ରତନଲାଲ୍ କିଷନ୍ର ଦୁଃଖ ଦ୍ୱାରା କୌଣସି ରୂପେ ମଧ୍ୟ ପ୍ରଭାବିତ ହେଲେ ନାହିଁ । ଓଲଟା କିଷନ୍କୁ ଗାଳିଦେଇ ରତନଲାଲ୍ କହିଲେ, “ଏଠାରେ କ’ଣ ପଇସା ଦାନ ଦିଆଯାଉଛି କି? ପଇସା-ଫଇସା ଏଠି କିଛି ବି ନାହିଁ । ପଇସା କ’ଣ ଗଛରେ ଫଳୁଛି ନା କ’ଣ? ମୁଁ ମୋ ଜୀବନକୁ କଷ୍ଟ ଦେଇ ପଇସା ରୋଜଗାର କରୁଛି । ଏବେ ଦେବୁ ଆସିଥିଲା । କୌଣସି ମତେ ଯୋଗାଡ ଯନ୍ତ୍ର କରି ମୁଁ ତାକୁ ହଜାରେ ଟଙ୍କା ଦେଲି । ପୁଣି ତୁ ବି ଆସି ଏବେ ପହଁଚିଗଲୁ । ଯାହାହେଉ ଦେବୁ ତ ଚୋରୀକରି ପଛେ ହେଉ ପଇସା ଫେରାଇବ । ହେଲେ ତୁ ତ ସାରା ଜୀବନ ଚେଷ୍ଟା କଲେ ମଧ୍ୟ ମୂଳ ବି ଫେରାଇ ପାରିବୁ ନାହିଁ । ଆହୁରି ପୁଣି ତୁ ସୁଧ ଦେବା କଥା କହୁଛୁ?”
କାନ୍ଦି କାନ୍ଦି ସେ ସମୟରେ କିଷନ୍ କିଛି ବି କହିପାରୁ ନଥିଲା । ତେଣୁ ବଡ କଷ୍ଟରେ ସେ କହିଲା, “ଏଥର ଦୟା କରନ୍ତୁ । ଆଉ କେବେ ମଧ୍ୟ ଆପଣଙ୍କୁ ମୁଁ ଅସୁବିଧାରେ ପକାଇବି ନାହିଁ ।”
ରତନଲାଲ୍ କିଷନ୍କୁ ବୁଝାଇ କହିଲେ, “ଦେଖ କିଷନ୍, ତୁ ସାରା ଦିନ ଲାଗି ବିଚାରା କେତେଟଙ୍କା ବା ପାଇବୁ ଯେ ସେଇଥିରୁ ପୁଣି ତୁ ମୋତେ ଶୁଝିବୁ? ଯାହା ତ ତୁ ପାଉଛୁ ସେଥିରେ କୌଣସି ମତେ ତୋର ଗୁଜୁରାଣ ମେଂଟି ଯାଉଛି । ଆଉ ଦେବୁ କଥା କହୁଛୁ? ସେ କେଉଁଠୁ ହେଲେ ବି ଧନ ନେଇ ଆସି ତା’ଋଣ ଶୁଝିଦେବ । ତେଣୁ ତୁ ଏଇ ଦଶଟଙ୍କା ନେଇ ସେଥିରେ କାମ ଚଳାଇ ଦେ । ତୋର ଶୁଝିବା ମୋଟେ ଦରକାର ନାହିଁ ।”
ରତନଲାଲ୍ଙ୍କ ଏଭଳି କଥା କିଷନ୍ ମନରେ ବହୁତ ଆଘାତ ଦେଲା । ତେଣୁ ସେ ପଇସା ନ ଆଣି ରିକ୍ତ ହସ୍ତରେ ସେଠାରୁ ଫେରିଗଲା ।
ଦୁଇମାସ ପରେ; ଦିନେ ରାତିରେ ରତନଲାଲ୍ଙ୍କ ଘରେ ଚୋରୀ ହେଲା । ପ୍ରାୟ ଦଶହଜାର ନଗଦ ଟଙ୍କା ଓ କିଛି ସୁନା ସବୁ ଚୋରୀ ହୋଇଗଲା । ଅତ୍ୟନ୍ତ ମନଦୁଃଖରେ ରତନଲାଲ୍ ଶେଷରେ ବିଛଣା ଧରିଲେ ।
ଏ ଘଟଣାର ସପ୍ତାହକ ପରେ ଦେବୁ ଦିନେଆସି କିଷନ୍ ସହିତ ଦେଖାକଲା । କିଷନ୍ ତ ସେତେବେଳେ କ୍ଷେତରେ ପାଣି ମଡାଉଥିଲା । ଦେବୁ ତାକୁ କହିଲା, “ତୁ କ’ଣ ସେହି ତେଜପୁରର କିଷନ୍?”
ଏଥିରୁ ସେ କିଷନ୍ କିଛି ବି ବୁଝି ନପାରି ଚୁପ୍ ରହିଲା; ତା’ପରେ ସେ କହିଲା, “ହଁ ହେଲେ ମୋ ପାଖରେ ତୋର କ’ଣ ଦରକାର?”
