ବିଲୁଆଟି ଡରିଯାଇ ପ୍ରଥମେ ଦୌଡି ପଳାଇଥିବାରୁ ସିଂହ ଛୁଆଦୁଇଟି ମଧ୍ୟ ଭୟଭୀତ ହୋଇଗଲେ । ଘରେ ପହଁଚିବା ପରେ ବାପା, ମା’ଙ୍କ ନିକଟରେ ବଡଭାଇ କିପରି ଭୟରେ ଡିଆଁ ମାରି ପଳାଇ ଆସିଲା, ସେ ସଂପର୍କରେ ବର୍ଣ୍ଣନା କଲେ । ଭାଇମାନଙ୍କର ଏପରି ବ୍ୟବହାର ବିଲୁଆ ଛୁଆର ମନରେ ଗଭୀର ଆଘାତ ଦେଲା । ସେ ଭୀଷଣ ଭାବରେ ରାଗିଗଲା । ରାଗରେ ତା’ର ଆଖି ଯୋଡିକରୁ ସତେ ଯେପରି ନିଆଁ ବାହାରୁଥିଲା । ସେ ସିଂହ ଛୁଆମାନଙ୍କୁ ନାନାଦି କଟୁକଥା କହିଲା । ବିଲୁଆର ଏତାଦୃଶ ଆଚାରଣ ଦେଖି ମା’ସିଂହୀ ତାକୁ ଏକାନ୍ତରେ କହିଲା, “ବାପାରେ! ସେମାନେ ହେଲେ ତୋର ସାନ ଭାଇ ।’ ସାନ ମାନଙ୍କୁ ଏପରି ଗାଳିଦେବା ଠିକ୍ କଥା ନୁହେଁ ।”
ମା’ର କଥାକୁ ଭୂକ୍ଷେପ ନକରି ବିଲୁଆଛୁଆ କହିଲା, “ମା! ମୁଁ ସେମାନଙ୍କ ଠାରୁ ବଡ । ବିଦ୍ୟା, ବୁଦ୍ଧି, ଏପରିକି ରୂପରେ ମଧ୍ୟ ମୁଁ ସେମାନଙ୍କ ଠାରୁ ଆଗୁଆ । ସେମାନେ କଦାପି ମୋର ସମକକ୍ଷ ହୋଇପାରିବେ ନାହିଁ । ସେମାନେ ମୋ ସହିତ ଥଟ୍ଟା ପରିହାସ କରି ମୋତେ ଅପମାନିତ କରିଥିବାରୁ ମୁଁ ସେମାନଙ୍କୁ ମାରିଦେବି । ବିଲୁଆର କଥା ଶୁଣି ସିଂହୀ ମନେ ମନେ ହସି ହସି କହିଲା, ‘ବାପାରେ’! ହୋଇପାରିଥାଉ ତୁ ରୂପରେ, ବିଦ୍ୟାରେ, ବୁଦ୍ଧିରେ ଆଗୁଆ । କିନ୍ତୁ ତୁ ଯେଉଁ ବଂଶରେ ଜନ୍ମଲାଭ କରିଛୁ ସେହି ବଂଶରେ କେହି କେବେ ହାତୀ ମାରିନାହାନ୍ତି । ତୁ ହେଉଛୁ ଏକ ବିଲୁଆର ସନ୍ତାନ । ମୋର ସ୍ୱାମୀ ତୋ’ ପ୍ରତି ଦୟା ଦେଖାଇ ତୋତେ ବାଟରେ ପାଇ ମୋତେ ଦେବାରୁ ମୁଁ ତୋତେ କ୍ଷୀର ପିଆଇ ବଂଚାଇଥିଲି । ମୋର ଛୁଆଦୁଇଟି ଆଜିପର୍ଯ୍ୟନ୍ତ ତୁ ଏକ ବିଲୁଆ ଛୁଆ ବୋଲି ଜାଣି ନାହାନ୍ତି । ଯେଉଁ ଦିନ ସେମାନେ ଏ କଥା ଜାଣିବେ, ସେମାନେ ତୋତେ ମାରିବାକୁ ଚେଷ୍ଟା କରିବେ । ତେଣୁ ସେମାନେ ଏ କଥା ଜାଣିବା ପୂର୍ବରୁ ତୁ’ ଏହି ସ୍ଥାନ ଛାଡି ଚାଲିଯା । ମା’ ସିଂହୀର କଥା ଶୁଣି ବିଲୁଆ ମନେ ମନେ ଡରିଗଲା ଓ ସଂଗେ ସଂଗେ ସେହି ସ୍ଥାନ ଛାଡି ପଳାଇଲା ।
କାହାଣୀଟି କହିସାରି ରାଜା କୁମ୍ଭାରକୁ କହିଲେ, ‘ମୋର ସୈନ୍ୟ ସାମନ୍ତ ମାନେ ତୁମେ ଏକ କୁମ୍ଭାର ବୋଲି ଜାଣିବା ଆଗରୁ ତୁମେ ଏହି ସ୍ଥାନ ଛାଡି ପଳାଅ । ରାଜାଙ୍କ କଥା ଶୁଣି କୁମ୍ଭାର ସଂଗେ ସଂଗେ ସେହି ସ୍ଥାନ ତ୍ୟାଗ କଲା । ଏହାପରେ ମାଙ୍କଡଟି କୁମ୍ଭୀରକୁ କହିଲା, ‘ତୁମେ ସ୍ତ୍ରୀର ବୁଦ୍ଧିରେ ପଡି ବନ୍ଧୁ ସହିତ ବିଶ୍ୱାସ ଘାତକତା କଲ । ସ୍ତ୍ରୀ ମାନଙ୍କୁ କଦାପି ବିଶ୍ୱାସ କରି ସେମାନଙ୍କ କଥାରେ କୌଣସି କାର୍ଯ୍ୟ କରିବ ନାହିଁ । ସେପରି କରିଥିବାରୁ ବ୍ରାହ୍ମଣ ଜଣକ ଜୀବନରେ ଅନୁତାପ କରିଥିଲା ।
କୁମ୍ଭୀର ପଚାରିଲା, ‘ବ୍ରାହ୍ମଣ କାହିଁକି ଅନୁତାପ କଲା’? କୁମ୍ଭୀର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମାଙ୍କଡ ସେହି କାହାଣୀଟି କହିବାକୁ ଆରମ୍ଭ କଲା ।