ଗୋଟାଏ ଗାଁରେ ଜଣେ ସାହୁକାର ରହୁଥିଲା । ସେ ଅନେକ ଟଙ୍କା କଉଡି ସଂଚୟ କରିଥିଲା । ବାପାଙ୍କଠାରୁ ଉତ୍ତରାଧିକାରୀ ସୂତ୍ରେ ଗୋଟାଏ ବିରାଟ ଫଳ ବଗିଚା ମଧ୍ୟ ସେ ପାଇଥିଲା । ସେଥିରେ ବହୁତ ଆମ୍ବ ଫଳୁଥିଲା । ସାହୁକାର ଆମ୍ବତକ ବିକ୍ରି କରି ନିଜ ସଂଚୟ ବଢାଇ ଚାଲିଥାଏ । ନିଜେ ଅତି ଗରୀବ ଭାବରେ ସେ ଚଳୁଥାଏ । ଯିଏ ନିଜ ପାଇଁ ଖର୍ଚ୍ଚ କରିବାକୁ ପ୍ରସ୍ତୁତ ନଥାଏ, ସେ ଅନ୍ୟ ପାଇଁ ଖର୍ଚ୍ଚ କରିବାର ପ୍ରଶ୍ନ ବା କାହିଁ ଉଠୁଛି?
ପାଚିଲା ଫଳ ସବୁ ଦେଖି ପ୍ରତିବେଶୀମାନେ ଅନେକ ସମୟରେ ଆତୁର ଭାବରେ ଅନାଉଥାନ୍ତି । କିନ୍ତୁ ସାହୁକାର ତା’ ଜୀବନରେ କାହାରିକୁ ମଧ୍ୟ ଗୋଟିଏ ହେଲେ ବି ଫଳ ଦେଉ ନଥାଏ ।
ଯେତେବେଳେ ଆମ୍ବ ପାଚିବା ସମୟ ହୁଏ, ସେତେବେଳେ ସେ ତିନିଜଣ ମଜୁରିଆ ଲଗାଇ ସେସବୁ ତୋଳି ଗଣାଗଣି କରି ରଖେ । ଜଣେ ବେପାରୀ ଆସି ଦରଦାମ ଛିଡାଇ ସେସବୁ ତାହାଠୁଁ କିଣି ବଜାରକୁ ପଠାଏ ।
ଦିନେ ମଜୁରିଆ ତିନିଜଣ ଆମ୍ବ ତୋଳୁଥାନ୍ତି । ସାହୁକାର ନିଜେ ମଧ୍ୟ ସେମାନଙ୍କ ସହ କାମ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ଉପରେ ଆଖି ବି ରଖିଥାଏ ।
ସେ ଦେଖିଲା ଜଣେ ମଜୁରିଆ ତଳେ ଖସି ପଡିଥିବା ଗୋଟିଏ ପାଚିଲା ଆମ୍ବ ଖାଉଛି । ସେ ସଙ୍ଗେ ସଙ୍ଗେ ଦୌଡିଯାଇ ପାଟିକରି କହିଲା, “ଚୋର ଧରା ପଡିଛି!”
ମଜୁରିଆ କହିଲା “ନା ବାବୁ, ମୁଁ ଚୋର ନୁହେଁ । ମୁଁ ତ ଆପଣଙ୍କ ଆଖି ଆଗରେ ଖାଉଛି । ଚୋର କେମିତି ହେଲି? ଏଇଟାର ଗୋଟାଏ ପାଖ ପଚି ଯାଇଛି । ତେଣୁ ବେପାରୀ ଏ ଗୋଟିକ ନିଅନ୍ତା ନାହିଁ । ମୁଁ ସକାଳେ କିଛି ଖାଇ ନଥିଲି । ତେଣୁ ଖାଇ ପକାଇଲି ।”
ସାହୁକାର କହିଲା “ତୁ ଯଦି ଚୋର ନୋହୁଁ, ତେବେ ଏହାର ଦାମ ଦେଇ ଦେ ।”
ମଜୁରିଆ ପଚାରିଲା “ବାବୁ, ଏ ପଚା ଆମ୍ବର ଦାମ୍ କେତେ?”