“ତୋ ପାଖରେ ମୋର ତ କିଛି କାମ ନାହିଁ । ମୁଁ ଖାଲି ତୋତେ କିଛି କଥା କହିବାକୁ ଆସିଛି । ଦିନେ ତୁ ରତନଲାଲ୍ ପାଖକୁ କିଛି ଟଙ୍କା ଧାର୍ କରିବାକୁ ଯାଇଥିଲୁ ନା? ମୁଁ ତାହା ଜାଣେ । ସେତେବେଳେ ତୋ ସ୍ତ୍ରୀର ଦେହ ଭୀଷଣ ଖରାପ ଥିଲା । ନେ ଏଥିରେ ଦୁଇଶହ ଟଙ୍କା ଅଛି । ରତନଲାଲ୍ର ଭାବି ତୁ ଏହା ରଖି ନେ ଓ ନିଜ କାମ ଚଳାଇ ନେ, ମୁଁ ଏଥର ଯାଉଛି ।” ଏତିକି କହି ସେ ଟଙ୍କାଥଳୀଟି ହିଡ ଉପରେ ରଖିଦେଇ ପଳାଇଲା ।
କିଛି ସମୟ ପାଇଁ କିଷନ୍ କିଛି ବି ବୁଝିପାରିଲା ନାହିଁ । ଏହାପରେ ସେ ସିଧା ସେ ଥଳୀଟି ଧରି ରତନଲାଲ୍ଙ୍କ ପାଖରେ ପହଁଚିଲା ଓ ତାଙ୍କୁ ସବୁକଥା କହିଲା । ଶେଷରେ ସେ କହିଲା, “ଏ ଦୁଇଶହ ଟଙ୍କା ଏହା ଭିତରେ ଅଛି ଯାହା ଦେବୁ ମୋତେ କହିଲା । ମୁଁ ଦେଖିନାହିଁ କି ଗଣିନାହିଁ ଏହା ଆପଣଙ୍କର ବୋଲି ସେ ମୋତେ କହିଲା; ଦେଖି ରଖନ୍ତୁ ।”
ଏକଥା ଶୁଣି ରତନଲାଲ୍ କହିଲେ “କିନ୍ତୁ ଏ ଥଳୀ ତ ମୋର ନୁହେଁ ତୋର । ତେଣୁ ମୁଁ ତାକୁ କେବେ ମଧ୍ୟ ନେବିନାହିଁ । ସେଦିନ ମୋର ଯେଉଁ ଭୁଲ୍ ହୋଇଛି ତାହା ତୁ କ୍ଷମା କର । କିଷନ୍ ମୁଁ ଯେଉଁ ଭାବିଥିଲି ଦେବୁ କେଉଁଠୁ ହେଲେ ବି ଟଙ୍କା ଆଣି ମୋ ଟଙ୍କା ଶୁଝିଦେବ, ସେପରି ଭାବିବାଟାହିଁ ମୋର ସବୁଠୁ ବଡ ଭୁଲ୍ ଥିଲା । କାରଣ ସେ ମୋରି ଘରେ ହିଁ କଳାକନା ବୁଲେଇ ଦେଲା । ଏଣେ ତୁ ସେଦିନ ମୋର ଜୀବନ ବଂଚାଇଲୁ, ଦେବୁ ମୋ ଗଳା ଚିପି ମୋତେ ମାରି ଦେବାକୁ ଯାଉଥିଲା । ମୋର ଦୋଷତୃଟି ଯୋଗୁଁ ମୋତେ ତ ଯଥେଷ୍ଟ ଦଣ୍ଡ ମିଳିସାରିଲାଣି । ଏବେ ଏହି ଥଳୀ ସମ୍ପୂର୍ଣ୍ଣ ରୂପେ ତୋର ଏଥିରେ ମୋର ଆଉ କିଛି ବି ଅଧିକାର ନାହିଁ । ଭାବିନେ ଯେ ମୋ ଜୀବନ ବଂଚାଇଥିବା ହେତୁ ଏହା ତୋର ପ୍ରାପ୍ୟ ତଥା ପୁରସ୍କାର ।” ଏତିକି କହୁ କହୁ ତାଙ୍କ ଆଖିରେ ହଠାତ୍ ଲୁହ ଆସିଗଲା । ତାହା ଥିଲା ଅନୁତାପର ଲୁହ ।
ଏବେ କିଷନ୍ ଚୁପ୍ ହୋଇ ଠିଆ ହୋଇଥାଏ । ତା’ ମୁହଁରେ ଆଉ କିଛି ବି ଶବ୍ଦ ନାହିଁ । ଶେଷକୁ ସେ ରତନଲାଲ୍ଙ୍କୁ ନମସ୍କାର କରି ଥଳୀ ଧରି ଧୀରେ ଧୀରେ ସେଠାରୁ ଚାଲି ଆସିଲା ।