ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସିଦ୍ଧିଲାଲୟମ୍ – ୧୯

                ଚାରି ଜଣଯାକ ଅଧଘଂଟା ପରେ ଅତିଥିଶାଳାରେ ପହଁଚିଲେ । ସେଠାରେ ପହଁଚିବା ମାତ୍ରେ ଅତିଥିଶାଳାର ମାଲିକ ସେମାନଙ୍କୁ କହିଲେ – “ତୁମ୍ଭମାନଙ୍କର ଗୁରୁ ତୁମର ପ୍ରକୋଷ୍ଠରେ ବସିଛନ୍ତି । ଏକ ଘଂଟା ହେଲାଣି ସେ ତୁମର ଅପେକ୍ଷା କରୁଛନ୍ତି ।”

                ଅତିଥିଶାଳାର ମାଲିକଙ୍କଠାରୁ ଏହି କଥା ଶୁଣି ସେ ଚାରିଜଣଯାକ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ ।

                ଶିଖିମୁଖ ଅତିଥିଶାଳାର ମାଲିକଙ୍କ ଆଡକୁ ସଂକିତ ଦୃଷ୍ଟିରେ ଚାହିଁ କହିଲେ – “ଆମର ତ କୌଣସି ଗୁରୁ ନାହାଁନ୍ତି । ସେ କୌଣସି ଚୋର ମନେ ହେଉଛି । ତୁମ୍ଭେ କଣ ଆମର କୋଠରୀ ତାଙ୍କୁ ଦେଖାଇ ଦେଇଛ?”

                ତା’ପରେ ସେ ଅତିଥିଶାଳାର ମାଲିକ ଡରି ଡରି କହିଲେ– “ହଁ, ମୁଁ ତୁମ୍ଭମାନଙ୍କର କୋଠରୀ ତାଙ୍କୁ ଦେଖାଇ ଦେଇଛି । ସେ କହିଲେ ଯେ ସେ କୌଣସି ମନ୍ଦିରର ପୂଜାରୀ ଏବଂ ତୁମ୍ଭମାନଙ୍କର ଗୁରୁ ।”

                “ଭଲ କଥା । ତାହେଲେ ଆମେ ଏବେ ତାକୁ ଦେଖି ନେବା । ଆମର କୋଠରୀରୁ କୌଣସି ଚିତ୍କାର ଶୁଣିଲେ ଅଧଘଂଟା ପର୍ଯ୍ୟନ୍ତ ସେପଟେ କାହାକୁ ଯିବା ପାଇଁ ଦେବ ନାହିଁ ।” ଏହା କହି ଶିଖିମୁଖ ଶୀଘ୍ର ପ୍ରଥମ ମହଲାରେ ଥିବା ତାଙ୍କର କୋଠରୀ ଆଡକୁ ଅଗ୍ରସର ହେଲା । ବାକି ତିନି ଜଣ ବି ତା’ର ପଛେ ପଛେ ଶୀଘ୍ର ଶୀଘ୍ର ଚାଲିଲେ ।

                ବିକ୍ରମକେଶରୀ ଇତ୍ୟାଦି ଯେଉଁ କୋଠରୀକୁ ଭଡାରେ ନେଇଥିଲେ, ତାହାର ଦ୍ୱାର ଖୋଲା ରହିଥିଲା । ସର୍ବପ୍ରଥମେ ଶିଖିମୁଖ କୋଠରୀରେ ପାଦ ଦେବା ମାତ୍ରେ, ସିଦ୍ଧିଲାଲୟମ୍ର ପୂଜାରୀକୁ ଦେଖିଲା । ପୂଜାରୀ ଗୋଟିଏ ଛୋଟିଆ କାଠର ପେଟିକୁ ଭାଂଗିବା ପାଇଁ ଛୁରୀଟିଏ ମୁଠାଇ ଧରି ପ୍ରହାର କରୁଥିଲା । ଶିଖିମୁଖ ଦ୍ୱାର ଦେଶରେ ଠିଆ ହୋଇ ଦେଖିଲା ଏବଂ ପୂଜାରୀ ବିକୃତ ରୂପରେ ହସିଲା ଏବଂ କହିଲା – “ଶିଖି, ତୁମେ ଠିକ୍ ସମୟରେ ପହଁଚିଲ ଭାରି ଭଲ କଥା । ତୁମେ ଏବଂ ତୁମର ସାଥୀ ଦ୍ୱାର ଦେଶରେ ଅଟକିଯାଅ, ଏହି ଛୋଟିଆ ପେଟିକୁ ଖୋଲିବା ପାଇଁ ମୋର ମନ୍ତ୍ର ଶକ୍ତିର ଦୁରୂପଯୋଗ ନ କରି ମୁଁ ଏହି ଛୁରୀରେ ଭାଂଗୁଅଛି ।”

