ତେଣେ ସୁଖରାମ ଆଉ ସୁଖଲତା ସହରକୁ ଯାଇ ଭଲ ଘର ଭଡାନେଇ ରହିଲେ । ସୁଖରାମ ନିଜର ବଡଶଳା ଏବଂ ତାର ସାଙ୍ଗ ସହିତ ସାଥିହୋଇ ବ୍ୟବସାୟ ଆରମ୍ଭ କଲା । ତା’ର ବି ପୁଅ ଯୋଡିଏ ହେଲେ । ସେମାନଙ୍କୁ ହାକିମ କରିବା ଉଦ୍ଧେଶ୍ୟରେ ସୁଖରାମ ସେମାନଙ୍କୁ ଇଁରାଜୀ ମିଡିୟମ୍ ସ୍କଲ୍ରେ ପଢାଇଲା । ସବୁ ଦିନେ ସୁଖରେ ରହି ଭଲଖାଇ, ବିଳାସ ବ୍ୟସନରେ ସମୟ କାଟୁ କାଟୁ ସୁଖରାମର ସବୁ ସୁଖ ହଠାତ୍ ଦିନେ କୁଆଡେ ଉଭାନ୍ ହୋଇଗଲା । ତାରି ଶଳା ବ୍ୟବସାୟର ପାଣ୍ଠିକୁ ଚଳୁ କରିଦେଇ ନିଜନାମରେ ଅଲଗା ବ୍ୟବସାୟ ଆରମ୍ଭ କରିଦେଲା । ଏଥର ସେ ସୁଖଲତାଙ୍କ ସବୁ ଫୁଟାଣି ପାଣି ଫାଟିଗଲା । କରିବେ ଆଉ କ’ଣ? ବର୍ତ୍ତମାନ ଉପାୟ କାହିଁ? ତା’ର ପୁଅମାନେ ତ ଏଠୁ କୁଟା ସେଠିକୁ ଉଠାଇବାର ପିଲା ନୁହଁନ୍ତି । ଶେଷରେ ଘରଭଡା ଦେଇ ନପାରିବାରୁ ଘରମାଲିକ ସେମାନଙ୍କୁ ସେ ଘରୁ ତଡିଦେଲା । ଶେଷରେ ଅନ୍ୟ କିଛି ଉପାୟ ନପାଇ ସପରିବାର ଗାଁକୁ ଚାଲିଆସିଲେ ।
ଭାଇ, ଭାଉଜ, ପୁତୁରାମାନଙ୍କୁ ଦେଖି ଦୁଃଖରାମ ଏବଂ ତା’ର ସ୍ତ୍ରୀ, ପିଲାମାନେ ଖୁବ୍ ଆଦର କଲେ । ତା’ପରେ ସୁଖରାମ ଦୁଃଖରାମର ହାତଧରି ପକାଇ କହିଲା “ତୁ ପ୍ରକୃତରେ ସୁଖରାମ, ମୁଁ ହିଁ ଦୁଃଖରାମ । ସ୍ତ୍ରୀ ବୁଦ୍ଧିରେ ପଡି ମୁଁ ଆଜି ସର୍ବସ୍ୱାନ୍ତ ହୋଇଯାଇଛି ।” ଦୁଃଖରାମ କହିଲା, ସେଇଟା ଠିକ୍ ନୁହେଁ ଭାଇ, ମୁଁ ତ ପୁଣି ମୋ ସ୍ତ୍ରୀ ବୁଦ୍ଧିରେ ସବୁ କାମ କରି ଆଗେଇଛି? ଏସବୁ କର୍ମର ଫଳ । କର୍ମ ନକରି ବସିଖାଇଲେ ନଈବାଲି ସରେ । ତଥାପି ସମୟ ଅଛି । ଦୁଃଖ କରନା । ଏଠି ଗାଁରେ ଆମେ ସମସ୍ତେ ମିଶି ଏକାଠି ରହିବା, ଚାଷ କରିବା, ତଥା ସୁଖରେ ରହିବା । ସୁଖଲତା ବି ସରଳାକୁ ଜାବୋଡିଧରି କାନ୍ଦିଲା । ପିଲାମାନେ ମଧ୍ୟ ପରସ୍ପର ପରସ୍ପରକୁ ଚିହ୍ନାଚିହ୍ନି ହେଲେ, ତା’ପରେ ସେ ଦୁଇଭାଇଙ୍କ ପରିବାର ମିଳିମିଶି ବେଶ୍ ସୁଖରେ ଚଳିଆସୁଛନ୍ତି । ଗାଁରେ ସେମାନେ ଏକ ଆଦର୍ଶ ପରିବାର, ବୈକୁଣ୍ଠ ସମାନ ଘର, ଅଭାବ ଅସୁବିଧା କିଛି ନାହିଁ, ଖଟୁଛନ୍ତି, ଖାଉଛନ୍ତି, ସୁଖରେ ରହିଛନ୍ତି । ଏବେ ସେ ଗାଁର ସମସ୍ତଙ୍କ ମୁହଁରେ ସୁଖରାମ ଆଉ ଦୁଃଖରାମର ପ୍ରଶଂସା ।