ରବିଚନ୍ଦ୍ର ନାମକ ଜଣେ ଅବିବାହିତ ଯୁବକ ସରକାରୀ ଚାକିରୀ ପାଇ ସହରରେ ରହୁଥାଏ । ଦିନେ ସେ ତା’ର ବନ୍ଧୁର ବିଭା ଘରକୁ ଯାଇଥାଏ । ସେଠାରେ ସେ ଦେଖିଲା ଅନେକ ଅବିବାହିତ ଝିଅ ବିବାହ ଉତ୍ସବରେ କାମ କରୁଥା’ନ୍ତି । ରବି ଲକ୍ଷ୍ୟ କରି ଦେଖିଲା ସେମାନଙ୍କ ମଧ୍ୟରେ ସ୍ୱାତୀ ନାମକ ଝିଅଟିଏ ଯେମିତି ସୁନ୍ଦର, ଠିକ୍ ସେପରି ଗୁଣର, ତା’ର ବ୍ୟବହାର ଅତ୍ୟନ୍ତ ସୁସସ୍କୃତ । ସେ ତାପରେ ସେ ଝିଅଟିର ବାପମା’ଙ୍କ ପାଖରେ ପହଁଚି ବିବାହ ପ୍ରସ୍ତାବ ଦେଲା । ସେମାନେ ନିମ୍ନ ମଧ୍ୟବିତ ଯୋଗୁଁ ଯୌତୁକ ଦେଇପାରିବେ ନାହିଁ ବୋଲି ଜାଣି ମଧ୍ୟ ରବି ସେହି ବାହାଘରରେ ରାଜି ହେଲା ।
ରବିଚନ୍ଦ୍ର ସ୍ୱାତୀର ବାପାଙ୍କୁ କହିଲା, “ମହାଶୟ, ମୋର ପିଲାଦିନୁ ବାପା ମରିଛନ୍ତି । ଏକମାତ୍ର ମା’ ଛଡା ମୋର ଆଉ କେହି ବି ନାହିଁ । ଆମ ପରିବାର ବହୁତ ଦାରିଦ୍ର୍ୟ ମଧ୍ୟ ଦେଇ ଯାଇଥିବାରୁ ମା’ ମୋ ବିବାହରେ ଯୌତୁକ ଚାହେଁ । କିନ୍ତୁ ମା’କୁ ବୁଝାଇବା ଦାୟିତ୍ୱ ମୋର । ପରେ ସବୁ ଠିକ୍ ହୋଇଯିବ ।”
ସ୍ୱାତୀର ବାପା ମା’ ରବିଚନ୍ଦ୍ର ପ୍ରସ୍ତାବକୁ ସ୍ୱୀକାର କଲେ । ବିବାହ ମହା ସମାରୋହରେ ହୋଇଗଲା ।
ସ୍ୱାତୀର ମନରେ ଭୟଥାଏ ଯେ ଯୌତୁକ ଯୋଗୁଁ ଶାଶୁ ହୁଏତ ରାଗି ପାରନ୍ତି । ପ୍ରଥମେ ଶାଶୁ ମଧୁର ଭାବରେ କଥାବାର୍ତ୍ତା କରୁଥା’ନ୍ତି । ରାତିରେ ଭୋଜନ କରିବା ସମୟରେ ରବିଚନ୍ଦ୍ର କହିଲା, “ମା’ ତମେ କେବେ ମନରେ କଷ୍ଟ କରିବ ନାହିଁ ଯେ ବୋହୁ ଯୌତୁକ ଆଣିନାହିଁ; ସେ ତୁମର ସେବା କରିବ । ଘରର ସାରା କାମ କରିବ । ମୁଁ ଯେତିକି ରୋଜଗାର କରୁଛି ସେଥିରେ ଆମ ସଂସାର ଭଲରେ ଚଳିବ । ଜମିବାଡି ତ ଗ୍ରାମରେ କିଛି ଅଛି ।”