ସିଂଧୁକ ପକ୍ଷୀ ବସଂଦେହରେ ଜାଲ ଉପରେ ଆସି ବସି ପଡ଼ିବା ମାତ୍ରେ ବ୍ୟାଧ ଖୁବ୍ ଜୋରରେ କୁହାଟ ମାରିଲା । ତାହା ଦେଖି ସିଂଧୁକ ପକ୍ଷୀଟି ଖୁବ୍ ବ୍ୟସ୍ତ ହୋଇପଡ଼ିଲା । ତେଣୁ ତରବର ହୋଇ ପଳାଇ ଯିବାକୁ ଚେଷ୍ଟା କରିଲା ।
କିନ୍ତୁ ସିଂଧୁକ ପକ୍ଷୀ ଯେଉଁଥିଲାଗି ତରବର ହୋଇ ପଡ଼ୁଥିଲା, ତାହା କିନ୍ତୁ ତା’ ପାଇଁ ଶୁଭଫଳ ଯୁକ୍ତ ହେଲାନାହିଁ । ତରବରିଆ ଭାବରେ ଯେଉଁ କାର୍ଯ୍ୟ କରାଯାଏ ତାହା କେବେ ସଫଳତାର ରୂପ ନେଇନଥାଏ । ବର୍ତ୍ତମାନ ସେହି ତରବରିଆ କାରଣରୁ ସିଂଧୁକପକ୍ଷୀ ମୁକ୍ତ ହୋଇଯିବା ବଦଳରେ ଜାଲ ମଧ୍ୟରେ ଅଧିକରୁ ଅଧିକ ଛନ୍ଦି ହୋଇପଡ଼ିଲା । ସିଂଧୁକ ପକ୍ଷୀଟି ଜାଲରୁ ମୁକ୍ତ ହୋଇପାରିଲା ନାହିଁ । ବରଂ ନିର୍ବଳ ହୋଇପଡ଼ିଲା । ବ୍ୟାଧପାଇଁ ସିଂଧୁକକୁ ଧରିନେବା ଲାଗି ସହଜ ହେଲା, ସେ ସଙ୍ଗେ ସଙ୍ଗେ ପକ୍ଷୀଟିକୁ ମାଡ଼ିବସିଲା ଓ ଖୁବ୍ ଆୟତକରି ନିଜର ପଞ୍ଜୁରି ମଧ୍ୟରେ ପୂରାଇ ଦେଲା । ଲୋଭବଶତଃ ହେଉ ଅଥବା ତା’ର ବୃତ୍ତି ବଶତଃ ହେଉ ସିଂଧୁକ ପକ୍ଷୀଟିକୁ ଧରି ପଞ୍ଜୁରି ମଧ୍ୟରେ ପୂରାଇ ଦେବାପରେ ଏବେ ସେ ଆଉ ଏକ ଭାବନାରେ ପଡ଼ିଗଲା ।
ବ୍ୟାଧ ଏବେ ବାସ୍ତବତା ମଧ୍ୟକୁ ଫେରି ଆସି ଭାବିଲା, ଏହି ପକ୍ଷୀ ମୋଦ୍ୱାରା କେବେ ବଧ ବା ଖାଦ୍ୟ ହୋଇପାରିବ ନାହିଁ । କାରଣ କୌଣସି ଦିନ ସେ ଏପରି ସ୍ୱର୍ଣ୍ଣପୁରୀଷ ପକ୍ଷୀ ଦେଖିନଥିଲା । ଏପରି ସୁବର୍ଣ୍ଣ ମଳତ୍ୟାଗ କରୁଥିବା ପକ୍ଷୀ ବିଷୟରେ ଯଦି କୌଣସି ଚୋର ଖଣ୍ଟ ଜାଣନ୍ତି ତାହାହେଲେ ତା’ର ପୈତୃକ ଜୀବନଟି କେତେବେଳ ସ୍ୱର୍ଗକୁ ଚାଲିଯିବ ତାହା ସେ ଜାଣିପାରିବ ନାହିଁ ।
ଏହାପରେ ଏପରି ପକ୍ଷୀ ଗୁଣ କଥା ଯେବେ ରାଜାଙ୍କ କାନରେ ପଡ଼େ, ତାହାହେଲେ ଘଟଣା ଯେ ଯାଇ କେଉଁଠାରେ ପହଞ୍ଚିବ । ତେଣୁ ବିପଦ ହିଁ ଆଜିଠାରୁ ତା’ର ପିଛା ଛାଡ଼ିବ ନାହିଁ । ତେଣୁ ସବୁଠାରୁ ବିବେକର ମୂଲ୍ୟବାନ କଥା ହେବ ପକ୍ଷୀଟିକୁ ନିଜ ପାଖରେ ନରଖି ସେ ରାଜ୍ୟର ରାଜାଙ୍କ ନିକଟରେ ପହଞ୍ଚାଇ ଦେଇ ପକ୍ଷୀଟିର ଏହି ଅଦ୍ଭୂତ ଗୁଣବାବଦରେ ଜଣାଇ ଦେଇ ରାଜାଙ୍କୁ ପ୍ରଦାନ କରି ଦେବ କାରଣ ସେପରି ପକ୍ଷୀକୁ ରଖି ସେ ଯେଉଁ ବିପଦକୁ ବରଣ କରିବାକୁ ଭାବୁଛି ବରଂ ସେ ସେଥିରୁ ତ୍ରାହି ପାଇଯିବ ଓ ଏଥିଲାଗି ରାଜାଙ୍କଠାରୁ ଅବଶ୍ୟ ପୁରସ୍କାର ବି ପାଇପାରିବ ।