ଭେନିସ୍ରେ ମଧ୍ୟ ସୁନାତିଆରି ମୁଦ୍ରାରେ କାରବାର ହେଉଥିଲା । ଏହି ସୁନାମୁଦ୍ରାର କାରବାର ଚାଲୁରହିଥିଲା ଦୀର୍ଘ ୫୦୦ ବର୍ଷଧରି ।
୧୭୦୦ ମସିହାରେ ସୁନା ଆବିଷ୍କୃତ ହୋଇଥିଲା ବ୍ରାଜିଲ୍ରେ । ଆମେରିକାର କାଲିଫର୍ଣ୍ଣିଆ ଓ ଦକ୍ଷିଣ ଆଫ୍ରିକାରେ ମଧ୍ୟ ମିଳିଥିଲା ପ୍ରଚୁର ସୁନା ।
ଆମ ଇଣ୍ଡିଆରେ ୨୦୦ ଏବଂ ୩୦୦ ଖ୍ରୀଷ୍ଟାବ୍ଦରେ ଛୋଟ ଛୋଟ ଖଣିରୁ ସୁନା ସଂଗ୍ରହ କରାଯାଉଥିଲା । ନବମ ଏବଂ ଦଶମ ଶତାବ୍ଦୀରେ, ଚୋଳ ବଂଶର ରାଜୁତି ସମୟରେ ବୃଦ୍ଧି ପାଇଥିଲା ଖଣିରୁ ସୁନା ଉତ୍ତୋଳନ । ପଂଚମ ଶତାବ୍ଦୀରେ, ଗୁପ୍ତବଂଶର ରାଜୁତି କାଳରେ କୋଲାର ସୁନାଖଣି ଅଂଚଳରୁ ସୁନା ବାହାର କରାଯାଉଥିଲା ।
କୋଲାର ସୁନାଖଣି ଅଂଚଳ କେଉଁଠି ଅବସ୍ଥିତ ଜାଣିଛ? ବାଙ୍ଗାଲୋର ସହରଠାରୁ ପୂର୍ବଆଡକୁ ପ୍ରାୟ ୨୨ କିଲୋମିଟର ଦୂରରେ ରହିଛି କୋଲାର୍ ସୁନାଖଣି । ଇଂରେଜ ଶାସନ ସମୟରେ ଗୋଟିଏ ବ୍ରିଟିଶ୍ କମ୍ପାନୀ ଏହି ସୁନା ଉତ୍ତୋଳନ କାମ ଆରମ୍ଭ କରିଥିଲେ । ତାହାଥିଲା ୧୮୮୦ ମସିହାର ଘଟଣା । ବେଶ୍ ବହୁପରିମାଣର ସୁନା ଉତ୍ପାଦନ କରାଯାଇପାରିଥିଲା ଇଂରେଜ ରାଜତ୍ୱ ସମୟରେ । ୧୯୪୭ ମସିହାରେ ଆମ ଦେଶ ସ୍ୱାଧୀନ ହେଲା । ଫଳରେ ବ୍ରିଟିଶ୍ କମ୍ପାନୀ ୧୯୭୨ ମସିହାରେ ଇଣ୍ଡିଆ ସରକାରଙ୍କୁ କୋଲାର ଖଣିରୁ ସୁନା ଉତ୍ପାଦନ କରିବାର ଦାୟିତ୍ୱ ଦେଇ ବାହୁଡିଗଲା ବ୍ରିଟେନ୍।
କୋଲାର ସୁନାଖଣିରୁ ଦୀର୍ଘ ୧୨୦ ବର୍ଷଧରି ସୁନା ଉତ୍ତୋଳନ ହୋଇ ଆସିଥିଲା । ଏଥିରୁ ବାହାରିଥିବା ସୁନାର ପରିମାଣ ଥିଲା ୭୫୦୦୦୦ (ସାଢେ ସାତଲକ୍ଷ) କିଲୋଗ୍ରାମ୍ । କୋଲାର ସୁନାଖଣିଟିର ଗଭୀରତା ଥିଲା ୩୨୦୦ ମିଟର୍ ଏବଂ ସୁଡଙ୍ଗଗୁଡିକର ମୋଟ ଦୈର୍ଘ୍ୟଥିଲା ୧୪୦୦ କିଲୋମିଟର୍ । ନାନା ଅସୁବିଧା କାରଣରୁ ୨୦୦୨ ମସିହା ଜାନୁଆରୀମାସଠାରୁ ଏଠାରେ ସୁନା ଉତ୍ପାଦନ ଆଉ ହେଉନାହିଁ ।
