ବୋଧିସତ୍ୱ ପୁଅର କଥା ଶୁଣି ଆଉ କିଛି କହିଲେନି । ମନୋହର ସାଙ୍ଗରେ ବିଲୁଆର ବନ୍ଧୁତା ବଢିଚାଲିଲା । ତାର ଖୋସାମତିଆ କଥାରେ ସିଂହ ଭାରି ଖୁସି ହେଲା । ସେ ଭାବୁଥିଲା ଯେ ବିଲୁଆଟି ଭାରି ଭଲଜୀବ । ଦିନେ ବିଲୁଆ ସିଂହକୁ କହିଲା – “ମୁଁ ତୁମ ପାଖରେ ରହି ବହୁତ ଜୀବଙ୍କର ମାଂସ ଖାଇଲିଣି । କିନ୍ତୁ ଘୋଡାମାଂସ କେବେ ଚାଖିନି । ଶୁଣିଚି ଯେ ଘୋଡା ମାଂସ କୁଆଡେ ଭାରି ବଢିଆ ।”
ସିଂହ କହିଲା – “ଘୋଡାମାଂସ ଭାରି ସୁଆଦିଆ ବୋଲି ମୁଁ ବି ଶୁଣିଚି । ହେଲେ ଆମର ଏ ଜଙ୍ଗଲରେ ତ ଘୋଡା ନାହାଁନ୍ତି, ଆମେ ଘୋଡାମାଂସ କେଉଁଠୁ ପାଇବା?”
ବିଲୁଆ କହିଲା – “ବାରାଣସୀ ସହର ପାଖରେ ଗଙ୍ଗାନଦୀ । ନଦୀକୂଳକୁ ଗଲେ ବହୁତ ଘୋଡା ମିଳିବେ ।” ତା’କଥାରେ ପଡି ସିଂହ ଗଙ୍ଗାକୂଳକୁ ଗଲା । ସେଠାରେ ଦେଖିଲା ଅନେକ ଘୋଡା ନଈରେ ଗାଧୋଉଚନ୍ତି । ସିଂହ ଗୋଟିଏ ଜାଗାରେ ଲୁଚି ରହିଲା । ଘୋଡାମାନେ ଗାଧୋଇ ସାରି ନଗରଆଡକୁ ମୁହାଁଇଲେ । ଏଇ ସୁଯୋଗରେ ସିଂହ ଗୋଟିଏ ଘୋଡାକୁ ମାରିଦେଲା ଓ ତାକୁ ପିଠିରେ ପକାଇ ଗୁହାକୁ ଫେରିଲା ।
ସଞ୍ଜବେଳେ ସିଂହ ପରିବାରର ସମସ୍ତେ ଖାଇବସିଲେ । ବୋଧିସତ୍ୱ ପଚାରିଲେ – “ପୁଅ, ଘୋଡା କେଉଁଠୁ ପାଇଲୁ?” ପୁଅ ସବୁକଥା କହିଲା । ବୋଧିସତ୍ୱ କହିଲେ – “ଦେଖ ବାପ, ଘୋଡା ଜଙ୍ଗଲରେ ରହିବା ପଶୁ ନୁହଁନ୍ତି । ସେମାନେ ରାଜାଙ୍କର ପୋଷାଜୀବ । ରାଜା ଏବେ ଜାଣିବେ ଯେ ତାଙ୍କ ଘୋଡା ଗୋଟିଏ ସିଂହ ନେଇଯାଉଚି । ତାପରେ ସେ ବାଣୁଆ ପଠାଇ ଆମକୁ ମରାଇଦେବେ । ତେଣୁ ତୁ ଆଉ ଘୋଡା ମାରନା । ଘୋଡାମାଂସ ବି ଆମ ଦେହ ପାଇଁ ଭଲ ନୁହେଁ । ତାହା ଖାଇଲେ ଆୟୁଷ କମିଯାଏ ।”
ପୁଅ ବାପର ଏ ଭଲକଥା ଶୁଣିଲା ନାହିଁ । ସେ ବିଲୁଆ ସାଙ୍ଗରେ ନିତି ଗଙ୍ଗାକୂଳକୁ ଗଲା ଓ ଘୋଡା ମାରି ଆଣିଲା । ସହିସମାନେ ଯାଇ ରାଜାଙ୍କୁ ଜଣାଇଲେ – “ମଣିମା! ଜଙ୍ଗଲରୁ ଆସି ଗୋଟିଏ ସିଂହ ନିତି ଉତ୍ପାତ କରୁଚି । ନିତି ଗୋଟିଏ ଲେଖାଏଁ ଘୋଡା ମାରିଦେଉଚି ।”