ଧୀମାନ୍ଙ୍କ ପ୍ରସ୍ତାବରେ ସିଂହ ପ୍ରାୟ ବିଦ୍ରୋହୀ ହୋଇ ଉଠିଲା । ଦୁହିଁଙ୍କ ଭିତରେ ଆହୁରି କିଛି ସମୟ ଧରି ତର୍କ ବିତର୍କ ଚାଲିଲା । ଅବଶେଷରେ ସିଂହ କହିଲା, “ମହାତ୍ମା! ଗୋଟିଏ ଜୀବନକାଳ ଭିତରେ ମୋ ଚେତନାରେ ଯେତିକି ପ୍ରଗତି ହୋଇ ପାରିଥାନ୍ତା, ଆଜି କେଇ ମୁହୂର୍ତ୍ତ ଭିତରେ, ଆପଣଙ୍କ ସତ୍ସଙ୍ଗ ବଳରେ, ତହିଁରୁ ଅଧିକ ହୋଇ ପାରିଛି । କ୍ଷୁଧା ମୋତେ ବୋଧହୁଏ ଆଉ ବେଶି ସମୟ ବଂଚିବାକୁ ଦେବ ନାହିଁ । କିନ୍ତୁ ମୋର ଏଥିରେ କିଛି ବି ଦୁଃଖ ନାହିଁ ।”
ଇତିମଧ୍ୟରେ, ସିଂହ ଓ ଧୀମାନ୍ଙ୍କ ଭିତରେ ଦାର୍ଶନିକ ଆଲୋଚନା ଅବସରରେ, ତିନି ରାଜପୁତ୍ର ଦୌଡିଯାଇ ଦୁଇଜଣ ବନବାସୀ ତୀରନ୍ଦାଜଙ୍କୁ ଡାକି ଆଣିଥିଲେ । ସିଂହ ଧୀମାନ୍ଙ୍କ ଉଦ୍ଧେଶ୍ୟରେ ତା’ର ନିବେଦନ ସମାପ୍ତ କରିବା ମୁହୂର୍ତ୍ତରେ ଦୁଇଟି ଭୀଷଣ ତୀର ଆସି ତା’ କଳେବର ଭେଦ କଲା । ଫଳରେ ସେ ସେଇଠାରେ ହିଁ ଟଳି ପଡିଲା ।
ଏହା ଦେଖି ସେ ରାଜପୁତ୍ରମାନେ ଆନନ୍ଦରେ ନାଚି ନାଚି ଧୀମାନ୍ଙ୍କ ପାଖକୁ ଆସିଲେ । ଭାବି-ଯୁବରାଜ ଉତ୍ଫୁଲ୍ଲ କଣ୍ଠରେ ତାଙ୍କୁ କହିଲେ, “ବନ୍ଧୁ! ତୁମେ ଯେପରି ସିଂହକୁ କଥାବାର୍ତ୍ତାରେ ବ୍ୟାପୃତ ରଖି ଆମ ପ୍ରାଣରକ୍ଷା କଲ, ତାହା ବାହାଦୂର କାମ । ତମକୁ ଯେଉଁମାନେ ବିଶ୍ୱାସ କରନ୍ତି, ସେମାନଙ୍କୁ କିପରି ରକ୍ଷା କରିବାକୁ ହୁଏ, ସେ ଉପାୟ ତୁମକୁ ବାସ୍ତବିକ ବେଶ୍ ଜଣା ଅଛି ।”
ଧୀମାନ୍ କହିଲେ “ନା, ମୋତେ ଜଣାନାହିଁ ।”
ଭାବି ଯୁବରାଜ କହିଲେ “ଏହା ତୁମର ନମ୍ରତା । ତୁମେ ଆମକୁ ରକ୍ଷା କଲ, ଏହାର ସାକ୍ଷୀ ଆମ୍ଭେମାନେ । ତୁମେ ଅନ୍ୟଥା କହିଲେ କ’ଣ ହେବ? ବର୍ତ୍ତମାନ ଚାଲ ଯିବା । ତମକୁ ଯେ ଖାଲି ମନ୍ତ୍ରୀ କରିବି, ସେତିକି ନୁହେଁ, ତମକୁ ମୁଁ ବିପୁଳ ପୁରସ୍କାର ବି ଦେବି – ଯାହା ଫଳରେ ତୁମେ ମୋ ଛଡା, ଅର୍ଥାତ୍ ରାଜା ଛଡା, ରାଜ୍ୟର ସବୁଠୁଁ ଧନୀ ଲୋକ ହେବ । ତିନି ତିନିଜଣ ରାଜପୁତ୍ରଙ୍କୁ ରକ୍ଷା କରିବା କ’ଣ କିଛି କମ୍ କଥା?”
