ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସୁନାବୋହୁ

                ରବିର ମା’ ଚୁପ୍ ରହିଲେ ଓ ଅଳ୍ପ ହସି ମଥା ହଲାଇଲେ । ପରଦିନ ରବି କାମକୁ ଯିବା ପରେ ସ୍ୱାତୀ ପାଣି ଆଣିବାକୁ ଯାଇଛି, ରବିର ମା’ ଯାଇ କୁଅମୂଳେ ପହଁଚି ଗଲେ ଓ ଚିତ୍କାର କରି କହିଲେ, “ହେ ମାୟାବିନୀ, ତୁ କି ମନ୍ତ୍ରତନ୍ତ୍ର କରି ମୋ ପୁଅକୁ ତୋ ଜାଲରେ ପକାଇଛୁ? ମୁଁ କେତେ ଧନୀ ଲୋକଙ୍କ ଘରେ ପୁଅର ପ୍ରସ୍ତାବ ଦେଇଥିଲି ସବୁ କୁଆଡେ ଗଲା, ଆଉ ହଠାତ୍ ତତେ ବାହାହେଇ ସେ ଚାଲି ଆସିଲା?”

                ଏସବୁ ଶୁଣି ସେ ସ୍ୱାତୀ ନିଜର କାନକୁ ଓ ଆଖିକୁ ଜମା ବିଶ୍ୱାସ କରି ପାରିଲା ନାହିଁ । ତା’ପରେ ସେ ଅତ୍ୟନ୍ତ ଧୀର ସ୍ୱରରେ କହିଲା, “ମା’ ମୋର କ’ଣ ଭୁଲ୍? ମୁଁ ଯୌତୁକ ବିଷୟରେ କ’ଣ ବା ଜାଣେ? ଆପଣଙ୍କ ପୁଅ ତ ମୋ ବାପାମା’କୁ ବିନା ଯୌତୁକରେ ବିବାହ କରିବାର ପ୍ରସ୍ତାବ ରଖିଥିଲେ ।”

ବୋହୁ କଥା ଶୁଣି ଶାଶୁ କହିଲେ, “ଆଚ୍ଛା, ଏପରି କଥା? ରବିପରି ପିଲାକୁ ଜ୍ୱାଇଁ କରି ପାଇବା ପରେ ତୋ ବାପ ମାଙ୍କର ବିବେକ ନଥିଲା କିଛିହେଲେ ବି ଦେଇ ନାହାଁନ୍ତି? ଶୁଣତେବେ; ରାମପୁରର ଶିବନାଥଙ୍କ ଝିଅ ସହିତ ରବିର ପ୍ରସ୍ତାବ ପଡିଥିଲା । ଶିବନାଥଙ୍କ ଝିଅ ସୁନ୍ଦର, ପୁଣି ଏକଲକ୍ଷ ଟଙ୍କା ଯୌତୁକ ଦେବାକୁ ସେ ରାଜି ହୋଇଥିଲେ ଆଉ ମଝିରେ ତୋ ବାପ ଶନିଗ୍ରହ ଭଳି କେଉଁଠୁ ଆସି ଜୁଟିଲା ସବୁ ନଷ୍ଟ ଭ୍ରଷ୍ଟ କରି ମୋତେ ଠକିଦେଲା । ଏବେ ତତେ ଠିକଣା ବାଟକୁ ଆଣିବାକୁ ସବୁଦିନେ କିଛି କିଛି ଶିକ୍ଷା ଦେବାକୁ ପଡିବ । କିନ୍ତୁ ପୁଅ ଯଦି ଏସବୁ ବିଷୟରେ ବିନ୍ଦୁବିସର୍ଗ ସୁଧା ଜାଣେ ତେବେ ମୁଁ କୂଅକୁ ଡେଇଁ ମରିବି । ମାତ୍ର ତା’ ଆଗରୁ ଲେଖିଦେଇ ଯିବି ଯେ ବୋହୁପାଇଁ ମୁଁ ମଲି । ତା’ପରେ ତ ତୁ ଦେଖିବୁ ମଜା ।”

