ରାଜା କହିଲେ, ହେ ପ୍ରିୟେ ତୁମେ ଯଦି ପ୍ରକୃତରେ ମୋତେ ଭଲ ପାଉଥାଅ ତେବେ ମୋର ଗୋଟିଏ ଅନୁରୋଧ ରକ୍ଷା କରିବ ।
କୁହୁକିନୀ କହିଲା, କେଉଁ କଥା କହୁଛ କହୁନ?
ରାଜା କହିଲେ ସତ୍ୟ କଲେ କହିବି । ସେ ସୁନ୍ଦରୀ ସତ୍ୟ କଲା । ରାଜା କହିଲେ, ଗୋ ସୁନ୍ଦରୀ ସେ ଯୁବକ ବହୁତ ଦଣ୍ଡ ଭୋଗ କଲାଣିଏବେ ତାକୁ ପଥରରୁ ମୁକ୍ତ କର । ସେ ଏଠାରୁ ଚାଲିଯାଉ ସେ ଥିଲେ ମୋତେ ଭଲ ଲାଗୁନି । ଆଉ ତା ନିଜ ଲୋକ ମାନଙ୍କୁ ମାଛରୁ ମଣିଷ କରି ଦିଅ । ଏ ସମସ୍ତଙ୍କୁ ଏ ରାଜ୍ୟରୁ ତଡି ଦେବା ପାଇଁ ମୁଁ ଚାହୁଁଛି । ତାପରେ ଆମେ ସୁଖରେ ଏ ରାଜ ପ୍ରାସାଦରେ ରହିବା । କେହି ହେଲେ ଆମ ପାଇଁ କଂଟା ହୋଇ ରହିବେ ନାହିଁ ।
କୁହୁକିନୀ ତ ପ୍ରେମରେ ବିହ୍ୱଳ ହୋଇ ଯାଇ ଥିଲା । ସେ ସଙ୍ଗେ ସଙ୍ଗେ ମନ୍ତ୍ର ବଳରେ ରାଜ ପୁତ୍ର ଓ ତା ନିଜ ଲୋକ ମାନଙ୍କୁ ଦେହ ଫେରାଇ ଦେଲା ।
ଯକ୍ଷ ରାଜା ଦେଖିଲେ ତାଙ୍କର ଅଭିଳାଷ ପୂର୍ଣ୍ଣ ହୋଇଛି । ସେ କୁହୁକିନୀ ସହିତ କୁତ୍ରିମ ପ୍ରେମ କଲେ ସମୟ ଉଣ୍ଡି ତୀକ୍ଷ୍ନ ତରବାରୀରେ ତାର ମୁଣ୍ଡ କାଟି ପକାଇଲେ ।
ରାଜ ପୁତ୍ର ଓ ତା ନିଜ ଲୋକମାନେ ଆସି ସେଠି ପହଁଚି ଯାଇଥିଲେ । ରାଜ ପୁତ୍ର ଯକ୍ଷ ମାନଙ୍କୁ ଦେଖି କୁଣ୍ଢେଇ ପକାଇଲେ । ଯକ୍ଷ ରାଜା କହିଲେ, ବନ୍ଧୁ ! ତୁମେ ଏଣିକି ନିଜ ଲୋକ ଓ ପ୍ରଜା ମାନଙ୍କୁ ନେଇ ସୁଖରେ ରାଜ୍ୟ ଶାସନ କର । ତୁମ ପ୍ରତି କୌଣସି ବିପଦ ନାହିଁ । ମୁଁ ମୋ ରାଜ୍ୟକୁ ଫେରି ଯାଉଛି । ଏତିକି କହି ରାଜା ଘୋଡା ଚଢି ନିଜ ରାଜଧାନୀ ଆଡକୁ ମୁହାଁଇଲେ ।
ଶୁଆ କହିଲା, ଶୁଣିଲୁଲୋ ଶାରୀ ମାଇପି ଜାତିକୁ ସହଜରେ ବିଶ୍ୱାସ କରିବା ଉଚିତ୍ ନୁହେଁ । ବିଶ୍ୱାସରେ ସେମାନେ ବିଷ ଦେଇ ଦେବେ ।
ଶାରୀ କହିଲା, ଶୁଆ ସତରେ ତୋତେ କଥାରେ ପାରି ହେବନି । ସବୁବେଳେ ପୁରୁଷ ପୁରୁଷ ସ୍ତ୍ରୀ ସ୍ତ୍ରୀ । ଉଭୟ ଉଭୟଙ୍କୁ ଛାଡି ରହି ପାରିବେ ନାହିଁ । କିଏ ଭଲ ଆଉ କିଏ ମନ୍ଦ ବୋଲି କହିବା ।
ଶୁଆ କହିଲା, ଆଲୋ ଶାରୀ ସେତିକି ନୁହେଁ ଜଣେ ରାଜ ପୁତ୍ରର ପୁରୁଷ ପଣିଆ କଥା କହୁଛି ଶୁଣ । ଏଇଟା ଗୋଟାଏ ଲମ୍ବା କଥା ବ୍ୟସ୍ତ ହେବୁନି ।