ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସୁଖଦୁଃଖର ସାଥୀ

ଏକଥା ଶୁଣି ସୁରଜ ମନେ ମନେ ଭୀଷଣ ରାଗିଗଲେ । କେହି ହେଲେ ମଧ୍ୟ ତା’ର ସୌଭାଗ୍ୟକୁ ପ୍ରଶଂସା କରୁନାହାଁନ୍ତି । କେହି ମଧ୍ୟ ଏ କଥା ପଚାରୁନାହାଁନ୍ତି ଯେ, ତାକୁ କାହିଁକି ଜମିଦାର ଏ ମାଳା ଉପହାର ଦେଇଛନ୍ତି । ତେଣୁ ସେ ଆଉ ଅନ୍ୟ ଆଡେ ନ ବୁଲି ସିଧା ଘରକୁ ଆସିବାପାଇଁ ସ୍ଥିର କଲେ ।

ପତ୍ନୀ ସେହି ମୋତିମାଳାଟି ଦେଖି, ତାଙ୍କଠାରୁ ସବୁ ଘଟଣା ଶୁଣିବା ପରେ କହିଲେ, “ଏହା ତ ବଡ ସୌଭାଗ୍ୟର କଥା, ବହୁଦିନରୁ ମୋତିମାଳାଟିଏ ପିନ୍ଧିବାର ପ୍ରବଳ ଇଚ୍ଛା ମୋ ମନରେ ଥିଲା । ଯାହାହେଉ ଶେଷରେ ମତେ ତାହା ମିଳିଗଲା ।” ଏହା କହି ପତ୍ନୀ ଅତିଶୟ ଆନନ୍ଦିତ ହୋଇପଡିଲେ ।

“ଏହା ପୁରୁଷ ଲୋକଙ୍କ ପିନ୍ଧିବାମାଳା ଅଟେ । ସ୍ୱୟଂ ଜମିଦାର ତାଙ୍କ କଣ୍ଠରୁ କାଢି ମୋତେ ଏହା ଦେଇଛନ୍ତି । ତୁମେ କ’ଣ ପିନ୍ଧିବ କହୁଛ?” ପତ୍ନୀଙ୍କୁ ବାଧାଦେଇ ସୁରଜ ଏପରି କହିଲେ ।

ପତ୍ନୀ ହସି ହସି କହିଲେ, “ସ୍ତ୍ରୀ-ପୁରୁଷ, ଏପରି ଭିନ୍ନ ଭିନ୍ନ ପ୍ରକାରର ମାଳା କେଉଁଠାରେ ଥାଏ? ଧନୀକ ପୁରୁଷମାନେ ସଉକରେ ଏହା ପିନ୍ଧିଥାନ୍ତି । ମଧ୍ୟବିତ୍ତ ପରିବାରର ସ୍ତ୍ରୀଲୋକମାନେ ଏହା ବ୍ୟବହାର କରନ୍ତି ।”

“ମୋର ଭଲକାମ ପାଇଁ ଜମିଦାର ମତେ ଏହି ମାଳା ଉପହାର ଦେଇଛନ୍ତି । ତେଣୁ ମୁଁ ଏହା ନିଶ୍ଚୟ ପିନ୍ଧିବି । ତୁମକୁ ଦେବି ନାହିଁ ।” ସୁରଜ ଏପରି କହିଲେ ।

