ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ସେତେବେଳେ ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ଏଥି ସହିତ ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ମଧ୍ୟ ଦିଶିଯାଉଥାଏ ।
କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ତାକୁ କାନ୍ଧରେ ପକାଇ ସେ ସେହି ଶୂନ୍ଶାନ୍ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେ ବେତାଳ କହିଲା, “ରାଜା, ତୁମେ ଯେ ଏଭଳି ପରିଶ୍ରମ କରୁଛ, ସେଥିରୁ କି ପ୍ରକାର ଲାଭ ଆଶା କରୁଛ? ଅବଶେଷରେ ଯେତେବେଳେ ତୁମ ଲକ୍ଷ୍ୟ ପୂରଣ ହେବ, ସେତେବେଳଯାଏଁ ତୁମର ସେଭଳି ଲାଭ ପ୍ରତି ଆକର୍ଷଣ ଅତୁଟ ଥିବ ତ? ମୋ ପ୍ରଶ୍ନଟିର ତାତ୍ପର୍ଯ୍ୟ ବୁଝାଇଦେବା ନିମନ୍ତେ ମୁଁ ତୁମକୁ ଗୋଟିଏ ଘଟଣା କହୁଛି । ଏ କାହାଣୀର ପ୍ରଥମ ଭାଗ ତ ପ୍ରାୟ ସମସ୍ତେ ଜାଣନ୍ତି । ତାହା ହେଲା ତିନି ଯୁବକ ଗୋଟିଏ ସିଂହକୁ ଜୀବନ ଦେବା କଥା । ତେବେ ଯେଉଁ ଅଂଶଟି ସମସ୍ତଙ୍କୁ ଅଜଣା, ସେ ଅଂଶଟି କହିବା ପୂର୍ବରୁ ତମ ସୁବିଧା ପାଇଁ ଜଣା ଅଂଶଟି ବି କହୁଛି । ମନଦେଇ ତାହା ଶୁଣ, ଶୁଣିଲେ ତୁମର ଶ୍ରମଭାର ନିଶ୍ଚୟ ଲାଘବ ହେବା ମନେ ହେବ ।”
ଏହାପରେ ସେ ବେତାଳ ଗପିଲା: କେତେ ପୁରୁଷ ତଳର କଥା । ଋଷି ତ୍ରିଦେବ ଜଣେ ସୁଦକ୍ଷ ଆଚାର୍ଯ୍ୟ ଥିଲେ । ତାଙ୍କ ଗୁରୁକୂଳରେ କେତେଜଣ ସମ୍ଭ୍ରାନ୍ତ ବଂଶର ତରୁଣମାନଙ୍କ ସହ ତିନି ରାଜପୁତ୍ର ମଧ୍ୟ ଅଧ୍ୟୟନ କରୁଥିଲେ । ସେମାନଙ୍କ ଭିତରୁ ଜଣେ ପାଟରାଣୀଙ୍କ ପୁଅ – ଭାବି ଯୁବରାଜ ତଥା ଭାବି ରାଜା । ଅନ୍ୟ ଦୁଇଜଣ ହେଲେ ତାଙ୍କ ବିମାତାଙ୍କ ପୁତ୍ର ।
ଇତିହାସରେ ତ ଅସାଧାରଣ, ସାଧାରଣ ଓ ମନ୍ଦ – ତିନି ପ୍ରକାର ରାଜପୁତ୍ରଙ୍କ ନଜୀର ଅଛି । ଅସାଧାରଣମାନେ ଦୁର୍ଲଭ । ଏ ତିନି ରାଜପୁତ୍ର ସାଧାରଣ ଥିଲେ । ଗୁରୁ ସେମାନଙ୍କୁ ଯେତିକି ଯାହା ଶିକ୍ଷା ଦେଉଛନ୍ତି, ସେସବୁ ସେମାନେ କର୍ତ୍ତବ୍ୟନିଷ୍ଠ ଭାବରେ ଶିଖିବାର ପ୍ରୟାସ କରୁଥାନ୍ତି, କିନ୍ତୁ ଆଶ୍ରମର ଗୋଟିଏ ନିର୍ଦ୍ଦିଷ୍ଟ କୋଠରୀରେ ସାଇତା ଥିବା ବିଶେଷ ଧରଣର କେତେକ ପୋଥି ପଢି ପକାଇବା ପାଇଁ ସେମାନଙ୍କର ପ୍ରବଳ ଆଗ୍ରହ ଥାଏ । ସେସବୁ ପୋଥି ତନ୍ତ୍ର ତଥା ନାନା ହବୁବିଦ୍ୟା ସମନ୍ଧିତ । ହବୁବିଦ୍ୟା ପ୍ରତିହିଁ ରାଜପୁତ୍ରମାନଙ୍କର ଆକର୍ଷଣ ଥାଏ ସର୍ବାଧିକ । ଋଷିଙ୍କ ଅଜ୍ଞାତସାରାରେ ସେ ତିନିହେଁ କିଛି କିଛି ହବୁବିଦ୍ୟା ଆୟତ୍ତ କରିନେଉଥାନ୍ତି ।