ବୋଧିସତ୍ୱ ଏକ ଜନ୍ମରେ ସିଂହ ରୂପରେ ଜନ୍ମ ହୋଇଥିଲେ । ସେ ବାରାଣସୀ ରାଜ୍ୟରେ ଥିବା ଏକ ବଣରେ ରହିଥିଲେ । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିଲା । ପୁଅର ନାମ ମନୋହର । ପୁଅ ବଡ ହେଲା । ବୋଧିସତ୍ୱ ତା’ର ବାହାଘର କରିଦେଲେ ।
ପୁଅ ମନୋହର ନିତି ବଣକୁ ଯାଉଥିଲା । ମଇଁଷି, ହରିଣ ଓ ଶମ୍ବର କ’ଣ ହେଲେ ମାରି ଆଣୁଥିଲା । ପରିବାରର ସମସ୍ତେ ମିଶି ସେ ମାଂସ ଖାଉଥିଲେ । ଦିନକର କଥା । ସେ ଶିକାର ପାଇଁ ବଣକୁ ଯାଉଥିଲା । ବାଟରେ ଗୋଟିଏ ବିଲୁଆକୁ ଦେଖିଲା । ବିଲୁଆ ସିଂହର ଖୁବ୍ ପାଖକୁ ଆସିଯାଇଥିଲା । ତା’ର ପଳାଇବାର ବାଟ ନଥିଲା । ଚାଲାକ୍ ବିଲୁଆ ସିଂହର ପାଦତଳେ ଲମ୍ବହୋଇ ପଡିଯାଇ କହିଲା – “ପ୍ରଭୁ, ମୁଁ ଆପଣଙ୍କ ପାଖରେ ଚାକର ହୋଇ ରହିବି । ଆପଣଙ୍କର ସେବା କରିବି । ମତେ ଚାକର କରି ପାଖରେ ରଖନ୍ତୁ ।”
ସିଂହ ବିଲୁଆର କଥାରେ ଭୁଲିଯାଇ ତାକୁ ଚାକର କରି ରଖିବ ବୋଲି କହିଲା । ଶିକାର ପରେ ସିଂହ ବିଲୁଆକୁ ସାଙ୍ଗରେ ନେଇ ବସାକୁ ଫେରିଆସିଲା । ବୋଧିସତ୍ୱ ବିଲୁଆକୁ ସାଥିରେ ଦେଖି ପୁଅକୁ କହିଲେ – “ଏ ବିଲୁଆ ଗୁଡାକ ବଡ ଦୁଃଷ୍ଟ । ସେମାନେ ମନ୍ଦ କାର୍ଯ୍ୟ କରନ୍ତି । ଏଇ ବିଲୁଆ ତତେ କଦାପି ଭଲ ବାଟ ବତାଇବନି । ତୁ ତାକୁ ତଡିଦେ ।”
ପୁଅ ବାପର କଥା ମାନିଲାନି । କହିଲା – “ସେ ମୋର ଚାକର ହେବ ବୋଲି ଆସିଚି । ଆମ ପାଖରେ ଚାକରଟିଏ ରହିଲେ ଭଲହେବ । ଆମେ ଖାଇ ସାରିବା ପରେ କେତେ ମାଂସ ବଳିପଡୁଚି – ତାକୁ ଖାଇ ସେ ରହିପାରିବ । ତା’ପାଇଁ ଆମକୁ ତ ଅଧିକ ଖର୍ଚ୍ଚ କରିବାକୁ ପଡିବନି ।”