ଲକ୍ଷ୍ମଣଙ୍କର ଝିଅ, ଖୁବ୍ ବୁଦ୍ଧିମତୀ, ସୁନ୍ଦରୀ ଓ ଗୃହକର୍ମ ନିପୁଣା ହେଲେ ମଧ୍ୟ ତା’ର ବାମଆଖିରେ ସାମାନ୍ୟ ଖୁଣ ଥିଲା । ଏହି କାରଣରୁ କୌଣସି ପ୍ରସ୍ତାବ ଠିକ୍ ହୋଇ ନ ପାରି ତା’ବିବାହରେ ବିଳମ୍ବ ଘଟୁଥିଲା । ସେଥିପାଇଁ ଗ୍ରାମବାସୀମାନଙ୍କର ଲକ୍ଷ୍ମଣଙ୍କ ପ୍ରତି ସହାନୁଭୂତି ଥିଲା । ସୁରଜ ମଧ୍ୟ ଜାଣିଥିଲେ ଯେ, ସମସ୍ତଙ୍କର ଇଚ୍ଛା ଥିଲା, ଝିଅଟିର କେଉଁଠି ବିବାହ ଠିକ୍ ହୋଇଯାଉ ଓ ତା’ର ପିତା ନିଶ୍ଚିନ୍ତ ହୁଅନ୍ତୁ । କିନ୍ତୁ ତା’ର ଏହି ସୌଭାଗ୍ୟ ଅପେକ୍ଷା ଲକ୍ଷ୍ମଣଙ୍କ ଝିଅର ବିବାହକୁ ଅଧିକ ଗୁରୁତ୍ୱ ଦେବାରୁ, ସେ ତାହା ମୋଟେ ସହ୍ୟ କରି ନ ପାରି ଗୋବିନ୍ଦକୁ କହିଲା, “ମୋର ଅନ୍ୟ ଏକ ଜରୁରୀ କାମ ଅଛି । ମୁଁ ଯାଇ ପାରିବି ନାହିଁ ।” ତା’ପରେ ସେ ଆଗକୁ ବଢିଲେ ।
କିଛିବାଟ ଯିବାପରେ ଶିକ୍ଷକ ପୂର୍ଣ୍ଣାନନ୍ଦଙ୍କ ସହ ତାଙ୍କର ଭେଟ ହେଲା । ସୁରଜ, ନିଜ ଗଳାର ମୋତିମାଳା ତାଙ୍କୁ ଦେଖାଇ କହିଲେ, “ଏହା ଏକ ସାଧାରଣ ମାଳାନୁହେଁ, ଏହା ଭଦ୍ରଗିରି ଜମିଦାରଙ୍କର ମୋତି ମାଳା । ସେ ମୋତେ ଏହା ଉପହାର ଦେଇଛନ୍ତି ।”
“ଭଲ କଥା”, ଏପରି କହି ସେ ରହିଗଲେ । କାରଣ ତାଙ୍କର ଅନ୍ୟ କିଛି କହିବାର ଥିଲା । ଶିକ୍ଷକ ମହାଶୟ ପଚାରିଲେ “ଆମ ଗ୍ରାମର ପଣ୍ଡିତ ରାମଶାସ୍ତ୍ରୀଙ୍କୁ ସହରରେ ଏକ ଉପାଧିରେ ଭୂଷିତ କରାଯାଇଛି । ଏହା ଆମ ଗ୍ରାମ ପାଇଁ ଏକ ଗୌରବ ଅଟେ । ମୁଁ ଶୁଣିଲି, ସେ ଗତକାଲି ସହରରୁ ଫେରିଛନ୍ତି । ତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ମୁଁ ବାହାରିଛି, ତୁମେ ମୋ ସହିତ ଯିବ କି?”