ସାହୁକାର କହିଲା “ତୋର ଦୁଇଦିନର ମଜୁରି । ତୁ ଗତକାଲି କାମ କରିଥିଲୁ । ଆଜି ସାରାଦିନ ବି କାମ କର । ହେଲେ ମଜୁରି ଆଶା କରନା ।”
“କ’ଣ କହିଲେ ବାବୁ? ଗୋଟାଏ ପଚା ଆମ୍ବର ଦାମ୍ ମୋର ଦୁଇଦିନର ମଜୁରି? ଆପଣ କ’ଣ ବେପାରୀକୁ ଏଇ ଦାମ୍ରେ ବିକନ୍ତି?”
ସାହୁକାର କହିଲା “ବେପାରୀ ସବୁ ଆମ୍ବ ଏକାବେଳେ ନିଏ । ଗୋଟାଏ ଗୋଟାଏ ବିକୁଥିଲେ ଏହି ଦାମ୍ରେ ବିକନ୍ତି!”
“ରଖନ୍ତୁ ଆପଣଙ୍କ କାମ । ମୁଁ ଆଉ ଆପଣଙ୍କ ପାଖେ କାମ କରିବି ନାହିଁ । ଏପରି ଅନ୍ୟାୟ ମଣିଷ ପକ୍ଷରେ ସହ୍ୟ କରିବା ଭାରି କଷ୍ଟ । ମୁଁ ଏଠୁ ଯାଉଛି ।” ଏତିକି କହି ମଜୁରିଆ କାମଦାମ ଛାଡି ସେଠାରୁ ଯିବାକୁ ବାହାରିଲା ।
“ତୋ ଇଚ୍ଛାରେ କ’ଣ ସବୁ ହେବ । ଏତେ ଯଦି ତୋତେ ବାଧିଗଲା ଟଙ୍କାଟା ଦେଇ ଦେଇ ଯା’ । ଟଙ୍କା ନ ଦେଇ ସେମିତି କୁଆଡେ ଚାଲିଯିବୁ?” ଏକଥା କହି ସେ ସାହୁକାର ଦୌଡି ଯାଇ ତା’ ହାତକୁ ଧରି ଝିଙ୍କିଲା ।
ମଜୁରିଆ ତ ରାଗି ଯାଇଥିଲା । ସେ ସାହୁକାର ହାତକୁ ଛିଂଚାଡି ଦେବାରୁ ସାହୁକାର ତଳେ ପଡିଗଲା ଓ ରାଗିଯାଇ ସେ ସବୁ ମଜୁରିଆଙ୍କ ଉପରେ ଗାଳି ଓ ଅଭିଶାପ ଦେବାକୁ ଲାଗିଲା । ପ୍ରଥମ ମଜୁରିଆ ତା’ ଆମ୍ବ ପଇସା ଦେଇଦେଲା ଓ କାମ ଛାଡି ଚାଲିଗଲା । ଅନ୍ୟ କେତେଜଣ ମଜୁରିଆ ତା’ର ଦୁର୍ଦ୍ଦଶା ଦେଖି ଓ ନିଜର ଭବିଷ୍ୟତ କଥା ଭାବି ସାହୁକାରଠାରୁ ବିଦାୟ ନେଇ କାମ ଛାଡି ଚାଲିଗଲେ ।
ତେଣିକି ସେ ସାହୁକାର ଆଉ ମଜୁରିଆ ରଖେ ନାହିଁ । ଆମ୍ବତକ ନିଜେ ତୋଳି ବେପାରୀକୁ ସେ ବିକ୍ରି କରେ । ଅନେକ ଆମ୍ବ ନଷ୍ଟ ହୋଇଯାଏ । ସେ ଗଛ ଚଢି ନ ପାରିବାରୁ ଅନେକ ଆମ୍ବ ସେହି ଗଛରେହିଁ ରହି ତଳେ ପଡି ଫାଟି ଯା’ନ୍ତି । ବେପାରୀ ସେଗୁଡିକ ନେବାକୁ ଆଦୌ ରାଜି ହୁଏ ନାହିଁ । ତଥାପି