ସେହିଦିନଠାରୁ ଶାଶୁ ସ୍ୱାତୀକୁ ବହୁତ କଷ୍ଟ ଦିଅନ୍ତି, ଘରର ଚାକରାଣୀକୁ ବାହାର କରିଦେଲେ । ଏବେ ସେ ଘରର ଭଲମନ୍ଦ ସବୁ କାମ ନିଜ ହାତରେ ବୋହୁ କରେ । କିନ୍ତୁ ଏସବୁ ସ୍ୱାତୀ କେବେ ବି ରବିକୁ କୁହେ ନାହିଁ । ରବି ଫେରିବା ପରେ ଶାଶୁ ବୋହୁ ବିଷୟରେ ପ୍ରଶଂସା କରି ଅତି ମଧୁର କଥା କୁହନ୍ତି ଓ ସ୍ନେହ ଦେଖାନ୍ତି । ପୁଣି ସକାଳେ ରବି ଚାଲିଯିବା ପରେ ନିତିଦିନର କଥା ଚାଲୁଥାଏ । ଦିନେ ଦିନେ ଖରାବେଳେ ପେଟଭରି ଖାଇସାରି ଶାଶୁ ବୋହୁକୁ ପାଖକୁ ଡାକି କହନ୍ତି, “ଆରେ କାଙ୍ଗାଳର ଝିଅ ଶୁଣ । ମୁଁ ଶିବନାଥ ଝିଅକୁ ବୋହୁକରି ଆଣିଥିଲେ ହାତରେ ଲକ୍ଷେ ଟଙ୍କା ଧରି ଏବେ ଦୁଇଟା ଚାକରାଣୀ ରଖି ରାଣୀ ହୋଇ ବସିଥା’ନ୍ତି । କି ଦୁର୍ଭାଗ୍ୟ ହେଲା, ରବି ମୁଣ୍ଡରେ ବି ଭୂତ ପ୍ରବେଶ କଲା ଯେ ତୋତେ ଆଣିଲା, ପଇସାଟିଏ ବି ନାହିଁ । ହାୟରେ କପାଳ ।” ଏହା କହି ମଥା ପିଟି ସେ କାନ୍ଦନ୍ତି ।

ଥରେ ରବିର କିଛି ସରକାରୀ କାମ ପଡିଲା ତେଣୁ ସେ ଚାରି ପାଞ୍ଚଦିନ ପାଇଁ ସହର ବାହାରକୁ ଗଲା । ଏତେ କାମ କରିବା ମଧ୍ୟ ସ୍ୱାତୀର ଅଭ୍ୟାସ ନଥିଲା । ଏହି କାରଣରୁ ତା’ପରଦିନହିଁ ସେ  ସ୍ୱାତୀ ଭୟଙ୍କର ଜରରେ ପଡିଲା । ତଥାପି ମଧ୍ୟ ଶାଶୁ ତାଙ୍କ ବୋହୁର ଜର କଥା ନ ଭାବି ଏକ ବିବାହ ଉତ୍ସବ ଦେଖିବାକୁ ଚାଲିଗଲେ ଏଣେ ଘରେ ସ୍ୱାତୀ ଏକେଲା ଜରରେ କମ୍ପୁଛି । ଶାଶୁ ଯିବାବେଳେ କହିଗଲେ, “ତୋ ଜର ପାଇଁ ଉପାସ ରହିବା ହେଉଛି ସବୁଠାରୁ ଭଲ ଔଷଧ । ଶୋଷ ହେଲେ ଅଳ୍ପ ପାଣି ପିଇଦେବୁ ଆଉ କବାଟ ବନ୍ଦ କରି ଶୋଇଯିବୁ । କାହିଁକିନା ଆଜି ମୁଁ ଆଉ ଫେରୁନାହିଁ, କାଲି ଫେରିବି । ତୁ କାଲି ସକାଳୁ ଉଠି ରନ୍ଧାବଢା କରି ରଖିଥିବୁ ।”

ଜର ଯୋଗୁଁ ସ୍ୱାତୀକୁ ବହୁତ ଦୁର୍ବଳ ଲାଗୁଥାଏ । କୌଣସି ମତେ ଉଠି କବାଟ ଝରକା ବନ୍ଦ କରି ସେ ଶୋଇଲା । ଟିକିଏ ପରେ ବର୍ଷା ଆରମ୍ଭ ହୋଇଗଲା । ଥଣ୍ଡା ପବନ ଯୋଗୁଁ ତାକୁ ବହୁତ ଶୀତ ହେଲା । ସେ କୌଣସି ମତେ ଶୋଇବାକୁ ଚେଷ୍ଟା କଲା । କିଛି ସମୟ ପରେ କିଏ କବାଟ ଖଟଖଟ କଲା । ସ୍ୱାତୀ ପୁଣି କଷ୍ଟେ ମଷ୍ଟେ ଉଠି କବାଟ ଖୋଲି ଦେଖିଲା ଜଣେ ଝିଅ ଆଉ ତା’ହାତରେ ସୁଟକେଶ୍ । ସ୍ୱାତୀକୁ ଚାହିଁ ସେ କହିଲା, “ମୋ ନାମ ବିଜୟା । ମୋତେ କ୍ଷମା କର, ମୁଁ ତୁମ ନିଦ ଭଙ୍ଗାଇଲି । କିନ୍ତୁ ମୁଁ ନାଚାର । ମୋର ଜଣେ ସାଙ୍ଗ ଝିଅର ବାହାଘରରୁ ମୁଁ ଫେରୁଥିଲି । ଏତେ ବର୍ଷା ବାଟରେ ହେଲା ଯେ ବଳଦମାନେ ଗାଡି ଟାଣିପାରୁ ନାହାଁନ୍ତି । ମୁଁ ମଧ୍ୟ ସଂପୂର୍ଣ୍ଣ ଓଦା । ତେଣୁ ଭାବିଲି, ରାତିଟା ଏଇଠି ରହି ସକାଳୁ ଚାଲିଯିବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