ପତ୍ନୀଙ୍କର ଏପରି ବାସ୍ତବ ପରାମର୍ଶ ସୁରଜଙ୍କ ମନକୁ ବେଶ୍ ଛୁଇଁଲା । ଏଥର ସେ ନିଜର ଭୁଲ୍ ବୁଝିପାରି, କିଛିକ୍ଷଣ ପାଇଁ ମୌନ ରହିଗଲେ । ପତ୍ନୀ ପୁନଶ୍ଚ କହିଲେ, “ଯେଉଁମାନେ ତୁମକୁ ଭେଟିଲେ, ସେମାନେ ସମସ୍ତେ ଜଣେ ଅନ୍ୟଜଣଙ୍କର ସୁଖର ଖବର ତୁମକୁ ଜଣାଇଲେ । କିନ୍ତୁ ତୁମେ ନିଜ ଆନନ୍ଦରେ ଏପରି ମଗ୍ନ ଥିଲ ଯେ, ଅନ୍ୟର ସୁଖକଥା ଭାବିବା ପାଇଁ ମଧ୍ୟ ପ୍ରସ୍ତୁତ ହେଲନାହିଁ । ଆମର ବିବାହର ଏତେଗୁଡିଏ ବର୍ଷ ବିତିଗଲାଣି । କେବେ ତୁମେ ସରାଗରେ ମୋ ପାଇଁ ଗହଣା ଖଣ୍ଡିଏ କରିଦେଇଛ? ଆଜି ଅଯାଚିତ ଭାବେ ଏଇ ମାଳାଟି ପାଇଲ । ମନରେ ଟିକିଏ ଭାବିଲ ମଧ୍ୟ ନାହିଁ, ଏଇଟି ଶ୍ରଦ୍ଧାରେ ପତ୍ନୀକୁ ଉପହାର ଦେବି । ତୁମପରି ସ୍ୱାର୍ଥପର ଲୋକ ମୁଁ ଆଉ କେଉଁଠାରେ ହେଲେବି ଦେଖିନାହିଁ ।”
ସୁରଜ ସଙ୍ଗେ ସଙ୍ଗେ ନିଜ ବେକରୁ ମାଳାଟି କାଢି ପତ୍ନୀଙ୍କୁ ଧରେଇ ଦେଇ କହିଲେ, “ମୁଁ କ’ଣ ଏଇ ମାଳା ସତରେ ପିନ୍ଧିବି? ମୁଁ ତୁମକୁ ଦେବାପାଇଁ ଚାହୁଁଥିଲି । କେବଳ ଥଟ୍ଟାରେ ଏପରି ନାଟକ କରି କହୁଥିଲି ନା, ଏତିକିରେ ତୁମେ ମୋତେ ସ୍ୱାର୍ଥପର, କେତେ କ’ଣ କହି ଗାଳି କରୁଛ ।” ପତ୍ନୀଙ୍କର ଅଭିମାନ ଭାଙ୍ଗିବା ପାଇଁ ସୁରଜ ଏପରି କହିଲେ ।
ସୁରଜଙ୍କ ପତ୍ନୀ ବେକରେ ମାଳାଟି ପିନ୍ଧି ବହୁତ ଖୁସୀ ହୋଇଗଲେ । ପତିଙ୍କୁ କଟୁଭାଷା କହିଥିବାରୁ ତାଙ୍କ ମନ ନେବାପାଇଁ ଦୁଇଚାରିପଦ ବେଶ୍ ମିଠାକଥା କହିଲେ । ଅନ୍ୟ ଗ୍ରାମବାସୀ, ଯେଉଁମାନଙ୍କର କଥା ରାସ୍ତାରେ ଅନ୍ୟମାନଙ୍କଠାରୁ ଶୁଣିଥିଲେ, ସେମାନଙ୍କୁ ଯାଇ ଭେଟିବା ପାଇଁ, ପତ୍ନୀ ପରାମର୍ଶ ଦେଲେ । ସୁରଜଙ୍କ ମନକୁ ଏକଥା ପାଇଲା ।
ତା’ପରେ ସୁରଜ ଲକ୍ଷ୍ମଣଙ୍କ ଘରକୁ ଗଲେ । ତାଙ୍କ ଝିଅର ବିବାହ ନିର୍ଦ୍ଧାରିତ ହୋଇଥିବା ଖବରରେ ସେ ଖୁବ୍ ଆନନ୍ଦିତ ଏହା ତାଙ୍କ ଆଗରେ ପ୍ରକାଶ କରି, ନିଜର ସାଧ୍ୟ ମୁତାବକ ସାହାଯ୍ୟ କରିବାପାଇଁ ପ୍ରତିଶ୍ରୁତି ଦେଲେ । ସେଠାରୁ ସେ ପଣ୍ଡିତ ରାମଶାସ୍ତ୍ରୀଙ୍କ ଘରକୁ ଗଲେ । ରାଜଧାନୀରେ ତାଙ୍କୁ ମିଳିଥିବା ସମ୍ମାନ ସମ୍ବନ୍ଧରେ ତାଙ୍କଠାରୁ ସବୁଶୁଣି ତାଙ୍କୁ ଅଭିନନ୍ଦନ ଜଣାଇଲେ । ଏହାପରେ ସେ ବିରାଜର କ୍ଷେତକୁ ଗଲେ । ବିରାଜକୁ ତା’ର ଭଲଦିନ ଆସିଯିବ କହି ଆଶ୍ୱାସନା ଦେଇ, ତା’ଠାରୁ ମାଗି ସେ କୂଅର ପାଣି ମୁନ୍ଦେ ପିଇଲେ । ଘରକୁ ଫେରିବାବେଳକୁ ତାଙ୍କୁ ବେଶ୍ ଖୁସୀ ଓ ହାଲୁକା ଲାଗୁଥାଏ । ସେହି କାରଣରୁ ବେଶ୍ ସୁଖନିଦ୍ରାରେ ରାତିଟି କଟେଇଲେ । ପରଦିନ ସକାଳେ ଉଠନ୍ତି ତ ଦେଖିଲେ, ଅଧିକାଂଶ ଗ୍ରାମବାସୀ ତାଙ୍କ ଘର ସମ୍ମୁଖରେ ଜମା ହୋଇଛନ୍ତି । ସେମାନେ ଭଦ୍ରଗିରିର ଜମିଦାରଙ୍କ ପ୍ରଦତ୍ତ ମୋତିମାଳାଟି ବିଷୟରେ ଜାଣିବା ପାଇଁ ଓ ଏହା ଦେଖିବା ପାଇଁ ଠୁଳ ହୋଇଥିଲେ ।