେନେରୀ ଘଡିଏ ଭାବିଲା ଏବଂ ସେଠାକୁ ଯିବା ପାଇଁ ଅଂଟା ଭିଡିଲା । ଯେଉଁ ପାହାଡକୁ କେହି କେବେ ଚଢି ନାହାଁନ୍ତି, ମା’ଙ୍କ ଜୀବନରକ୍ଷା ପାଇଁ ସେ ଆଜି ଅବଶ୍ୟ ଚଢିବ । ତେବେ ଏଠାରେ ମା’ ରହିବେ କିପରି? ଏହିପରି ଭାବି ଭାବି ତାପରେ ସେ ହେନେରୀ ଅତି ବିକଳ ହୋଇ କହିଲା, “ପରୀରାଣୀ, ଏବେ ମୋ ମା’ଙ୍କୁ କିଏ ସେବା କରିବ?”
ଏଥର ପରୀରାଣୀ ହେନେରୀ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲେ, “ତୁ ସେ ବିଷୟରେ ଆଦୌ ଚିନ୍ତା କରନାହିଁ । ତୁ ଆସିଲା ପର୍ଯ୍ୟନ୍ତ ମୁଁ ଏଠାରେ ଅଛି ।”
ସାତବର୍ଷର ହେନେରୀ ପାହାଡ ଆଡକୁ ମୁହାଁଇଲା ।
ମାଆକୁ ବଂଚାଇବା ପାଇଁ ହେନେରୀର ଆଉ ଭୋକଶୋଷ କିଛି ବି ନ ଥାଏ । ଯେପରି ହେଉ, ପାହାଡ ଚଢି ତାକୁ ସେ ଅମୃତଚେର ଆଣିବାକୁ ହେବ । ଚାଲି ଚାଲି ସାତ ଦିନ ସାତ ରାତି ଗଲାଣି, ତଥାପି ବି ସେ ଯାଇ ପାହାଡ ପାଖରେ ଆଦୌ ପହଁଚି ପାରିନାହିଁ । ମାତ୍ର ତାକୁ ଯେପରି ଜଣାଯାଉଥାଏ ପାହାଡ ଯେପରି ତା’ର ଘରଠାରୁ ଅଳ୍ପ ବାଟରେ । ବାଟରେ ବଣ ଭିତରେ ଗୋଟିଏ ଡାମରା କାଉ ଶିକାରୀ ଜାଲରେ ଛନ୍ଦି ହୋଇ ଅତ୍ୟନ୍ତ କଷ୍ଟ ପାଉଥାଏ । ଶିକାରୀ ଆସି ସେଠାରେ ପହଁଚିଗଲେ ଜାଣ ତା’ର ପ୍ରାଣ ଗଲା । ଏସବୁ ଦେଖି ହେନେରୀ ଆଉ କାଳ ବିଳମ୍ଭ ନକରି ତୁରନ୍ତ ଶିକାରୀର ଜାଲ କାଟି ଦେଇ ସେ ଡାମରାକୁଆଟିକୁ ଉଡାଇ ଦେଲା । ତାପରେ ସେ ଡାମରାକୁଆ ଅତ୍ୟନ୍ତ ଖୁସି ହୋଇ ହେନେରୀକୁ କହିଲା, “ଆଜି ତୁମେ ମୋର ଉପକାର କଲ । ସମୟ ଆସିଲେ ମୁଁ ବି ତୁମକୁ ନିଶ୍ଚୟ ସାହାଯ୍ୟ କରିବି ।”
କୁଆଟାଏ ଏପରି କଥା କହୁଛି ଶୁଣି ସେ ହେନେରୀ ହଠାତ୍ ଖୁବ୍ ଆଚମ୍ବିତ ହୋଇଗଲା । ତାପରେ ପୁଣି ସେ ଆଗକୁ ବାଟ ଚାଲିଲା । ଦେଖିଲା ବଣ ଭିତରେ ଗୋଟିଏ କୁକୁଡାକୁ କୋକିଶିଆଳିଟାଏ ଗୋଡାଇଛି – ଆଉ ଅଳ୍ପକରେ କୁକୁଡାକୁ ଧରି ମାରିପକାଇବ ସେ କୋକିଶିଆଳୀଟି । ହେନେରୀ ସେହିକ୍ଷଣି କୁକୁଡାକୁ ଧରିଆଣି ନିଜ ବ୍ୟାଗରେ ତାକୁ ଲୁଚାଇ ଦେଲା । ତାପରେ ସେ କୋକିଶିଆଳିଟି କୁକୁଡାକୁ ଖୋଜି ଖୋଜି ବଣଭିତରକୁ ଦଉଡି ଗଲା । କୁକୁଡାର ଜୀବନରକ୍ଷା କରିଥବାରୁ ସେ ବି ଅବିକଳ ମଣିଷ ପରି କହିଲା, “ତୁମର ଉପକାର ମୁଁ ନିଶ୍ଚୟ ସୁଝିଦେବି । ଭଗବାନ ତୁମର ନିଶ୍ଚୟ ମଙ୍ଗଳ କରିବେ ।”