“ତୁମର କେଉଁ ଭଲଗୁଣ, କେଉଁ ବାହାଦୁରୀ ପାଇଁ ଏପରି ଗର୍ବ କରୁଛ । ଜଣେ ଭୋକରେ ଥିବା ବାଳକକୁ ଖାଦ୍ୟ ଦେବାକୁ ରାଜି ନ ଥିଲ । ସେ ତାହା ବଳପୂର୍ବକ ତୁମଠାରୁ ଛଡାଇ ନେବାରୁ, ବିକଳରେ ଚିତ୍କାର କରି କାନ୍ଦିଲ । ସେ ବାଳକଟିକୁ, ତାଙ୍କ ଘରେ ନେଇ ଏଇ ଆଶାରେ ଛାଡିଦେଲ ଯେ, ତା’ର ଜମିଦାର ପିତାଙ୍କଠାରୁ ତୁମକୁ କିଛି ଭଲ ଉପହାର ମିଳିଯିବ । ଏସବୁ ହେଉଛି ଭାଗ୍ୟର ଖେଳ । ଏଥିରେ ତୁମର ଗର୍ବିତ ହେବାର କିଛିବି ନାହିଁ । ଯଦି ମୁଁ ତୁମକୁ ସେହି ଖାଦ୍ୟ ପୁଟୁଳିଟି ଦେଇ ନ ଥାନ୍ତି, ତେବେ ସେ ଜମିଦାର-ପୁତ୍ରର ପାଟିରୁ କଥା ବାହାରିବାର ଶକ୍ତି ମଧ୍ୟ ନ ଥିଲା । ସତ କହିବାକୁ ଗଲେ, କେବଳ ମୁଁ ହିଁ ତୁମର ଏହି ସୌଭାଗ୍ୟର ଅଧିକାରିଣୀ ।”

ଏହା ଶୁଣି ସୁରଜ ନିଜ ପତ୍ନୀଙ୍କ ଉପରେ ଚିଡିଉଠି କହିଲେ “ଗ୍ରାମର ଅନ୍ୟଲୋକମାନଙ୍କ ପରି, ତୁମେ ମଧ୍ୟ ମୋତେ ଈର୍ଷା କରୁଛ ।”

ସୁରଜଙ୍କ ପତ୍ନୀ ବେଖାତିର ଢଙ୍ଗରେ ପଚାରିଲେ “ଗ୍ରାମବାସୀମାନେ ତୁମକୁ ଈର୍ଷା କରୁଛନ୍ତି? ସେମାନେ ବା କାହିଁକି ଈର୍ଷାରେ ଜଳିବେ? ଗ୍ରାମବାସୀଙ୍କ କଥା ଛାଡ, ତୁମର ଏପରି କେଉଁ ସଦ୍ଗୁଣ ଅଛି ଯେ, ମୁଁ ବି କାହିଁକି ତୁମକୁ ଈର୍ଷା କରିବି?”

ତା’ପରେ ସୁରଜ ଗ୍ରାମରେ ପ୍ରବେଶ କରିବାଠାରୁ, ଯେଉଁ ସବୁ ଘଟଣା ଘଟିଥିଲା, ତାହା ପତ୍ନୀଙ୍କ ଆଗରେ ବଖାଣି କହିଲେ, “ଜଣେନୁହେଁ, ଦୁଇଜଣ ନୁହେଁ, ପାଂଚଜଣ ଲୋକଙ୍କ ସହ ମୋର ସାକ୍ଷାତ ହେଲା । କେହି ଜଣେ ହେଲେ ମୋ’ର ଭାଗ୍ୟର ପ୍ରଶଂସା କଲେ ନାହିଁ? ଏହା ଈର୍ଷା ନୁହେଁ ତ ଆଉ କ’ଣ?”

“ନା’, ଏହା ଆଦୌ ଈର୍ଷା ନୁହେଁ । ଆଚ୍ଛା, ମନେ ପକେଇ କହିଲ, ଗ୍ରାମର କାହାର କେଉଁ ଶୁଭ କାମରେ ତୁମେ କେବେବି ଖୁସୀ ହୋଇଛ? ସେମାନଙ୍କୁ ତାଙ୍କ ସୌଭାଗ୍ୟର ପ୍ରଶଂସା ଶୁଣେଇଛ? ସେମାନଙ୍କର ସୁଖଦୁଃଖରେ ଭାଗ ନେଇଛ? ଯଦି ତୁମେ କେବେ ମଧ୍ୟ ଏପରି କରିନାହଁ, ସେମାନେ ବା କାହିଁକି ତୁମ ସୁଖରେ ସୁଖୀ ହେବେ । ତୁମ ଆନନ୍ଦରେ ଭାଗୀଦାର ହେବେ, କିମ୍ବା ତୁମ ସୌଭାଗ୍ୟର ପ୍ରଶଂସା କରିବେ । ସୁଖ ଓ ଆନନ୍ଦର ସର୍ବଦା ଆଦାନ – ପ୍ରଦାନ ରହିବା ଦରକାର ।” ପତ୍ନୀ ଏତକ କହିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