ସବୁ ଶୁଣି ସ୍ୱାତୀ କହିଲା, “ଦୁଇଦିନ ହେବ ମୋତେ ଭୀଷଣ ଜର । ତୁମେ ମୋର ଶାଢୀଟିଏ ନେଇ ବଦଳି ପକାଅ, ବହୁତ ଓଦା ହୋଇଯାଇଛ । ଆଉ ଏଇ ଖଟରେ ଶୋଇଯାଅ ।” ଏତିକି କହି ସେ ତା’ର ଖଣ୍ଡେ ଭଲ ଶାଢୀ ଆଣି ବିଜୟାକୁ ଦେଲା । ବିଜୟାକୁ ସ୍ୱାତୀର ବ୍ୟବହାର ଓ କଥା ବହୁତ ଭଲ ଲାଗିଲା । ସୁତରାଂ ସେ ତା’ର ହାତ ଧରି କହିଲା, “ତୁମକୁ ତ ବହୁତ ଜର, ତୁମେ ଶୋଇଯାଅ । ମୁଁ ସବୁ ଠିକ୍ କରିଦେବି ।”
ସ୍ୱାତୀ ସକାଳୁ ଉଠି ଦେଖିଲା ବିଜୟା କେତେବେଳରୁ ଉଠି ଯିବାକୁ ପ୍ରସ୍ତୁତ ହେଲାଣି । ସେ କହିଲା, “କିଛି ସମୟ ପରେ ଶାଶୁ ଆସିଯିବେ । ମୋତେ ଏବେ ଯାଇ ରାନ୍ଧିବାକୁ ପଡିବ ।”
ବିଜୟା ସ୍ୱାତୀର ହାତ ଧରି କହିଲା, “ତୁମେ କିଛି ସମୟ ଶୋଇରୁହ । ମୁଁ ତ ତୁମର ନାମ ଜାଣେନାହିଁ । କିନ୍ତୁ ତୁମେ ଗତ ରାତିରେ ଯାହାସବୁ ବିଳିବିଳୋଉଥିଲ ସେଥିରୁ ମୁଁ ଜାଣିପାରିଲି ଯେ ଯୌତୁକ ନ ଆଣିଥିବାରୁ ତୁମକୁ ତୁମ ଶାଶୁ ବହୁତ କଷ୍ଟ ଦେଉଛନ୍ତି, ନା?”
ଏହା ଶୁଣି କିଛି ସମୟ ଚୁପ୍ ରହିବା ପରେ ସ୍ୱାତୀ କହିଲା, “ତୁମ ଅନୁମାନ ଠିକ୍ । ମୋ ଶାଶୁଙ୍କର ଯୌତୁକରେ ଲୋଭ ଥିଲା । ଶୁଣିଛି ଯେ ରାମପୁରର ଶିବନାଥଙ୍କ ଝିଅକୁ ସେ ବୋହୂ କରିବାକୁ ଚାହୁଁଥିଲେ ଯିଏ କି ତାଙ୍କୁ ଲକ୍ଷେ ଟଙ୍କା ଦେବାର ପ୍ରତିଶୃତି ଦେଇଥିଲେ । କିନ୍ତୁ ନିଜ ମାଙ୍କୁ କିଛି ବି ନ କହି ମୋ ସ୍ୱାମୀ ମୋ ବାପମାଙ୍କୁ ଦେଖାକରି ମୋତେ ବିବାହ କରିବାର ପ୍ରସ୍ତାବ ଦେଲେ ଓ ବିବାହ ହୋଇଗଲା । ସେଥିପାଇଁ ମୋ ଶାଶୁଙ୍କର ମନ ଭାରି ଦୁଃଖ । ମୁଁ ବା ଏବେ ଆଉ କ’ଣ କରିପାରେ ।”
ଏସବୁ ଶୁଣି ବିଜୟା ଆଶ୍ଚର୍ଯ୍ୟ ହେଲା ଓ ହସି ହସି କହିଲା, “ଆଚ୍ଛା, ତେବେ କଥା ଯାଇ ସେଠି । ଏବେ ତୁମ ଶାଶୁ ଆସିବା ମାତ୍ରେ ତୁମେ ମୋତେ ତୁମର ସାଙ୍ଗ ବୋଲି କହି ଚିହ୍ନା ଦେବ ମୁଁ ତାଙ୍କ କାନରେ ଏମିତି କିଛି ମନ୍ତ୍ର ପଢିଦେବି ଯେ ସେ ଭଲ ବାଟକୁ ଆସିଯିବେ । ତୁମପରି ସୁନାବୋହୁକୁ ପାଇ ସେ ଟଙ୍କା ଯୋଗୁଁ ଏପରି ବ୍ୟବହାର କରୁଛନ୍ତି?”
