ଯକ୍ଷରାଜା ଚିଠି ଖଣ୍ଡିକ ପଢି ସାରି ପଚାରିଲେ – ତୁମେ ସବୁ କି କାମ କରିପାରିବ?
ସେ ଗରିବ ଲୋକଟି କହିଲା – ଆଜ୍ଞା, ଛାମୁ ଯାହା ଆଦେଶ ଦେବେ ସେହି ସବୁ କାମ କରି ପାରିବି ।
ରାଜା କହିଲେ – ତେବେ ତୁମେ ମୋ ପାଖରେ ରୁହ । ମୁଁ ଯେତେ ବେଳେ ଯାହା କହୁଥିବି ତୁମେ ତାହା କରୁଥିବ । ଏମିତି କିଛି ଦିନ ଗଲା । ରାଜା ଧନଦରବ ଦେଇଥାନ୍ତି, ଲୋକଟି ନିଜ ଘରକୁ ପିଲାପିଲିଙ୍କ ପାଇଁ ପଠାଉଥାଏ । ଦିନେ ରାଜା ଲୋକଟିକୁ ଡାକି କହିଲେ – ତୁମେ ଆଜି ଯାଅ, ମୋ ପାଇଁ ଭଲ ଭଲ ମାଛ ଧରି ଆଣିବ । ଏକଥା ଶୁଣିବା ମାତ୍ରେ ସେହି ଲୋକଟି ସେଇ ରାତିରେ ଖଣ୍ଡିଏ ଜାଲ ଧରି ବାହାରିଲା ମାଛ ଧରିବାକୁ ।
ରାଣୀଫୁଲ ଭଳି ଜହ୍ନରାତି । ଏମିତି ନଈନାଳ ଖୋଜୁ ଖୋଜୁ ଗୋଟିଏ ପୋଖରୀ ପାଖରେ ଯାଇ ପହଁଚିଲା । ପୋଖରୀ ସାରା ମାଛ ଭର୍ତି । ମାଛ ମାନେ ମନ ଆନନ୍ଦରେ ଖେଳୁଥାନ୍ତି । ସେ ଜାଲଟି ସଜାଡି ପୋଖରୀରେ ପକାଇବାକୁ ଯାଉଛି, ଗୋଟିଏ ପକ୍ଷୀ କେଉଁଠି ଥିଲା କେଜାଣି ଉଡି ଆସି ସତର୍କ କରାଇ ଦେଇ କହିଲା – ସାବଧାନ୍ ! ବହୁତ ବିପଦ ଅଛି ।
ଲୋକଟି ପଚାରିଲା କି ବିପଦ ।
ପକ୍ଷୀ କହିଲା – ଏ ମାଛ ମାନଙ୍କର ଜଣେ ରାଜା ଅଛି । ତୁ ଯଦି ଥରକୁଥର ଦୁଇଥର ଜାଲ ପକାଇବୁ ତେବେ ସେ ଆସି ଟାଉକରି ତୋତେ ଗିଳିଦେବ । ଏଣୁ ଥରେ ମାତ୍ର ଜାଲ ପକା ।
ଲୋକଟି ଏକଥା ଶୁଣି ଡରି ଗଲା । ଥରେ ମାତ୍ର ଜାଲ ପକାଇଛି ଦୁଇଟି ସୁନା ମାଛ ପଡିଗଲେ । ସେ ମନେ ମନେ ବହୁତ ଖୁସି ହୋଇ ରାଜାଙ୍କ ପାଖରେ ହାଜର ହୋଇ ଗଲା । ରାଜା ମଧ୍ୟ ଖୁସିରେ ଅଧିର ହୋଇ ଉଠିଲେ ଏବଂ ସଙ୍ଗେ ସଙ୍ଗେ କିଛି ବକ୍ସିସ୍ ମଧ୍ୟ ଦେଲେ ।