ତହୁଁ ଗୁରୁ କହିଲେ “ବତ୍ସ! ତୁ ତ ସେଥିପାଇଁ ସୁଯୋଗ୍ୟ । ସଙ୍ଗେ ସଙ୍ଗେ ଉତ୍ତମ ମାର୍ଗରେ ନିଜର ସାଂସାରିକ ଶ୍ରୀବୃଦ୍ଧି ନିମନ୍ତେ ମଧ୍ୟ ତୁ ବହୁତ ଯୋଗ୍ୟ । ଏ ଦୁଇ ଯୋଗ୍ୟତା ଭିତରୁ କେଉଁ ଗୋଟିକ ତୋର ଶ୍ରେୟ ହେବ, ତାହା ତ କେବଳ ଭବିଷ୍ୟତ ହିଁ ନିର୍ଣ୍ଣୟ କରିବ । ତୁ ଏବେ ଯାଆ । ପରିସ୍ଥିତି ବିଷମ ହେଲେ ଯେ କୌଣସି ମୁହୂର୍ତ୍ତରେ ତୁ ସେଠାରୁ ଖସି ଆସିବୁ ।”
ଧୀମାନ୍ ଏଥର ରାଜି ହେଲେ । ପରଦିନ ପ୍ରତ୍ୟୁଷରେ ସେ ତିନି ରାଜପୁତ୍ରଙ୍କ ସହ ବହିର୍ଗତ ହେଲେ । ପଥ ଦୀର୍ଘ । ମଧ୍ୟାହ୍ନ ବେଳକୁ ସଭିଏଁ ଗୋଟିଏ ଝରଣା କଡରେ ବିଶ୍ରାମ କରିବା ସଙ୍ଗେ ସଙ୍ଗେ ଆଶ୍ରମରୁ ନେଇଥିବା ଖାଦ୍ୟର ସଦୁପଯୋଗ କଲେ । ପରେ ପରେ କନିଷ୍ଠ ରାଜପୁତ୍ର ଅଦୂରରେ କିଛି ଅସ୍ଥି କଙ୍କାଳ ପଡିଥିବାର ଦେଖି ହାତତାଳି ଦେଇ କହିଲେ, “ଦେଖ ଦେଖ, ମୁଁ ଏପରି ମନ୍ତ୍ର ପଢିବି, ଏସବୁ ବିକ୍ଷୀପ୍ତ ଅସ୍ଥି ଏକତ୍ର ହୋଇ ପରିପୂର୍ଣ୍ଣ କଙ୍କାଳ ବନିଯିବେ ।”
ତା’କଥା ଶୁଣି ମଧ୍ୟମ ରାଜପୁତ୍ର କହିଲେ “ଆଉ ମୁଁ? ଏମିତି ମନ୍ତ୍ର ପଢିଦେବି ଯେ ସେ କଙ୍କାଳ ଉପରେ ରକ୍ତମାଂଶର କଳେବର କଅଁଳି ଉଠିବ ।”
ଏହାପରେ ଭାବି ଯୁବରାଜ କହିଲେ “ହାଃ ହାଃ, ଆଉ ମୋତେ ଜଣା ସେ ଦେହରେ ଜୀବନ୍ୟାସ ଦେବାର ସୂତ୍ର ।”
କିନ୍ତୁ ଧୀମାନ୍ ସେମାନଙ୍କୁ ପାଟିକରି କହିଲେ “ସାବଧାନ!” କିନ୍ତୁ ରାଜପୁତ୍ରମାନେ ସେତେବେଳେ ନିଜ କୃତିତ୍ୱ ଉପଭୋଗ କରିବାର ଆଶାରେ ପୁରାପୁରି ମସ୍ଗୁଲ୍ ଥିଲେ ।
ଚାହୁଁ ଚାହୁଁ ଅସ୍ଥିତକ ଯୋଡି ପୂର୍ଣ୍ଣାଙ୍ଗ କଙ୍କାଳ ହୋଇଗଲା । ପର ମୁହୂର୍ତ୍ତରେ ତହିଁ ଉପରେ ଫୁଟି ଉଠିଲା କଳେବର – ଗୋଟିଏ ବିରାଟ ସିଂହର!
କନିଷ୍ଠ ରାଜପୁତ୍ର କହିଲେ “ଭାଇ! ତମେ ସିଂହ ଚଢି ରାଜଧାନୀରେ ପ୍ରବେଶ କରିବ । ଆମେ ଦୁଇକଡରେ ସିଂହ ଉପରେ ହାତ ଥୋଇ ଚାଲିବୁଁ । ଲୋକେ ଯେମିତି ଏସବୁ ଦେଖି ଚକିତ ହେବେ, ସେମିତି ମୁଗ୍ଧ ବି ହେବେ ।”
“ଯୁବରାଜ! ଖବରଦାର୍! ତମ ମନ୍ତ୍ର ତମେ ପ୍ରୟୋଗ କରିବାରୁ କ୍ଷାନ୍ତ ହୁଅ!” ଧୀମାନ୍ ଏହା କହିବା ବେଳକୁ ଯୁବରାଜଙ୍କ କଣ୍ଠରୁ ତୃତୀୟ ମନ୍ତ୍ର ନିର୍ଗତ ହୋଇ ସାରିଲାଣି ।
ଧୀମାନ୍ ତତକ୍ଷଣାତ୍ ଗୋଟିଏ ଗଛ ଉପରେ ଚଢିଗଲେ । ଭୀଷଣ ଗର୍ଜନ ଛାଡି, ଦେହ ଝାଡିଝୁଡି, ସେ ସିଂହ ଉଠି ଠିଆ ହେଲା ଓ ବେଶ୍ ଅଭିଜାତ୍ ଢଙ୍ଗରେ ଲାଞ୍ଜ ଆନ୍ଦୋଳନ କରି ଇତସ୍ତତଃ ଦୃଷ୍ଟିପାତ କଲା ।