କିଛି ସମୟ ପରେ ଶାଶୁ ଆସି ପହଁଚିଗଲେ । ଅଳଙ୍କାରରେ ପୂର୍ଣ୍ଣ ବିଜୟାକୁ ଦେଖି ସେ ପଚାରିଲେ, “ମା, ତୁମେ କିଏ?”
ତହୁଁ ବିଜୟା ହସି ହସି କହିଲା, “ମୁଁ ସ୍ୱାତୀର ପିଲାଦିନର ସାଙ୍ଗ । ଗୋଟିଏ ବାହାଘରରେ ଯୋଗ ଦେବାକୁ ଯାଇଥିଲି । ରାତି ବେଶି ହେବାରୁ ମୁଁ ଏଇଠି ଅଟକି ଗଲି ।”
କଥାବାର୍ତ୍ତାରୁ ଶାଶୁ ବୁଝିନେଲେ ଯେ ଝିଅଟି ବିବାହିତା ନୁହେଁ । ତେଣୁ ସେ ଭାବିଲେ, “ଏମିତି ଧନୀଘରର ଝିଅଟିଏ ମୋ ବୋହୁ ହୋଇଥିଲେ କେତେ ଯେ ଭଲ ହୋଇଥା’ନ୍ତା । ତା’ପରେ ସେ ସ୍ୱାତୀକୁ କହିଲେ, “ବୋହୁ, ତୁ ଚଂଚଳ ରନ୍ଧାରନ୍ଧି ଶେଷ କର ।” ଏହା ଶୁଣି ସ୍ୱାତୀ ବିଚାରୀ ଚୁପ୍ଚାପ୍ ରୋଷେଇ ଘରକୁ ଚାଲିଗଲା । ଶାଶୁ ବିଜୟାକୁ କହିଲେ, “ତମେ ତ ଲକ୍ଷ୍ମୀପରି ଝିଅଟିଏ ହୋଇଛ, ଆଉ ମୋ ବୋହୁ ଏତେ ବୋକା କାହିଁକି?”
ଏକଥା ଶୁଣି ବିଜୟା ଅଳ୍ପ ହସି କହିଲା, “ମୋ ସାଙ୍ଗ ଭଳି ଆଉ ଝିଅ ଅଛି? ଆମ ସମସ୍ତିଙ୍କ ଭିତରେ ସିଏ ତ ଥିଲା ସବୁଠାରୁ ଭଲ । ତା’ର ରୂପ ଯେମିତି ଗୁଣ ବି ସେମିତି । ପୁଣି ଭାଗ୍ୟ ତା’ର ଏତେ ଭଲ ଯେ ମା’ ପରି ଶାଶୁ ସେ ପାଇଛି । କାଲି ରାତି ସାରା ତ ଆପଣଙ୍କ ପ୍ରଶଂସା କରୁ କରୁ ସମୟ କିପରି ବିତିଗଲା ଜଣାପଡିଲା ନାହିଁ ।”
ଏମିତି କଥା ଶୁଣି ଶାଶୁ ମନେ ମନେ ବହୁତ ଖୁସି; ତା’ପରେ ସେ କହିଲେ, “ଆଜିକାଲି ଶାଶୁକୁ ପ୍ରଶଂସା କରିବା ବୋହୂ କୁଆଡେ ମିଳୁଛି? ସ୍ୱାତୀ ମୋ ବିଷୟରେ ନିଶ୍ଚୟ କହିଥିବ ଯେ ମୁଁ ଟିକିଏ ଅଖାଡୁଆ ଭାବରେ କଥାବାର୍ତ୍ତା କରେ ।”
ବିଜୟା ପୁଣି କହିଲା, “ନାହିଁ ତ? ଆପଣଙ୍କ ବିଷୟରେ ସେ ଟିକିଏ ହେଲେ ମଧ୍ୟ ଖରାପ କଥା କହିନାହିଁ । ରାମପୁରରେ ଥିବା ଆମର ବନ୍ଧୁବାନ୍ଧବ ଶିବନାଥଙ୍କ ଝିଅର ଏବେ ବାହାଘର ହେଲା । ଶୁଣିଲୁ ଯେ ତା’ ଶାଶୁ ବଡ କଜିଆଖୋରଣି । ଟିକିଏ କଥାକୁ ନେଇ ବୋହୁକୁ ସେ ସଦା ସର୍ବଦା ଗାଳିଦିଏ । ଶେଷକୁ ସେ ଝିଅ ତା’ ଶାଶୁକୁ କାମରୁ ଛୁଟି ଦେଇଦେଲା ।”
ବିଜୟାର କଥା ନବୁଝିପାରି ଶାଶୁ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ଛୁଟି ମାନେ? ନିଜ ଶାଶୁକୁ ଘରୁ ବାହାର କରିଦେଲା ନା କ’ଣ?”
ଶାଶୁଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିଜୟା ଗମ୍ଭୀର ହୋଇ ରହସ୍ୟପୂର୍ଣ୍ଣ ସ୍ୱରରେ କହିଲା, “ସେକଥା ହୋଇଥିଲେ ତ ଭାରି ଭଲ ହୋଇଥାନ୍ତା । କିନ୍ତୁ ସେ ବୋହୁ କିଛି ବିଷ ଖୁଆଇ ତା’ ଶାଶୁ ମହାଶୟାଙ୍କୁ ଏହି ପୃଥିବୀ ଲୋକରୁ ପରଲୋକକୁ ସିଧା ପଠାଇ ଦେଲା ।”
ସବୁ ଶୁଣି ଶାଶୁ କହିଲେ, “ସତେ? ଝିଅପିଲା ହୋଇ ଏଡେ ଭୟାନକ? ଭଲ ହୋଇଛି ସେ ମୋର ବୋହୁ ହୋଇ ଆସିନାହିଁ । ପ୍ରଥମେ ତା’ ସହିତ ତ ମୋ ପୁଅର ପ୍ରସ୍ତାବ ପ୍ରାୟ ଠିକ୍ ହୋଇ ଯାଇଥିଲା ।”
“ଆପଣ ଏବେ ଭାବନ୍ତୁ କେଡେ ବଡ ବିପଦରୁ ରକ୍ଷା ପାଇଛନ୍ତି । ଏବେ ସ୍ୱାତୀ ଭଳି ସାକ୍ଷାତ୍ ଲକ୍ଷ୍ମୀ ବୋହୁକୁ ନେଇ ଖୁସିରେ ଥା’ନ୍ତୁ, ମୁଁ ଯାଉଛି ମାଉସୀ ।” ଏହି କଥା କହି ବିଜୟା ସେଠାରୁ ଉଠି ଚାଲିଗଲା । ଏଣେ ରନ୍ଧାଘର କବାଟ ପଛରେ ଥାଇ ସ୍ୱାତୀ ସବୁ ଶୁଣୁଥାଏ ।
ସେହି ଦିନଠାରୁ ଶାଶୁ ବୋହୁପ୍ରତି ଭଲ ବ୍ୟବହାର କଲେ ଓ ପୂର୍ବରୁ ବୋହୁକୁ ଖରାପ ବ୍ୟବହାର କରିଥିବା ଯୋଗୁଁ ବହୁତ ମନସ୍ତାପ ବି କଲେ ।
ଏମିତି ମାସଟିଏ ବିତିଗଲା । ଦିନେ ଖରାବେଳେ ଶାଶୁ ଶୋଇଥାନ୍ତି ଠିକ୍ ସେହି ସମୟରେ ସ୍ୱାତୀ ଦେଖିଲା ଘର ଆଗରେ ବଳଦଗାଡିଟିଏ ରହିଲା । ସ୍ୱାତୀ ବାହାରକୁ ଦୌଡିଗଲା । ଦେଖିଲା ବିଜୟା । ବିଜୟା ହସି ହସି ପଚାରିଲା, “ତୁମ ଶାଶୁଙ୍କର କିଛି ପରିବର୍ତ୍ତନ ହେଲା ନା ନାହିଁ?”
ସ୍ୱାତୀ କହିଲା, “ଏବେ ଶାଶୁ ମୋତେ ଅତି ସ୍ନେହପୂର୍ଣ୍ଣ ବ୍ୟବହାର କରୁଛନ୍ତି । କିନ୍ତୁ ତମେ ଶିବନାଥଙ୍କ ଝିଅ ନାମରେ ଯେଉଁ ମିଥ୍ୟା ରରନା କଲ, ସେ ତାହା ଶୁଣିଲେ ତାଙ୍କ ମନ ଦୁଃଖ ହେବନାହିଁ?”
ଏକଥା ଶୁଣି ବିଜୟା ଜୋର୍ରେ ହସି ହସି କହିଲା, “ନା, ନା, ଏଥିରେ ତୁମର ଯେଉଁ ଲାଭ ହେଲା ସେକଥା ଜାଣି ସେ ବରଂ ଖୁସି ହେବ । କାରଣ ମୁଁ ହିଁ ହେଉଛି ସେହି ଶିବନାଥଙ୍କ ଝିଅ ।”
ଏକଥା ଶୁଣି ସ୍ୱାତୀ କହିଲା, “ସତେ? ବାଃ?” ସ୍ୱାତୀ ଆଉ କିଛି କହିବା ପୂର୍ବରୁ ବିଜୟା ହସି ହସି କହିଲା, “ଏକଥା ତୁମେ ତୁମ ଶାଶୁଙ୍କୁ କେବେବି କହିବ ନାହିଁଟି? ମୁଁ ଏବେ ମାମୁଁ ଘରକୁ ଯାଉଛି । ଫେରିବାବେଳେ ତୁମ ସହିତ କିଛିଦିନ ରହିବି ।” ତା’ପରେ ସେ ଗାଡିବାଲାକୁ ଗାଡି ଚଳାଇବାକୁ କହିଲା ।