ରାଜା ପୁଝାରୀକୁ ଡକାଇ କହିଲେ – ଏ ମାଛ ନେଇ ତରକାରୀ କର, ମୁଁ ଭୋଜନ କରିବି ।
ପୁଝାରୀ ବିଚରା ମାଛକୁ କଟା କଟି କରି ଧୂଆ ବଛା ଆଦି ସାରି ଲୁଣ ହଳଦୀ ଗୋଳାଇ ଯେମିତି ତାଉଆରେ ପକାଇ ଦେଇଛି ମାଛ ମାନେ ପୁଣି ଯୋଡି ହୋଇ ଯାଇ ମୁଣ୍ଡ ଟେକି ଅନେଇଲେ । ହଠାତ୍ ରୋଷେଇ ଘର କବାଟ ମନକୁମନ ଧଡ ଧାଡ ହୋଇ ଖୋଲିଗଲା ଆଉ ଘରକୁ ପଶି ଆସିଲା ଜଣେ ସୁନ୍ଦର ସ୍ତ୍ରୀଲୋକ । ପୁଝାରୀ ବିଚରା ତାକୁ ଦେଖି ପିଳେଇ ପାଣି । ଗୋଟିଏ କୋଣକୁ ଆଉଜି ଠିଆ ହୋଇଥାଏ ।
ସ୍ତ୍ରୀ ଲୋକଟି ତାଉଆ ପାଖକୁ ଯାଇ କହିଲା ତୁମେ ତୁମ ମାନଙ୍କର କାମ କରୁଛ ତ?
ମାଛ ଦୁହେଁ କହି ଉଠିଲେ – ହଁ, ଆଉ ତୁମେ ଯାହା କହିବ ତାହା ମଧ୍ୟ କରିବୁ ।
ଏହି କଥା ଶୁଣି ସେ ସୁନ୍ଦରୀ ସ୍ତ୍ରୀଲୋକଟି ତାଉଆକୁ ଧରି ଓଲଟାଇ ଦେଲା । ମାଛ ଚୁଲୀରେ ପଡି ପୋଡି ପାଉଁଶ ହୋଇ ଗଲେ ଆଉ ସେ ସ୍ତ୍ରୀଲୋକଟି ମଧ୍ୟ କେଉଁ ଆଡେ ଉଭାନ୍ ହୋଇଗଲା । ପୁଝାରୀ ମନେ ମନେ ଭାବୁଥାଏ, ଆଜି ନିଶ୍ଚୟ ମୋର ମୁଣ୍ଡ କାଟ ହେବ । ରାଜା ଏତେ ସ୍ନେହ କରି ମାଛ ରାନ୍ଧିବାକୁ ଦେଇଥିଲେ । ମୁଁ ଏ ସବୁ କଥା କହିଲେ ସୁଦ୍ଧା ସେତ ସତ ମଣିବେ ନାହିଁ । ଯାହା ହେବାକୁ ଥିବ, ତାହା ହେବ କିନ୍ତୁ ଏକଥା ରାଜାଙ୍କୁ ନିଶ୍ଚୟ କହିବି ।
ରାଜ ଦରବାର ବସିଛି । ପୁଝାରୀ ଯାଇ ହାତ ଯୋଡି ଠିଆ ହେଲା ପୁଝାରୀକୁ ଦେଖି ରାଜା ମାନେ ମନେ ମନେ ବହୁତ ଖୁସି । ସେ ଭାବିଲେ ବୋଧେ ପୁଝାରୀ ମୋତେ ଖାଇବାକୁ ଡାକିବା ପାଇଁ ଆସିଛି । ରାଜା ମନ୍ତ୍ରୀକୁ କହିଲେ – ମନ୍ତ୍ରୀ, ପଚାରନ୍ତୁ ରନ୍ଧା ସରିଲାଣି କି ନାହିଁ । ମନ୍ତ୍ରୀ ପଚାରିବାରୁ ପୁଝାରୀ କାନ୍ଦି କାନ୍ଦି ସବୁକଥା କହିଗଲା । ଏକଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଏମିତି ଘଟଣା ତ ଦିନେ ହେଲେ ଘଟିନାହିଁ, ଏ ପୁଝାରୀ ବୋଧେ ମିଛ କହୁଛି । ଏଣୁ ପୁଝାରୀକୁ ବିଦାୟ କରିଦେଲେ ।