ବହୁ ଦିନ ତଳର କଥା । ଗୋଟିଏ ରାଇଜରେ ଜଣେ ଅସୁର ରାଜା ରହୁଥିଲେ । ସେ ବହୁତ ପ୍ରତାପୀ । ଦେବତା ମାନଙ୍କୁ ମାନୁ ନଥିଲେ । ଚାକର ଭଳି ସେମାନଙ୍କୁ ଖଟାଉ ଥିଲେ ।
ଅସୁର ରାଜା ଦିନେ ଆଦେଶ ଦେଲେ ରାଜ୍ୟରେ ଯାଗଯଜ୍ଞ ଦିଅଁ ଦେବତା ପୂଜାପୁଜି କେହି କରି ପାରିବେ ନାହିଁ । ଯିଏ ଏସବୁ କରିବ ତାର ମୁଣ୍ଡ କାଟ ହେବ ।
ଏ କଥା ଶୁଣି ସମସ୍ତେ ଭୟରେ ଥରହର ହେଲେ । କେତେ ବେଳେ କ’ଣ ରାଜାଙ୍କ ଆଦେଶ ହେଉଛି କହିବା ବହୁତ କଠିନ ।
ଦିନେ ରାଜ ଦରବାର ବସିଲା । ପାତ୍ର, ମନ୍ତ୍ରୀ, କଟୁଆଳ ସବୁ ଏକାଠି ହୋଇ ଭଲମନ୍ଦ ଆଲୋଚନା କଲେ । ଏହି ସମୟରେ ଜଣେ ଅତି ଦରିଦ୍ର ବ୍ୟକ୍ତି ଆସି ସେଠି ଠିଆ ହେଲା ।
ରାଜା ପଚାରିଲେ – ତୁ କିଏ? ଏଠି କାହିଁକି ଆସି ଠିଆ ହୋଇଛୁ? କ’ଣ ଦରକାର?
ସେ ଲୋକଟି କହିଲା – ମହାରାଜ ! ମୋ ଘରେ କିଛି ହେଲେ ଖାଇବାକୁ ନାହିଁ, ଛୁଆପିଲା ଭୋକରେ ଆଉଟୁ ପାଉଟୁ ହେଉଛନ୍ତି । ଧନ ନାହିଁ, କେମିତି ଚଳିବି ତାର ବନ୍ଦୋବସ୍ତ କରାଇ ଦିଅନ୍ତୁ ।
ଅସୁର ରାଜା କିଛି ସମୟ ଯାଏଁ ଭାବିଲେ, ତାପରେ କହିଲେ, ତୁ ଗୋଟିଏ କାମ କର । ଏ ଚିଠି ଲେଖି ଦେଉଛି, ଏ ଚିଠି ନେଇ ମୋର ବନ୍ଧୁ ଯକ୍ଷରାଜ ପାଖକୁ ଯାଆ । ତା ରାଜ୍ୟରେ ବହୁତ ଧନଦରବ ଅଛି, ସେ ତୋତେ ବହୁତ ଧନଦରବ ଦେବ । ଏଥିରେ ତିଳେ ହେଲେ ସନ୍ଦେହ ନାହିଁ ।
ସେ ଲୋକଟି ରାଜାଙ୍କ ଠାରୁ ଚିଠି ଖଣ୍ଡିକ ଧରି ସତକୁ ସତ ଯକ୍ଷପୁରୀରେ ପହଁଚିଲା । ଭିତରକୁ ଯିବା ପାଇଁ ସାହାସ ହେଉ ନଥାଏ, ତଥାପି ସାହାସ କରି ଦ୍ୱାରପାଳକୁ ସବୁ କଥା କହିଲା । ଅନୁମତି ପାଇ ଭିତରକୁ ଗଲା ଓ ଚିଠି ଖଣ୍ଡିକ ଯକ୍ଷରାଜାଙ୍କୁ ଦେଲା ।