“ସେ ଧନ ମୋତେ ଦରିଦ୍ର କରିବ । ବରଂ ଏହି ତୀରନ୍ଦାଜମାନଙ୍କୁ ଦେହରକ୍ଷୀ କରି ରାଜଧାନୀକୁ ଯାଅ । ମୁଁ ଏହିଠାରୁ ଆଶ୍ରମକୁ ଫେରି ଯାଉଛି ।” ଏହା କହି, ରାଜପୁତ୍ରମାନଙ୍କର ସବୁ ଅନୁରୋଧ ପ୍ରତ୍ୟାଖ୍ୟାନ କରି ଧୀମାନ୍ ଗୁରୁଙ୍କ ପାଖକୁ ଲେଉଟି ଗଲେ ।
ଗପଟି କହିସାରି ବେତାଳ ଟିକିଏ ଚୁପ୍ ରହି ରାଜା ବିକ୍ରମଙ୍କୁ ପ୍ରଶ୍ନ କଲା, “ରାଜା! ସିଂହକୁ ପ୍ରବର୍ତ୍ତାଇ ଯେ ଧୀମାନ୍ ରାଜପୁତ୍ରମାନଙ୍କର ଜୀବନ ରକ୍ଷା କଲେ, ଏଥିରେ ତ କୌଣସି ସନ୍ଦେହ ନାହିଁ । ତଥାପି, ଯୁବରାଜ ଯେତେବେଳେ ତାଙ୍କୁ ବଧେଇ ଜଣାଇ କହିଲେ କି ତାଙ୍କୁ ଯେଉଁମାନେ ବିଶ୍ୱାସ କରନ୍ତି, ସେମାନଙ୍କୁ ରକ୍ଷା କରିବାର ଉପାୟ ତାଙ୍କୁ ଜଣା, ଧୀମାନ୍ କାହିଁକି ସେ ବଧେଇକୁ ପ୍ରତ୍ୟାଖ୍ୟାନ କରିଦେଲେ ଓ ସେଭଳି ଉପାୟ ତାଙ୍କୁ ଜଣାନାହିଁ ବୋଲି କହିଲେ? ସାଂସାରିକ ଧନସମ୍ପତ୍ତି ପାଇଁ ତାଙ୍କର ଆଗ୍ରହ ଥିଲା । ଅଥଚ ତାଙ୍କୁ ଧନୀ କରିଦେବା ପ୍ରସ୍ତାବ ଶୁଣି ସେ ଧନ ତାଙ୍କୁ ଗରିବ କରିବ ବୋଲି ସେ କହିଲେ କାହିଁକି? ରାଜା! ପାରିଲେ ମୋ ପ୍ରଶ୍ନର ଉତ୍ତର ଦିଅ । ଆଉ ଉତ୍ତର ଦେବାର ଶକ୍ତି ଥିବା ସତ୍ତ୍ୱେ ବି ଯଦି ତୁମେ ନୀରବ ରହିବ, ତେବେ ତମ ଶୀର ଅବଶ୍ୟ ସ୍କନ୍ଧଚ୍ୟୁତ ହେବ ।”
ସବୁପ୍ରଶ୍ନ ଶୁଣି ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନକରି ରାଜା ବିକ୍ରମାର୍କ କହିଲେ, “ଧୀମାନ୍ ତାଙ୍କ ଉପରେ ନିର୍ଭର କରୁଥିବା ରାଜପୁତ୍ରମାନଙ୍କୁ ରକ୍ଷା କଲେ ଠିକ୍, କିନ୍ତୁ ତାଙ୍କ ଉପରେ ଆହୁରି ଅଧିକ ବିଶ୍ୱାସ ରଖୁଥିବା ସିଂହକୁ ରକ୍ଷା କରିପାରିଲେ ନାହିଁ । ସେଥିପାଇଁ ସେ ରାଜପୁତ୍ରମାନଙ୍କର ବଧେଇ ଗ୍ରହଣ କଲେ ନାହିଁ । ତା’ପରେ ରହିଲା ତୁମର ଦ୍ୱିତୀୟ ପ୍ରଶ୍ନ । ଅର୍ଥାତ୍ ଧନ ତାଙ୍କୁ ଦରିଦ୍ର କରିଦେବ ବୋଲି ସେ କହିବାର ରହସ୍ୟ କ’ଣ! ସିଂହ ସହ କଥାବାର୍ତ୍ତା ଅବସରରେ ଜୀବନର ଅସଲ ଲକ୍ଷ୍ୟ ସମ୍ପର୍କରେ ସେ ଚେତି ଉଠିଥିଲେ । ଆଧ୍ୟାତ୍ମିକ ଜ୍ଞାନହିଁ ପ୍ରକୃତ ସମ୍ପତ୍ତି । ସେ ରାଜଧାନୀକୁ ଯାଇ ଯୁବରାଜଙ୍କଠୁଁ ଯେଉଁ ଧନସମ୍ପଦ ପାଇବେ, ତାହା ତାଙ୍କୁ ଅସଲ ସମ୍ପଦରୁ ଦୂରେଇ ରଖିବ । ତେଣୁ ସେ ଧନରେ ସେ ଗରିବ ହୋଇଯିବେ ବୋଲି କହିଲେ । ଅବଶ୍ୟ ସାଂସାରିକ ଐଶ୍ୱର୍ଯ୍ୟରେ ଥାଇ ବି ଆଧ୍ୟାତ୍ମିକ ଜୀବନ ଯାପନ କରି ପାରୁଥିବା ରାଜା ଜନକଙ୍କ ଭଳି ଲୋକ ମଧ୍ୟ ଅଛନ୍ତି, କିନ୍ତୁ ଧୀମାନ୍ ସେଭଳି ନୁହଁନ୍ତି । ସେ ଜାଣୁଥିଲେ, ତାଙ୍କୁ ସାଂସାରିକ ଜୀବନ ଓ ସନ୍ନ୍ୟାସ ଜୀବନ ଭିତରେ ଯେ କୌଣସି ଗୋଟିକୁ ବାଛି ନେବାକୁ ହେବ ।”
ରାଜାଙ୍କ ଉତ୍ତରଦାନ ଶେଷ ହେବା ମାତ୍ରେ ଶବ ସହ ଶବସ୍ଥିତ ସେ ବେତାଳ ତାଙ୍କ କାନ୍ଧରୁ ଖସିଯାଇ ପୁନର୍ବାର ବୃକ୍ଷ ଡାଳରେ ଝୁଲି ପଡିଲା ।