ତାପରେ ହେନେରୀ ସାହସ ସଂଚୟ କରି ଖୁବ୍ ଜୋର୍ରେ ପାଟି କରି ଡାକିଲା, “ହେ ପାହାଡ ରାଜ୍ୟର କବିରାଜ ! ମୋର ମା’କୁ ବଂଚାଇବା ପାଇଁ ମୁଁ ଆପଣଙ୍କର ଆଶ୍ରୟ ଲୋଡିଛି । ମୋତେ ଅମୃତ ଗଛର ଚେର ଦିଅ ।”
ଠିକ୍ ଏତିକିବେଳେ ଜଣେ ଦାଢିଆ ବାମନ ବୁଢା ଆସି ସେଠାରେ ହାଜର୍ ହୋଇଗଲା । ସେ ହସି ହସି ହେନେରୀକୁ ଆଶୀର୍ବାଦ କରି କହିଲା – “ତୋର ମାତୃଶକ୍ତି ଯୋଗୁଁ ଏତେ ବିପଦପୂର୍ଣ୍ଣ ସ୍ଥାନକୁ ଆସି ତୁ ନିଜ ପ୍ରାଣ ପାଇଲୁ । ହଉ! ତୋତେ ମୁଁ ନିଶ୍ଚୟ ସାହାଯ୍ୟ କରିବି । ମାତ୍ର ସାବଧାନ ! ଅମୃତଚେରକୁ ତୁ ଆଦୌ ହାତଛଡା କରିବୁ ନାହିଁ । ଏହା ଥରେ ହାତରୁ ଖସିଲେ ତୁ ଆଉ ତାକୁ ପାଇବୁ ନାହିଁ ।”
ଏହା କହି ସେ ଦାଢିଆ ବାମନ ବୁଢା ଜଙ୍ଗଲରୁ ଖୋଜିଆଣି ଅମୃତଚେର ହେନେରୀକୁ ଦେଲା । ହେନେରୀ ଅମୃତଚେର ପାଇ ଏତେ ମାତ୍ରାରେ ଖୁସି ହୋଇଗଲା ଯେ ମନେହେଲା ସେ ଯେପରି ଦଉଡିଯାଇ ତା ମା’ ପାଖରେ ପହଁଚିଯିବ । ମାତ୍ର ପାହାଡ ଉପରୁ ତଳକୁ ଚାହିଁ ତାର ଆଖି ଟେକି ହୋଇଗଲା । ଏବେ ସେ ତଳକୁ ଯିବ କିପରି? କେତେ ସମୟ ପରେ ତାର ହଠାତ୍ ମନେପଡିଲା ଯେ ସେ କାଠଘୋଡା ବାହାରେ ଠିଆ ହୋଇଛି । ସେ ତୁରନ୍ତ ଯାଇ କାଠଘୋଡାରେ ବସିପଡିଲା ଏବଂ ମନ୍ତ୍ର ପଢି ଘରକୁ ଯିବା ପାଇଁ କହିଲା ।
ଚାହୁଁ ଚାହୁଁ ଘୋଡାଟି ଆକାଶରେ ଉଡି ଉଡି ଆସି ସିଧା ହେନେରୀର ଘର ପାଖରେ ଠକ କରି ଠିଆ ହୋଇଗଲା ।
ପରୀରାଣୀ ଦୁଆରମୁହଁରେ ହସହସ ମୁହଁରେ ହେନେରୀକୁ ପାଛୋଟି ନେଇଗଲେ । ପରୀରାଣୀ ଆଦରରେ ହେନେରୀର ମୁଣ୍ଡରେ ହାତ ବୁଲାଇବାକୁ ଲାଗିଲା – “ମାଆ ପାଇଁ ତୁ କେତେ କଷ୍ଟ କଲୁ । ଏବେ ତୋର ପୁଣି ଆଉ ଚିନ୍ତା କଅଣ! ଏଥର ମାଆକୁ ଅମୃତଚେର ଛୁଆଁଇ ଦେ, ଦେଖିବୁ ସବୁ ଠିକ୍ ହୋଇଯିବ ।
ହେନେରୀ ପରୀରାଣୀର କଥାନୁସାରେ ଯେମିତି ମା’ ଦେହ ମୁଣ୍ଡ ଚାରିଆଡେ ଅମୃତ ଚେର ଛୁଆଁଇ ଦେଇଛି, ହେନେରୀର ମା ତୁରନ୍ତ ନିଦରୁ ଉଠିଲା ପରି ଉଠି ବସି ପଡିଲା । ଏବେ ହେନେରୀର ଆନନ୍ଦ ଆଉ କିଏ ଦେଖେ । ମା’ କେତେଦିନପରେ ନିଜ ଚେତା ପାଇ ପୁଅକୁ ଗେଲ କରୁଥାଏ । ହେନେରୀ କହିଲା, “ମାଆ, ତୁ ଆଉ ଜୀବନ ପାଇ ନ ଥାନ୍ତୁ । ଏଇ ପରୀରାଣୀ ଯୋଗୁଁ ତୋର ପ୍ରାଣ ବଂଚିଗଲା ।”
ତାପରେ ପରୀରାଣୀ ହେନେରୀ ମା’କୁ ସବୁକଥା କହିଲା । ହେନେରୀ ପରି ପୁଅ ଜନ୍ମ କରି କୋଉ ମାଆ ଗର୍ବ ନ କରିବ । ପରୀରାଣୀର ଆଶୀର୍ବାଦରେ ହେନେରୀର ସମସ୍ତ ଅଭାବ ଅସୁବିଧା ଦୂର ହୋଇଗଲା ।
ତାପରେ ସେମାନେ ସୁଖରେ ଘରଦ୍ୱାର କରି ରହିଲେ ।