ମଧ୍ୟ ସେ ହିସାବ କରି ଦେଖିଲା ମଜୁରିଆମାନଙ୍କୁ ପଇସା ଦେଇ ରଖିବା ଅପେକ୍ଷା ଆମ୍ବ ଏପରି ଭାବରେ ନଷ୍ଟ ହେବାଟା ଯଥେଷ୍ଟ ଭଲ । କ୍ଷତିରେ ବିଶେଷ ତାରତମ୍ୟ ହେଉ ନାହିଁ । ମଜୁରିଆ ରଖିଲେ ସେମାନଙ୍କ ସହ ଝଗଡା ହେବ ଓ ଫଳରେ ସେ ମାଡ ଖାଇବା କିଛିବି ଅସମ୍ଭବ କଥା ନୁହେଁ ।
ଦିନେ ସେ ବଗିଚାରେ ବୁଲୁଛି, ଦେଖିଲାଗୋଟାଏ ଅଦ୍ଭୁତ ପକ୍ଷୀ ଗୋଟାଏ ଡାଳ ଉପରେ ବସି ଆମ୍ବଟାଏ ଖୁମ୍ପି ଚାଲିଛି । ଏସବୁ ଘଟଣା ଦେଖି ତା’ର ଭୀଷଣ କ୍ରୋଧ ହେଲା । ସେ ଯେଉଁ ଆମ୍ବ ନିଜେ ଖାଉନାହିଁ, ତାକୁ ପୁଣି ଏ ଛାର ପକ୍ଷୀ ଖାଇଯିବ? ସେ ପଛରୁ ଅତି ସତର୍କ ଭାବରେ ଧିରେ ଧିରେ ଯାଇ ଚଟ୍କିନା ସେହି ପକ୍ଷୀକୁ ଧରିନେଲା ।
ପକ୍ଷୀ ଖସି ଯିବାକୁ ଚେଷ୍ଟା କରି ନପାରି କହିଲା, “ବାବୁ, ମୋତେ ଛାଡିଦିଅ, ଛାଡିଦିଅ! ମୁଁ ତୁମକୁ ଏପରି ତିନୋଟି କଥା କହିବି, ଯାହା ଦ୍ୱାରା ତୁମର ଲାଭ ହେବ ।”
ପକ୍ଷୀ କଥା କହିବା ଦେଖି ସାହୁକାରର ବିସ୍ମୟର ସୀମା ଆଉ ରହିଲା ନାହିଁ । ଯେଉଁ ପକ୍ଷୀ କଥା କହି ପାରୁଛି, ସେ ନିଶ୍ଚୟ ଲାଭର ସୂତ୍ର ଜାଣିଥିବ ବୋଲି ତା’ର ବିଶ୍ୱାସ ହେଲା । ଲାଭ ବୋଇଲେ ଅବଶ୍ୟ ସେ କେବଳ ଆର୍ଥିକ ଲାଭକୁହିଁ ବୁଝୁଥିଲା ।
ସେ ପକ୍ଷୀକୁ ଛାଡି ଦେଲା । ପକ୍ଷୀ ଯାଇ ଗୋଟାଏ ଗଛଡାଳରେ ବସିପଡି କହିଲା, “ଶୁଣ । ଅନ୍ତତଃ ଯେଉଁ ସବୁ ଆମ୍ବ ବିକି ପାରୁନାହଁ, ତାକୁ ପ୍ରତିବେଶୀମାନଙ୍କୁ ଦେଇଦିଅ । ସେମାନେ ସନ୍ତୁଷ୍ଟ ହେବେ । ତମର ଲାଭ ହେବ ।”
ସାହୁକାର କ୍ରୋଧ-ଜର୍ଜର ହୋଇ ପାଟିକଲା “ଚୋପ୍!” ସେ ବିରକ୍ତ ହୋଇ କହିଲା “ଏଇ ଉପଦେଶ ଦେବାପାଇଁ ତୁ ଖସିଗଲୁ?”
ପକ୍ଷୀଟି କହିଲା “ଦ୍ୱିତୀୟ କଥା ଶୁଣ । ପାଚିଲା ଆମ୍ବରୁ ସବୁ ବିକ୍ରି ନକରି ନିଜେ ଅନ୍ତତଃ କିଛି ଖାଅ!”
