ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସିଂହ ଓ ସାଧକ

      ଦିନେ ଦୁଇଜଣ ପଥିକ ଆଶ୍ରମରେ ନିଶିଯାପନ କଲେ । ସେମାନଙ୍କଠୁଁ ରାଜପୁତ୍ରମାନେ ଶୁଣିଲେ କି ରାଜା ଅସୁସ୍ଥ । ସେତେବେଳକୁ ତ ସେ ରାଜପୁତ୍ରମାନଙ୍କ ଶିକ୍ଷାଲାଭ ପ୍ରାୟତଃ ସରି ଆସିଲାଣି । ତେଣୁ ସେମାନେ ଉତ୍କଣ୍ଠାବଶତଃ ରାଜଧାନୀକୁ ଚାଲିଯିବାକୁ ଇଚ୍ଛା ପ୍ରକାଶ କଲେ । ଏହା ଶୁଣି ଗୁରୁ କହିଲେ, “ରାଜା ତମମାନଙ୍କୁ ଦେଖିବାକୁ ମନକଲେ ଅବଶ୍ୟ ସେ ତାଙ୍କ ଦୂତ ପଠାଇବେ । ତେଣୁ ସେପର୍ଯ୍ୟନ୍ତ ତୁମେମାନେ ଟିକେ ଥୟ ଧର ।”

      କିନ୍ତୁ ସେ ରାଜପୁତ୍ରମାନଙ୍କ ଦ୍ୱାରା ଆଉ ଯାହା କିଛି ହେଉ କି ନହେଉ, ଥୟଧାରଣଟି କିନ୍ତୁ ଜମାରୁ ହେଉ ନଥିଲା । ଗୁରୁଙ୍କ ପରାମର୍ଶ ଶୁଣିବା ମାତ୍ରେ ସେମାନଙ୍କ ଆଖିରୁ ଖସିଆସିବା ଥୋପା ଥୋପା ଅଶ୍ରୁ ସେମାନଙ୍କର ଅତ୍ୟନ୍ତ ଗୋଲ୍ଗାଲ୍ ଚିବୁକ ଉପରେ ମାତ୍ରାଧିକ କରୁଣ ଦେଖାଗଲା ଏବଂ ତାହା ଦେଖି ଗୁରୁ ଅଗତ୍ୟା କହିଲେ, “ଆଚ୍ଛା, ଯିବ ଯଦି ଯାଅ । କିନ୍ତୁ ତମ ସାଙ୍ଗରେ କାହାକୁ ମୁଁ ପଠେଇବି, ଏବେ ତାହାହିଁ ମୋପାଇଁ ବଡ ଚିନ୍ତାର ବିଷୟ ।”

      ବିଦ୍ୟାର୍ଥୀମାନଙ୍କ ଭିତରେ ଧୀମାନ୍ ଥିଲେ । ସେ ଋଷିଙ୍କ ଅନ୍ତରଙ୍ଗ ଶିଷ୍ୟ ଥିଲେ । ତ୍ରିଦେବ ଥରେ ଥରେ ତାଙ୍କ ଅନ୍ତେ ସେହି ତରୁଣଙ୍କୁ ହିଁ ଗୁରୁକୂଳର ପରିଚାଳକ ଭାବେ ଅଧିଷ୍ଠିତ କରିବାକୁ ଭାବୁଥାନ୍ତି ।

      ତା’ ସଙ୍ଗେ ସଙ୍ଗେ ସେ ଋଷି ଏହାବି ବୁଝୁଥିଲେ ଯେ ଧୀମାନ୍ଙ୍କ ଭିତରେ କିଛି ସାମାଜିକ ଉଚ୍ଚାକାଂକ୍ଷା ରହିଛି । ଭଲ ଉପାର୍ଜନ କରିବେ, ନିଜେ ସୁଖରେ ରହି ଜନସାଧାରଣଙ୍କର ମଙ୍ଗଳ କରିବେ, ସେ ଏଭଳି ଚିନ୍ତା ବି କରୁଥିଲେ । ବାସ୍ତବିକ୍, ଧୀମାନ୍ ଯେତିକି ଜ୍ଞାନୀ ଥିଲେ, ତାଙ୍କ ଭିତରେ ସାଂସାରିକ ବୁଦ୍ଧି ପ୍ରଖରତା ବି ସେତିକି ଥିଲା ।

      ଗୁରୁ ତ୍ରିଦେବ ଭାବି-ଯୁବରାଜଙ୍କୁ ପ୍ରଶ୍ନ କଲେ “ଆଚ୍ଛା, ଧୀମାନ୍ ତୁମ ସହ ଗଲେ କ’ଣ ତାହା ଠିକ୍ ହେବ?”

      ତହୁଁ ସେ ଭାବି-ଯୁବରାଜ ଉତ୍ଫୁଲ୍ଲ ହୋଇ କହିଲେ, “ତାହାଠୁଁ ଅଧିକ ଅନୁକୂଳ ବ୍ୟବସ୍ଥା ଆଉ କ’ଣ ବା ହୋଇପାରେ, ଗୁରୁଦେବ?”

      ଏକଥା ଶୁଣି ଗୁରୁ ତ୍ରିଦେବ କହିଲେ “ବେଶ୍ । ତେବେ ମୁଁ ଧୀମାନ୍କୁ ତାହା କହି ଦେଖୁଛି । ସେ ଯଦି ତୁମ ସହ ଯିବାକୁ ତଥା ରାଜଧାନୀରେ ରହିବାକୁ ରାଜି ହେବ, ତେବେ ତୁମେ ତାକୁ ତୁମର ପରାମର୍ଶଦାତା ଭାବେ ନିଯୁକ୍ତ କରିପାର । ଭବିଷ୍ୟତରେ, ତମେ ସିଂହାସନ ଆରୋହଣ କଲେ, ତାକୁ ମହାମନ୍ତ୍ରୀ ବି କରିପାର ।”

      ତା’ପରେ ଭାବି-ଯୁବରାଜ ତଥା ଅନ୍ୟ ଦୁଇ ରାଜପୁତ୍ର କହିଲେ “ଗୁରୁଦେବ! ଆପଣଙ୍କ ପରାମର୍ଶ ଆମର ଶିରୋଧାର୍ଯ୍ୟ ।”

      ଧୀମାନ୍ ଗୁରୁଙ୍କ ପ୍ରସ୍ତାବରେ ପ୍ରଥମେ ଚମକି ପଡିଲେ । ମୃଦୁ ପ୍ରତିବାଦ କରି ସେ କହିଲେ, “ମୁଁ କ’ଣ ଏଠାରେ ରହି ଆପଣଙ୍କ ସେବା କରିବା ପାଇଁ ଯୋଗ୍ୟ ନୁହେଁ?”


ଗପ ସାରଣୀ

ତାଲିକାଭୁକ୍ତ ଗପ