ତେଜପୁର ଗ୍ରାମର ସବୁଠାରୁ ବଡ ସାହୁକାର ରତନଲାଲ୍ ଥିଲେ । ତାଙ୍କର ବ୍ୟବସାୟ ହେଉଛି ଟଙ୍କା କରଜ ଦେଇ ବହୁତ ସୁଧ ନେବା । କଷିକରି ସୁଧ ସିଏ ନିଅନ୍ତି ବୋଲି ସମସ୍ତେ ତାଙ୍କୁ ସୁଧଖୋର୍ ବୋଲି ଜାଣନ୍ତି । ନିକଟବର୍ତ୍ତୀ ଗ୍ରାମମାନଙ୍କରୁ ମଧ୍ୟ ଲୋକେ ତାଙ୍କ ପାଖରୁ ଟଙ୍କା ନେବାକୁ ଆସନ୍ତି ।
ଦିନେ ସେ ଅନ୍ୟ ଗ୍ରାମମାନଙ୍କରୁ ସୁଧ ଅସୁଲ କରି ଦଶହଜାର ଟଙ୍କା ଧରି ନିଜ ଗାଁକୁ ଫେରୁଥିଲେ, ବାଟରେ ହଠାତ୍ ସଂନ୍ଧ୍ୟା ହୋଇ ଆସିଲା । ଏଣେ ସେ ରାସ୍ତା ବି ବଡ ଖରାପ୍ ଥିଲା । ତେଣୁ ସେ ତାଙ୍କ ଟଙ୍କାଥଳିକୁ ଅଂଟାରେ ଗୁଞ୍ଜି ରଖିଥା’ନ୍ତି । ଶୀଘ୍ର ଶୀଘ୍ର ସେ ତାଙ୍କ ପାଦ ଆଗକୁ ପକାଉଥା’ନ୍ତି । ଅନ୍ଧକାରକୁ ଭୟ । ପୁଣି ଆହୁରି ଗୋଟିଏ ଭୟର କାରଣ ହେଲା ଯେ ଯେଉଁ ଗାଁ ଗୁଡିକ ପାଖଦେଇ ସେ ଯାଉଥା’ନ୍ତି ସେଇଠାରେ କେଉଁଠି ଦେବୁ ଡାକୁର ଘର । ସେ କିଛିଦିନ ଆଗରୁ ଜେଲ୍ରୁ ମୁକୁଳିଛି । ତେଣୁ ଏବେ ସମସ୍ତିଙ୍କର ଧନ ଜୀବନ ବିପନ୍ନ । ଦେବୁ ଯଦି ଜାଣିବ ଯେ ରତନଲାଲ୍ ସୁଧଟଙ୍କା ଧରି ଫେରୁଛନ୍ତି ତେବେ ତ ସେ ନିଶ୍ଚୟ ଆସି ତାଙ୍କୁ ଆକ୍ରମଣ କରିବ । ଅନ୍ୟର ଜୀବନ ନେଇଯିବା ମଧ୍ୟ ତା’ପକ୍ଷେ କିଛି ବି ଅସମ୍ଭବ ନୁହେଁ । ଏମିତି ଡରଭୟ ଭିତରେ ତରବର ହୋଇ ଗଲାବେଳେ ପଛରୁ କିଏ ତାଙ୍କୁ ଡାକିଲା, “ରୁହ, କୁଆଡେ ଯାଉଛ?”
ରତନଲାଲ୍ ଏକଥା ଶୁଣି ହଠାତ୍ ଚମକି ଉଠିଲେ । ଅନ୍ଧାର ଭିତରେ ରତନଲାଲ୍ ତାକୁ ଦେଖିବାକୁ ଚେଷ୍ଟା କଲେ । ଲମ୍ବା ଓ ତଗଡା ଚେହେରା ଥିବା ସେ ଜଣେ ଲୋକ । ହାତରେ ତା’ର ବଡ ଲାଠି । ରତନଲାଲ୍ ଭାବିଲେ ଦେବୁ ଛଡା ଇଏ ଆଉ ଅନ୍ୟ କେହି ବି ହୋଇ ନପାରେ । ଏଣୁ ସେ ଭୟରେ ଜଡସଡ ହୋଇ ପଡିଲେ; ମନେହେଲା ଯେପରି ତାଙ୍କର ରକ୍ତ ପାଣି ହୋଇଗଲା । ଲୋକଟି ପୁଣି ତାଙ୍କରି ଆଡକୁ ଆସୁଛି । ରତନଲାଲ୍ଙ୍କ ପାଖରେ ପହଁଚି ସେ କହିଲା, “ଆରେ ରତନଲାଲ୍ବାବୁ ଆପଣ? ଏତେବେଳେ ଏକେଲା ଇଆଡେ କୁଆଡେ? ମୁଁ ମୋ କ୍ଷେତରୁ ଏହିକ୍ଷଣି ଘରକୁ ଫେରୁଛି । କ’ଣ ମୋତେ ଚିହ୍ନିପାରୁ ନାହାଁନ୍ତି କି? ମୁଁ ପରା କିଷନ୍ ।”
ତା’କଥା ଶୁଣି ରତନଲାଲ୍ କହିଲେ “ଓହୋ କିଷନ୍ । ମୁଁ ଚିହ୍ନିପାରିଲି ନାହିଁ । କମଳପୁର ଯାଇଥିଲି କିଛି ଟଙ୍କା ତ ଅସୁଲ୍ ହୋଇ ପାରିଲା ନାହିଁ । ମାତ୍ର ଫେରୁ ଫେରୁ ଅନ୍ଧାର ହୋଇଗଲା ।”