ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସୁଧଖୋର ରତନଲାଲ୍

      ଏହାପରେ ସେ ଦୁହେଁଯାକ ବାଟ ଚାଲିଲେ । ଚାଲୁ ଚାଲୁ ମଝିରେ କାଦୁଅ ରାସ୍ତା ପଡିଲା; ଯେତେ ସାବଧାନ ହୋଇ ଚାଲିଲେ ମଧ୍ୟ ରତନଲାଲ୍ ଦୁଇଥର ପଡି ଯାଉ ଯାଉ କିଷନ୍ ତାଙ୍କୁ ସମ୍ଭାଳି ନେଲା । କାଦୁଅ ରାସ୍ତା ଶେଷ ହୋଇ ନଥାଏ ଠିକ୍ ସେତିକିବେଳେ ସମ୍ମୁଖ ଦିଗରୁ କେହି ଜଣେ ଆସୁଥିବାର ଦେଖାଗଲା, ସେ କଡା ସ୍ୱରରେ କହିଲା, “ଏତେବେଳେ ଏଠାରେ କିଏସେ ଯାଉଛି?”

      ସେ କଣ୍ଠସ୍ୱର ରତନଲାଲ୍ଙ୍କର ଚିର ପରିଚିତ, ସେ ଜାଣିଲେ ଯେ ଦେବୁ ଡାକୁଛି । ଦେବୁର କର୍କଶ କଣ୍ଠସ୍ୱର ଶୁଣି ରତନଲାଲ୍ କିଷନ୍ କାନରେ କହିଲେ, “ଏ ଟଙ୍କାଥଳୀଟି ତୁ ରଖ, ସିଏ ଯାଇସାରିଲେ ତୁ ମୋତେ ପୁଣି ଏସବୁ ଆଣି ଦେଇଦେବୁ । ଏହା ସୁଧ ପଇସା; ପୁରା ଦଶହଜାର ଅଛି । ମୁଁ ତୋତେ ଭାଇ ସବୁ ମିଛ କଥା କହିଥିଲି ।”

      ସବୁକଥା ଶୁଣି କିଷନ୍ ରତନଲାଲ୍ଙ୍କୁ ସାହସ ଦେଇ କହିଲା, “ଆପଣ ଆଦୌ ଚିନ୍ତା କରନ୍ତୁ ନାହିଁ । ମୁଁ ଆପଣଙ୍କ ସହିତ ଅଛି; ଦେଖାଯିବ କ’ଣ ହେବ ।” ତା’ପରେ ସେ ଦୁହେଁ ଆଗକୁ ଆଗେଇଲେ । ସେମାନେ କାଦୁଅ ରାସ୍ତା ପାରି ହେବା ମାତ୍ରେ ଦେବୁ ରତନଲାଲ୍ଙ୍କ ଗଳାରେ ଗାମୁଛା ପକାଇ କହିଲା, “ମୁଁ ପକ୍କା ଖବର ରଖିଛି ଯେ, ଆଜି ତୁମେ ଦଶହଜାର ଟଙ୍କା ପାଇଛ । ସେ ସବୁତକ ମୋତେ ଦେଇ ଦିଅ ।” କିଷନ୍ ତତ୍କ୍ଷଣାତ୍ ଠେଙ୍ଗା ଉଠାଇ ଆଗକୁ ଆସି ଦେବୁକୁ କହିଲା, “ମୁଁ ଜାଣେ ତୁ କିଏ । ତୋପରି ଅନେକ ଡାକୁ ମୁଁ ମୋ ଜୀବନରେ ଦେଖିଛି । ଯଦି ତୋର ତୋ ନିଜ ଜୀବନ ପ୍ରତି ଆଶା ଅଛି ତ ତୁ ତାଙ୍କୁ ଛାଡିଦେ ଓ ନିଜ ରାସ୍ତାରେ ଚାଲି ଯା । ବରଂ ତୋ’ର ଏପରି ଦୁର୍ବ୍ୟବହାର କଥା କେହି ବି ଜାଣିବେ ନାହିଁ ।”

      ନିଜ ମୁଣ୍ଡ ଉପରେ ବିରାଟ ଠେଙ୍ଗା ଓ କିଷନ୍ର ସ୍ୱାସ୍ଥ୍ୟ ଦେଖି ସେ ଦେବୁ ଭୀଷଣ ଡରିଗଲା । ତେଣୁ ସେ ତାଙ୍କୁ ସେଇଠି ଛାଡିଦେଇ ଦୌଡି ପଳାଇଗଲା । କିଷନ୍ ରତନଲାଲ୍ଙ୍କୁ ସାଙ୍ଗରେ ନେଇ ତାଙ୍କ ଘରେ ସେ ପହଁଚାଇ ଦେଲା ।

      ମାସଟିଏ ବିତିଗଲା । ଦିନେ ଦେବୁ ଏକଲା ଯାଇ ରତନଲାଲ୍ଙ୍କ ଘରେ ପହଁଚି ତାଙ୍କୁ କହିଲା, “ମହାଶୟ, ମୁଁ ଏବେ ବଡ ଅସୁବିଧାରେ ପଡିଛି । ମୋ ଝିଅର ଆଜି ବାହାଘର । ଯଦି କିଛି ସାହାଯ୍ୟ କରନ୍ତେ ।”

      ରତନଲାଲ୍ ଦୃଢ କଣ୍ଠରେ ପଚାରିଲେ, “ସାହାଯ୍ୟ? ମୁଁ ପୁଣି ତୁମକୁ କି ପ୍ରକାର ସାହାଯ୍ୟ କରିପାରିବି?”

      ତହୁଁ ସେ ଦେବୁ କହିଲା “ମହାଶୟ, ମାତ୍ର ଏକ ହଜାର ଟଙ୍କା । ଛ ମାସ ପାଇଁ ଦେବେ । ଆଉ ସେଥିଲାଗି ମୁଁ ସୁଧ ମଧ୍ୟ ଦେବି ।”

      ଏପରି କଥା ଶୁଣି ଟିକିଏ ସମୟ ଚୁପ୍ ରହି ରତନଲାଲ୍ କ’ଣ ଭାବିଲେ କେଜାଣି; ତା’ପରେ ସେ କହିଲେ, “ଆରେ ଇଏ ତ ବଡ ଆନନ୍ଦର କଥା । ତୋ ଝିଅ କ’ଣ ମୋ ଝିଅ ନୁହେଁ । ଏକହଜାର ଟଙ୍କା ନେ ଓ ଧୂମଧାମ୍ରେ ତୁ ତୋ ଝିଅର ବାହାଘର କର ।”

      ଦେବୁ ଯିବାର କିଛି ସମୟ ପରେ କିଷନ୍ ଆସି ସେଠାରେ ପହଁଚିଲା । ସେ କାନ୍ଦ କାନ୍ଦ ହୋଇ ରତନଲାଲ୍ଙ୍କ ପାଦରେ ପଡି କହିଲା, “ମହାଶୟ, ମୋ ସ୍ତ୍ରୀକୁ ବଂଚାଇ ଦିଅନ୍ତୁ । ଘରେ ମୋର ଫୁଟା କଉଡିଟିଏ ବି ନାହିଁ । ଔଷଧ ପାଇଁ ପଇସା ଦରକାର । ତେଣୁ ଆପଣ ମୋତେ ଶହେ ଟଙ୍କା ଧାର ଦିଅନ୍ତୁ ମୁଁ ତା’ର ସୁଧ ବି ଦେବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