ସେତେବେଳକୁ, ମୁହୂର୍ତ୍ତକ ପୂର୍ବରୁ ସେ ଆହ୍ଲାଦିତ ରାଜଯୁବାଗଣ ପରସ୍ପର ଜାବୁଡି ଧରି ଗୋଟାପଣ ଥରୁଥାନ୍ତି । ସିଂହ ସେମାନଙ୍କ ଆଡକୁ ଦୁଇ ପାହୁଣ୍ଡ ଅଗ୍ରସର ହେବା ବେଳକୁ ସେମାନେ ସମୂହ ଅସ୍ଫୁଟ ଆର୍ତ୍ତନାଦ ମାତ୍ର କରି ପାରିଲେ । ପରେ ପରେ ସେମାନଙ୍କ ପାଟିରେ ସତେ ଯେମିତି ଜାବ ପଡିଗଲା ।
ସିଂହ ଲମ୍ଫ ଦେବାକୁ ଉଦ୍ୟତ ହେଲା ।
ଧୀମାନ୍ ବୃକ୍ଷ ଉପରୁ ଉଦାତ କଣ୍ଠରେ କହିଲେ “ଥୟ ଧର, ସିଂହ!”
ତାଙ୍କ କଥା ଶୁଣି ସିଂହ ହଠାତ୍ ରହିଗଲା ଓ ଧୀମାନ୍ଙ୍କୁ ଠାବ କରି ତାଙ୍କ ଉପରେ ନିଜର ବିସ୍ମିତ ଦୃଷ୍ଟି ନିବଦ୍ଧ କଲା ।
ଧୀମାନ୍ କହିଲେ, “ସିଂହବର! ଯେଉଁ ତିନି ଯୁବକ ତୁମକୁ ଜୀବନ ଦେଲେ, ତୁମେ ସେହିମାନଙ୍କୁ ଭକ୍ଷଣ କରିବା କେତେଦୂର ଯୁକ୍ତିଯକ୍ତ କାର୍ଯ୍ୟ?”
ସିଂହ ଧୀମାନ୍ଙ୍କ ଆଡେ ବଲ ବଲ ଅନାଇ ସତେ ଅବା ଅବସ୍ଥା ଆକଳନ କରିବାର ପ୍ରୟାସ କଲା ଓ ତା’ପରେ ସେ କହିଲା, “ମହାଶୟ! ସେମାନେ ମୋତେ ଜୀବନ ଦେବା କଥା ମୁଁ ବା କାହୁଁ ଜାଣନ୍ତି? ସେ ଯାହାହେଉ, ମୋତେ ଜୀବନ ଦେବା ସଙ୍ଗେ ସଙ୍ଗେ ସେମାନେ ମୋ କ୍ଷୁଧାକୁ ମଧ୍ୟ ଜୀବନ ଦେଲେ । ହୁଏତ ଏ କ୍ଷୁଧା ଏକ ଶତାଦ୍ଦୀର କ୍ଷୁଧା । ଏ ଯନ୍ତ୍ରଣା ତୁମେ ଅନ୍ଦାଜ କରି ପାରିବ ନାହିଁ । ପରେ ଅବଶ୍ୟ ସ୍ୱାଭାବିକ ରୀତିରେ ମୁଁ ପଶୁ ଶୀକାର କରି ପ୍ରାଣ ଧାରଣ କରିବି । କିନ୍ତୁ ଏହି ମୁହୂର୍ତ୍ତରେ ବଳ ପାଇବା ପାଇଁ ଏମାନଙ୍କ ଛଡା ମୋ ପାଇଁ ଆଉ କିଛି ବି ଖାଦ୍ୟ ନାହିଁ?”
ଧୀମାନ୍ ଧାପେ ତଳ ଶାଖାକୁ ଅବତରଣ କରୁଁ କରୁଁ କହିଲେ “ଖାଦ୍ୟ ଅଛି, ପଶୁରାଜ! ଆଉ ସେ ଖାଦ୍ୟ ହେଉଛି ମୁଁ । ମୁହୂର୍ତ୍ତେ ଧୈର୍ଯ୍ୟ ଧର ।”
ଏହା ଶୁଣି ସେ ସିଂହର ନୟନ ଯୁଗଳରେ ହଠାତ୍ ବିମର୍ଷ ଭାବ ଫୁଟି ଉଠିଲା । ସେ ପ୍ରଶ୍ନ କଲା, “ମହାଶୟ! ଜୀବନର ଲକ୍ଷ୍ୟ କ’ଣ?”
ଧୀମାନ୍ କହିଲେ “ଜୀବନର ଲକ୍ଷ୍ୟ, ଅନ୍ଧକାର ଭିତରୁ ଆଲୋକ ଅଭିମୁଖରେ, ଅଜ୍ଞାନ ଭିତରୁ ଜ୍ଞାନ ଲାଭ ଦିଗରେ ଗତି-ଅର୍ଥାତ୍ ପ୍ରଗତି ।”
ସିଂହ ପ୍ରଶ୍ନ କଲା “ବେଶ୍ । ମୋ ପ୍ରାଣଦାତାଙ୍କ ସମ୍ପର୍କରେ ମୁଁ ଅଜ୍ଞାନ ଥିଲି । ଆପଣ ମୋତେ ସେ ଜ୍ଞାନ ଦେଲେ । ଅନ୍ୟ କଥାରେ, ଆପଣ ମୋର ଦିଗ ଦ୍ରଷ୍ଟା । ଯଦି ଆପଣଙ୍କୁହିଁ ଭକ୍ଷଣ କରି ମୋତେ ମୋ ଜୀବନ ଧାରଣ କରିବାକୁ ହେବ, ତେବେ ଜୀବନ ଧାରଣ କରିବାର ଯଥାର୍ଥ ଆଉ ରହିଲା ବା କେଉଁଠି?”
ଧୀମାନ୍ କହିଲେ “ଶୁଣ ସିଂହ! ମୁଁ ଯେମିତି ସେ ତିନି ଯୁବକଙ୍କ ନିରାପତ୍ତା ପାଇଁ ଦାୟୀ, ଠିକ୍ ସେହିପରି ତୁମକୁ ତୁମ ସ୍ୱନିର୍ବାଚିତ ଆହାରରୁ ବଂଚିତ କରୁଥିବା ଯୋଗୁଁ ଅନ୍ୟ ଆହାର ଯୋଗାଇଦେବା ପାଇଁ ମଧ୍ୟ ମୁଁ ବାଧ୍ୟ । ଅତଏବ ଆଉ କୌଣସି ପ୍ରକାର ଦ୍ୱିଧା ସଙ୍କୋଚ ନକରି ମୋ ଦ୍ୱାରା ତୁମର ଭୟଙ୍କର କ୍ଷୁଧା ପ୍ରଶମିତ କର!”