ସୁରଜ ମନେ ମନେ ଭାବିଲେ, ମୁଁ ମୋର ମାଳା ବିଷୟରେ କହିବା ପାଇଁ ଚାହୁଁଥିଲି । ସେ କିନ୍ତୁ ରାମଶାସ୍ତ୍ରୀଙ୍କ ଗୁଣ ଗାଇବାରେ ବ୍ୟସ୍ତ । ସେ ନିଜର ବିରକ୍ତଭାବକୁ ଗୋପନୀୟ ରଖି କହିଲେ, “ମୋର ଆଉ ଏକ କାମ ଅଛି । ମୁଁ ଏବେ ଯାଇ ପାରିବି ନାହିଁ ।”
ଏହାପରେ ସୁରଜ ଆଉଟିକେ ଆଗକୁ ଯାଇ ପାଖଗଳିରେ ବୁଲିଗଲା ସମୟରେ ନାଗରାଜ ସମ୍ମୁଖରେ ପଡିଲା । ସେ ଖୁବ୍ ତରତରରେ ଥାଏ । ତେବେ ବି ସୁରଜକୁ ଦେଖି ସେ ଅଟକିଯାଇ ପଚାରିଲା, “ତୁମର ଗଳାରେ ଏଇଟି କ’ଣ? କ’ଣ ତାହା ଏତେ ଉଜ୍ଜ୍ୱଳ ଦିଶୁଛି? ମାଳାଟି କ’ଣ ସହରରୁ କିଣିଲ? ମୋତିମାଳା ପରି ମନେ ହେଉଛି? ନକଲି ନା’ ଅସଲି ମୋତି? ଏହାର ଦାମ୍ କେତେ?” ନାଗରାଜ ଏକାସଙ୍ଗେ ଏତେଗୁଡିଏ ପ୍ରଶ୍ନ ପଚାରି ବସିଲା ।
ସୁରଜଙ୍କ ଖୁସି କହିଲେ ନ ସରେ, ଯାହାହେଉ, ସେ କହିବା ପୂର୍ବରୁ, କେହି ଜଣେ ତ ହେଲେ, ନିଜ ଆଡୁ ମୋତିମାଳା ବିଷୟରେ ଏତେ କଥା ପଚାରି ବସିଲା । ସେ ତାଙ୍କର ବର୍ଣ୍ଣନା ଆରମ୍ଭ କଲେ, “ଏହି ମାଳାଟି ଭଦ୍ରଗିରି ଜମିଦାରଙ୍କର । ଅସଲି ମୋତିର ମାଳା କିଣିବାର ସାମର୍ଥ୍ୟ ମୋର ବା କାହିଁ? ସେ ମତେ ଏଇଟି ଉପହାରସ୍ୱରୂପ ଦେଇଛନ୍ତି । ନହେଲେ ଏହା ମୋ ଗଳାରେ କିପରି ଶୋଭା ପାଉଥାନ୍ତା କହିଲ?”
ନାଗରାଜ ଆଉ ଅଧିକ ପ୍ରଶ୍ନ କଲାନାହିଁ । ସୁରଜଙ୍କର ବିବରଣୀ ଶୁଣି ନ ଶୁଣିବା ପରି ରହି ସେ କହିଲା, “ତୁମେ, ଆମ ଗ୍ରାମର ବିରାଜର ଶୁଷ୍କଜମି କଥା ତ ଆଗରୁ ଜାଣିଛ । ଦୁଇବର୍ଷ ହେଲା ଭଲବର୍ଷା ହେଉ ନ ଥିବାରୁ, ବିଚରାର ଫସଲ ହେଉ ନଥିଲା । କାଲି ସେ ସେଠାରେ ଖୋଳୁଥିବା ଏକ କୂଅରେ ପ୍ରଚୁର ପାଣି ବାହାରିଛି । ସମସ୍ତେ ଖୁସି ହୋଇ କହୁଛନ୍ତି, ଯାହା ହେଉ, ବିରାଜର ଦୁଃଖ ଏତେଦିନକେ ଗଲା । ମୁଁ ଏ ସୁ ଖବର ଶୁଣି ତାକୁ ବଧେଇ ଜଣେଇବା ପାଇଁ, ତାରି ଘରକୁ ବାହାରିଛି । ତୁମେ ମୋ ସହିତ ଯିବ କି?”