ସାହୁକାର ପାଟି କଲା “ଠକ! ଦୁଷ୍ଟ!! ତୁ ମୋତେ ସେସବୁ ଶିଖାଇବାକୁ କିଏ?”
ପକ୍ଷୀଟି ପୁଣି କହିଲା “ତୃତୀୟ କଥା ଶୁଣ । ତୁମେ ନିଜେ ଯେ ବୋକା, ଏତକ ବୁଝିବାର ଚେଷ୍ଟା କର ।”
ସାହୁକାର ରାଗିଯାଇ ପୁଣି ସେହି ପକ୍ଷୀକୁ ଧରିବାକୁ ଚେଷ୍ଟା କରିବାରୁ ପକ୍ଷୀ ଗୋଟିଏ ଉପର ଡାଳକୁ ଉଡି ଚାଲିଗଲା ।
ସାହୁକାର ପାଟି କରି କହିଲା “ମୁଁ ବୋକା ବୋଲି କହିବୁ, ତୋର ଏଡେ ସାହସ?”
“ବୋକା ନୁହେଁ? ମୋ ଭିତରେ ମହଣେ ସୁନା ରହିଛି । ତମେ ମୋତେ ଧରି ପକାଇ ବି ଛାଡିଦେଲ । ତଥାପି କହୁଛ ତୁମେ ବୋକା ନୁହଁ?”
ପକ୍ଷୀ ଭିତରେ ମହଣେ ସୁନା ଥିବା କଥା ଶୁଣି ସେ ସାହୁକାରର ଆଖି ଖୋସି ହୋଇଗଲା । ସେ କିଛି ନକହି ଠିଆ ହୋଇ ରହିଲା । ତା’ପାଟିରୁ ଖାଲି ବାହାରିଗଲା, “ହାୟ!”
ପକ୍ଷୀ ଉଚ୍ଚ କଣ୍ଠରେ ହସି ଉଠିଲା ଓ କହିଲା, “ହଇ ହୋ ବାବୁ, ତମେ ତ ମୋତେ ହାତରେ ଧରିଥିଲ । ମୋ ଓଜନ କ’ଣ ମହଣେ ବୋଲି ମନେ ହେଉଥିଲା ଯେ ମୋ କଥା ଶୁଣି ହାୟ ହାୟ କରୁଛ? ଏବେ ବି ଭାବୁଛ ତମେ ବୋକା ନୁହଁ?
ସାହୁକାର ରାଗରେ ତଳୁ ଢେଲାଟାଏ ଉଠାଇ ନେଇ ପକ୍ଷୀଆଡେ ତାହା ଫୋପାଡିଲା । ପକ୍ଷୀ ଉଡି ଚାଲିଗଲା । କହିଗଲା, “ତମକୁ ଲକ୍ଷ୍ମୀ ମିଳିଥିଲା । କିନ୍ତୁ ତମେ ତାର ଯୋଗ୍ୟ ନୁହଁ ।”
ପକ୍ଷୀର ଗତିପଥକୁ ଚାହିଁ ସେ ସାହୁକାର ଆକାଶରେ ମେଘ ଘୋଟି ଆସୁଥିବାର ଦେଖିଲା । ଚାହୁଁ ଚାହୁଁ ଝଡ ବି ଆସିଗଲା । ସେ ନିଜ ଘର ଭିତରକୁ ଦୌଡି ପଳାଇଗଲା । ଦୀର୍ଘ ସମୟ ଧରି ଝଡ ହେଲା । ବଗିଚାରେ ପ୍ରଳୟ ହୋଇଗଲା । ସବୁ ଗଛ ଓଲଟି ପଡିଲେ । ସବୁ ଫଳ ବି ନଷ୍ଟ ହୋଇ ଗଲା ।
ସାହୁକାର କହିଲା, “ବାସ୍ତବିକ ଏ ଉଦ୍ୟାନ ଲକ୍ଷ୍ମୀ ଭଳି ଥିଲା । କିନ୍ତୁ ମୋର ଅତି ଲୋଭ ଯୋଗୁଁ ଲକ୍ଷ୍ମୀ ମୋତେ ଛାଡି ଚାଲିଗଲେ ।”