                ଶିଖିମୁଖ ଅଟକିଗଲା । ନିଜ ପଥରେ ଥିବା କ୍ଷତ୍ରୀୟ ଯୁବକ ଅଜିତ୍ ଏବଂ ବୀରଭଦ୍ରଙ୍କୁ ଆଖିରେ ଇସାରା ଦେଲା ଯେ କବାଟ ନିକଟରେ ପହରା ଦିଅ । ସେତିକିବେଳେ ସେ ଦୁଇ ପାଦ ଆଗକୁ ବଢାଇ କହିଲା – “ପୂଜାରୀ ତୁମେ ଭାବୁଛ ଯେ ଏହି ପେଟିରେ ସିଦ୍ଧିଲାଲୟମ୍ ପର୍ଯ୍ୟନ୍ତ ପହଁଚିବା ପାଇଁ ଆବଶ୍ୟକ ମାର୍ଗଦର୍ଶନ କରୁଥିବା ତାଡପତ୍ର ରହିଛି । ନା, ସେ ପତ୍ର ସେଠାରେ ନାହିଁ । ନିଅ ଦେଖ, ବିକ୍ରମକେଶରୀ ସଦାସର୍ବଦା ତାହାକୁ ନିଜ ପୋଷାକ ଭିତରେ ଲୁଚାଇ ରଖି ବୁଲୁଛନ୍ତି । ନିଜେ ପାଖକୁ ଆସି ମାଗ, ସେ ପ୍ରଦାନ କରିଦେବେ ।” ବିକ୍ରମକେଶରୀ ତାଙ୍କର ପୋଷାକ ମଧ୍ୟରୁ ଖୁବ୍ ବଡ ତାଡପତ୍ର ବାହାର କରି ଦେଖାଇଲେ । ପୂଜାରୀ ତାଙ୍କ ଆଡକୁ ଚାହିଁବା ମାତ୍ରେ ଦାନ୍ତ କଡମଡ କରି କହିଲା – “ହୁଁ, ମୋତେ ତାଡପତ୍ରର ଭିକ୍ଷା ମାଗିବାକୁ ଅଛି । ମୁହଁରେ ନୁହେଁ ଛୁରୀରେ ମାଗୁଛି!” ଏହା କହି ପୂଜାରୀ ବିକ୍ରମକେଶରୀଙ୍କ ଆଡକୁ ଛୁରୀ ନିକ୍ଷେପ କଲା ।

                ଶିଖିମୁଖ ତ ବହୁ ପୂର୍ବରୁ ହିଁ ବିପଦର ଆଶଂକା କରିଥିଲା । ତେଣୁ ଶିଖିମୁଖ ତୁରନ୍ତ ବିକ୍ରମକେଶରୀଙ୍କର କାନ୍ଧକୁ ତଳକୁ ଦାବି ଦେଲା । ସେହି ଛୁରି କ୍ଷୀପ୍ର ବେଗରେ ଯାଇ କବାଟରେ ଫୁଟି ଗଲା । ଶିଖିମୁଖ ପୂଜାରୀକୁ ଧରିବା ପାଇଁ ଡିଆଁ ମାରିଲା, କିନ୍ତୁ କୋଠରୀର ପଛପଟେ ଥିବା କବାଟ ଖୋଲି ପୂଜାରୀ ତଳକୁ ଡେଇଁ ପଡିଲା ।

                ଶିଖିମୁଖ ଏବଂ ବିକ୍ରମକେଶରୀ ସାମାନ୍ୟ ବିଳମ୍ବରେ ଛାତ ଉପରେ ଯାଇ ପହଁଚିଲେ । ସେମାନେ ଭାବିଥିଲେ ଯେ ପୂଜାରୀ ତଳକୁ ଡେଇଁ ପଡି ମୃତ୍ୟୁବରଣ କରିଥିବ । କିନ୍ତୁ ତଳେ ଠିଆ ହୋଇଥିବା ଶବରଗିଧ ପୂଜାରୀ ତଳେ ପଡିବା ପୂର୍ବରୁ ହିଁ ତାକୁ ଉଠାଇ ନେଲା, ତା’ ପାଖରେ ଦୁଇଟି ଘୋଡା ଥିଲା । ଗୋଟିକରେ ପୂଜାରୀଙ୍କୁ ଚଢାଇଲା ଏବଂ ଆଉ ଗୋଟିକରେ ସେ ନିଜେ ଡିଆଁ ମାରି ବସି ଚାଲିଗଲା ।

                ଶିଖିମୁଖ ତୁରନ୍ତ ବୁଲିପଡି ପାଟି କଲା – “ଅଜିତ୍ ଓ ବୀରଭଦ୍ର! ସେହି ଦୁଷ୍ଟ ପୂଜାରୀ ଓ ଶବର ଗିଧ ପଳାଇ ଯାଉଛନ୍ତି, ଯାଅ ସେମାନଙ୍କୁ ଧରିଆଣ ।” ଶିଖିର ଆଦେଶ ପାଇ ଅଜିତ୍ ଏବଂ ବୀରଭଦ୍ର ତଳକୁ ଧାଇଁଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