ରାଜାପୁର ଗ୍ରାମରେ ସିଦ୍ଧୁ ନାମକ ଜଣେ ରାଗୀ ଲୋକ ରହୁଥାଏ । ସେ ପର ଆପଣା ନ ମାନି ରାଗିଯାଇ ଯାହା ଇଚ୍ଛା କହିବ । ବେଳେବେଳେ ସେ ମାରପିଟ ମଧ୍ୟ କରେ । ଗ୍ରାମବାସୀ ତାକୁ ଯେତେ ବୁଝାଇଲେ ମଧ୍ୟ ସେ ମୋଟେ ବୁଝେ ନାହିଁ; ଏଣୁ ସମସ୍ତେ ତା’ଠାରୁ ଦୂରେଇ ରହନ୍ତି ।
ଥରେ ଚନ୍ଦରା ନାମକ ବ୍ୟକ୍ତିର ମଇଁଷି ସିଦ୍ଧୁର ଖେତ କିଛି ଖାଇଗଲା । ସିଦ୍ଧୁ ତାକୁ ପିଟି ପିଟି ଅଧାମରା କଲା ପରେ ଚନ୍ଦରା ଘରକୁ ଯାଇ ଚିତ୍କାର କରି ସେ କହିଲା, “ଆରେ, ହେ ଚନ୍ଦରା, ତୋ ମଇଁଷି ମୋ କ୍ଷେତରେ ପଶି ସବୁ ନଷ୍ଟ କରି ଦେଇଛି । ଏବେ ମୁଁ ମୋ ଗାଈପଲଙ୍କୁ ଆଣି ତୋ କ୍ଷେତରେ ପୁରାଇ ସବୁ ନଷ୍ଟ କରିଦେବି ।”
ଚନ୍ଦରା ତ ସିଦ୍ଧୁର ରାଗ କଥା ଜାଣିଥିଲା । ତେଣୁ ସେ ଶାନ୍ତ ସ୍ୱରରେ କହିଲା, “ସିଦ୍ଧୁ, ମଇଁଷି ତ ପଶୁଟାଏ, ପୁଣି ତୁମ କ୍ଷେତରେ କିଛି ଫସଲ ମଧ୍ୟ ନଥିଲା । ଯଦି ସେ ସେଠାରେ ପଶି ଘାସ ଚରିଲା ତ ସେଥିପାଇଁ ତୁମେ ମୋତେ କ୍ଷମା କରିଦିଅ ।”
କିନ୍ତୁ ସିଦ୍ଧୁ ପାଟି କରି କହିଲା, “ହଁ, ମୁଁ ଜାଣେ ଯେ ସେ ଏକ ମଇଁଷି । ଏବଂ ତୋ ପରି ପଶୁ ତା’ର ମାଲିକ । ଏବେ ଶୁଣ ସେ ବାବଦରେ ସପ୍ତାହେ ପର୍ଯ୍ୟନ୍ତ ମଇଁଷିର ଦୁଗ୍ଧ ମୋ ଘରକୁ ପଠାଇବୁ ।”
ଚନ୍ଦରା ନିରୁପାୟ ଥିଲା । ସେ ସପ୍ତାହେ ପର୍ଯ୍ୟନ୍ତ ମଇଁଷିର ଦୁଗ୍ଧ ପଠାଇବାକୁ ଲାଗିଲା । ପୁଣି ଆଉ ଗୋଟିଏ ଘଟଣା ଘଟିଲା; ସିଦ୍ଧୁ ଗ୍ରାମର ଦୋକାନୀ ପାଖରୁ ଯେଉଁ ଗୁଡ କିଣି ଥିଲା, ଘରକୁ ଆସି ଓଜନ କରିବାରୁ ଦେଖିଲା ଯେ ସେଥିରେ ଗୁଡର ପରିମାଣ କମ୍ ଅଛି । ସେ ସଙ୍ଗେସଙ୍ଗେ ଯାଇ ଦୋକାନୀ ପାଖରେ ପହଁଚି ଗର୍ଜନ କରି କହିଲା, “କିବେ, ତୁ ଶେଷକୁ ମୋତେ ଠକିଲୁ?”
ଦୋକାନୀ ଶାନ୍ତ ଭାବରେ କହିଲା, “ସିଦ୍ଧୁ, ଭୁଲ୍ ତ ସମସ୍ତିଙ୍କର କେବେ ନା କେବେ ହୋଇ ଯାଇଥାଏ । ମାତ୍ର ମୁଁ ଇଚ୍ଛାକରି ସେପରି କରିନାହିଁ । ତୁମେ ଯଦି ମୋ କଥାକୁ ବିଶ୍ୱାସ ନ କରୁଛ ତେବେ ମୋ ଦୋକାନରୁ ତୁମେ ବରଂ କିଛିବି କିଣିବାକୁ ଆଉ ଆସ ନାହିଁ । କିନ୍ତୁ ଏଭଳି ଗର୍ଜନ କରିବାର କିଛି ଅର୍ଥ ହୁଏ ନାହିଁ ।”