ସୁରଜ କିଛି ରୋଜଗାର ଆଶାରେ ସହର ବାହାରିଥିଲେ । ପତ୍ନୀ, ପଥରେ ଭୋଜନ କରିବା ପାଇଁ କିଛି ଖାଦ୍ୟ ଏକ ପୁଟୁଳା କରି ଦେଇଥାନ୍ତି । ଦୂରତା କମିଯିବା ଆଶାରେ, ସେ ଜଙ୍ଗଲ ମଝିରେ ଜଣେ ଯୁବକ ତାଙ୍କୁ ଅଟକେଇଲା ।
ଚେହେରାରୁ, ସେ ଯୁବକ ଜଣକ ଉଚ୍ଚବଂଶଜ ମନେ ହେଉଥାନ୍ତି । ଖୁବ୍ ଦାମୀ ପୋଷାକ ସେ ପିନ୍ଧିଥାନ୍ତି । କିନ୍ତୁ ତାହା ଅପରିଷ୍କାର ହୋଇ ଯାଇଥାଏ । ସୁରଜଙ୍କୁ ଅଟକେଇ ପ୍ରଥମେ ସେ ଖାଇବା ପାଇଁ ମାଗିଲା । ସୁରଜ ତାଙ୍କ ଖାଦ୍ୟ ପୁଟୁଳିଟି ଦେବାପାଇଁ ଆଦୌ ପ୍ରସ୍ତୁତ ନ ଥିଲେ । କିନ୍ତୁ ବଳପ୍ରୟୋଗ କରି, ସେ ତାଙ୍କ ହାତରୁ ତାହା ଛଡାଇ ନେଇ ଖାଇବାରେ ଲାଗିଲା । ସୁରଜ, ନିଜ ପାଖରେ ଆଉ କିଛି ଖାଇବା ପାଇଁ ନାହିଁ କହି ଚିତ୍କାର କରି କାନ୍ଦିବାରେ ଲାଗିଥାନ୍ତି । କିନ୍ତୁ ଯୁବକ ଅତ୍ୟନ୍ତ ଭୋକିଲା ଥିବାରୁ, ତାଙ୍କ ଚିତ୍କାର ନ ଶୁଣି, ଖୁବ୍ ଶୀଘ୍ର ଖାଇବାରେ ଲାଗିଥାଏ । ସବୁ ଖାଇ ସାରିବା ପରେ, ସୁରଜଙ୍କ ଚିତ୍କାରରେ ଆଦୌ ବିଚଳିତ ନ ହୋଇ ସେ ଯୁବକ ସହଜ ଭାବରେ ପଚାରିଲା, “ଏଇ ପାଖରେ ଥିବା ଭଦ୍ରଗିରି ଗ୍ରାମର ନାମ ଆଗରୁ ଶୁଣିଛ?” ସୁରଜ ଚିତ୍କାର ବନ୍ଦ କରି, ମୁଣ୍ଡ ହଲେଇ ହଁ ଭରିଲେ ।
ଯୁବକଟି କହିଲା, “ମୁଁ ସହରରୁ ଆସୁଥିଲି । ମୋର ଭଦ୍ରଗିରି ପହଁଚିବା ଦରକାର । ଏଇ ଜଙ୍ଗଲରେ ବାଟବଣା ହୋଇ ବୁଲୁଛି । ମୋତେ ଭଦ୍ରଗିରିଠାରେ ପହଁଚାଇଦିଅ । ମୋର ପିତା, ସେହି ଗ୍ରାମର ଜମିଦାର । ତୁମେ ମୋତେ ସାହାଯ୍ୟ କଲେ, ସେ ନିଶ୍ଚୟ ତୁମକୁ ପୁରସ୍କୃତ କରିବେ ।”
ପୁରସ୍କାର ଆଶାରେ ସୁରଜ, ସେହି ଯୁବକଙ୍କ କଥାରେ ସଙ୍ଗେସଙ୍ଗେ ରାଜି ହୋଇଗଲେ । ଭଦ୍ରଗିରିର ଜମିଦାର, ତାଙ୍କର ଏହି ଉପକାରରେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ଏକ ଦାମି ମୋତିମାଳା, ନିଜ ଗଳାରୁ କାଢି ସୁରଜଙ୍କୁ ଉପହାର ଦେଲେ ।
ଏତେ ଛୋଟ କାମ ପାଇଁ, ଏତେ ଦାମିକା ଉପହାର ମିଳିବ, ତାହା ସୁରଜଙ୍କର କଳ୍ପନାର ବାହାରେ ଥିଲା । ମୋତିମାଳାର ଚମକରୁ ତା’ର ମୁଲ୍ୟ ବାରି ହୋଇ ପଡୁଥାଏ ।
ବର୍ଣ୍ଣନାତୀତ ଖୁସିରେ, ନିଜ ଗଳାରେ ସେ ମୋତିମାଳାଟି ପକାଇଲେ । ସହର ଯିବାର ଇଚ୍ଛା ପରିତ୍ୟାଗ କରି, ସେ ସେହି ମୁହୂର୍ତ୍ତରେ ଗ୍ରାମ ଅଭିମୁଖେ ବାହାରି ପଡିଲେ । କିପରି ଶୀଘ୍ର ଗ୍ରାମରେ ପହଁଚି, ପରିଚିତ ଲୋକମାନଙ୍କୁ ନିଜର ଏହି ସୌଭାଗ୍ୟର କାହାଣୀ ଶୁଣାଇବେ, ସେଥିପାଇଁ ସେ ବ୍ୟଗ୍ର ହୋଇ ପଡୁଥିଲେ ।
ପ୍ରଥମେ ତାଙ୍କର ଗୋବିନ୍ଦ ସହ ଭେଟ ହେଲା । ତରତରରେ ଗୋବିନ୍ଦ କେଉଁ କାମରେ ବାହାରି ଯାଉଥିବା ସମୟରେ, ତାକୁ ଅଟକାଇ ସୁରଜ କହିଲେ, “ଦେଖିଲ, ମୁଁ କିପରି ମୋତିମାଳାଟିଏ ପିନ୍ଧିଛି । ଏଇଟି ଭଦ୍ରଗିରି ଜମିଦାରଙ୍କର, ସେ ମତେ ଏହା ଭେଟି ଦେଇଛନ୍ତି ।”
ଗୋବିନ୍ଦ, ତା’ଙ୍କ କଥାରେ ବିଶେଷ ଧ୍ୟାନ ନ ଦେଇ କହିଲା, “ଲକ୍ଷ୍ମଣଭାଇଙ୍କ ଝିଅର ବିଭାଘର ଠିକ୍ ହୋଇଗଲା । ଏ ଖବର ଶୁଣି ଗ୍ରାମର ସମସ୍ତେ ଖୁସୀ । ମୁଁ ଯାଉଛି, ଲକ୍ଷ୍ମଣଭାଇଙ୍କୁ ଭେଟି କହିବି, ମୋ ଦ୍ୱାରା ଯେତିକି ସମ୍ଭବ, ମୁଁ କେବଳ ସେତିକି ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ । ତୁମେ ଆସ, ମୋ ସହିତ ଯିବ?”