ତେବେ ପୃଥିବୀର କେଉଁ କେଉଁ ଦେଶରେ ସୁନା ଗଚ୍ଛିତ ଅଛି? ସୁନା ଗଚ୍ଛିତ ଅଛି ପୃଥିବୀର ପ୍ରାୟ ସବୁ ମହାଦେଶରେ । ମାତ୍ର ସବୁଠାରୁ ବେଶୀ ସୁନା ଠୁଳ ହୋଇଛି ଦକ୍ଷିଣ ଆଫ୍ରିକାରେ । ତାହାଛଡା, ଆମେରିକା, କାନଡା, ଜର୍ମାନୀ, ମେକ୍ସିକୋ ଇତ୍ୟାଦିରେ ବହୁ ପରିମାଣର ସୁନା ଗଚ୍ଛିତ ଅଛି ।
ସୁନା ମିଶିକରି ଥାଏ ପଥରରେ । ସେହି ପଥରକୁ ଖଣି ଭିତରକୁ ବାହାର କରି କାରଖାନାକୁ ନିଆଯାଏ ଏବଂ କାରଖାନାରେ ପଥରକୁ ତରଳେଇ ବାହାର କରାଯାଏ ସୁନା ।
ତାହାଛଡା ପାହାଡିଆ ଅଂଚଳ ଦେଇ ବହିଯାଇଥିବା ନଦୀ ଓ ଝରଣାର ଜଳସୁଅରେ ପଥର ଧୀରେ ଧୀରେ ଖାଇଯାଇ ସେଥିରୁ ସୁନାର ଛୋଟ ଛୋଟ ଦାନା ବାହାରିଆସେ ଓ ତାହା ଜଳସୁଅରେ ଦୂରଜାଗାକୁ ଚାଲିଯାଏ । ତେଣୁ ନଈ, ଝରଣାର କୂଳରେ କି ସେଗୁଡିକର ଶଯ୍ୟାରେ ସୁନାର ଛୋଟ ଛୋଟ ଦାନା ଏବଂ ଖଣ୍ଡମାନ ମିଳିଥାଏ ।
ଆମ ଓଡିଶାର ସୁବର୍ଣ୍ଣରେଖା ନଦୀବାଲିରୁ ସୁନା ମିଳୁଥିବାରୁ ନଦୀଟିର ଏପରି ନାମକରଣ କରାଯାଇଛି । ପଶ୍ଚିମ ଓଡିଶାର ସୋନପୁର ଅଂଚଳରେ ସୁନା ମିଳୁଥିବାର ପ୍ରକାଶ । ତେଣୁ ତା’ର ନାମ ରଖାଯାଇଛି ସୋନପୁର ବା ସୁବର୍ଣ୍ଣପୁର ।
ପୃଥିବୀରେ ସୁନାର ପ୍ରଧାନ ଉତ୍ସ କଅଣ?
ପୃଥିବୀ ଉପରର ପଥୁରିଆ ଅଂଶ ଏବଂ ପୃଥିବୀର ଗଭୀରରେ ଥିବା ଅଂଶରେ ହିଁ ରହିଛି ସୁନା । କିନ୍ତୁ ସେଠାକୁ ସୁନା ଆସିଲା କେଉଁଠୁ?
ସୂର୍ଯ୍ୟ ଚାରିପଟେ ଗ୍ରହଗୁଡିକ ଘୂରି ବୁଲୁଥିବା କଥା ତୁମେମାନେ ତ ଜାଣ । ଯେଉଁ ପଥଦେଇ ଗ୍ରହଟିଏ ସୂର୍ଯ୍ୟ ଚାରିପଟେ ଘୂରିଥାଏ, ତାକୁ କୁହାଯାଏ ଗ୍ରହର କକ୍ଷପଥ । ମଙ୍ଗଳଗ୍ରହ ଏବଂ ବୃହସ୍ପତିଗ୍ରହର ଯେଉଁ କକ୍ଷପଥ ରହିଛି, ସେହି ଦୁଇ କକ୍ଷପଥର ମଝି ଫାଙ୍କାଜାଗାରେ ସୂର୍ଯ୍ୟ ଚାରିପଟେ ମଧ୍ୟ ଘୂରୁଛନ୍ତି ବିରାଟ ବିରାଟ ଅନେକ ପଥରଖଣ୍ଡ । ଏହି ପଥରଖଣ୍ଡଗୁଡିକୁ କୁହାଯାଏ ଗ୍ରହାଣୁ । ବୈଜ୍ଞାନିକମାନଙ୍କର ବିଶ୍ୱାସ ଯେ ବହୁ ବର୍ଷ ତଳେ କେତେଗୁଡିଏ ଗ୍ରହାଣୁ ସେମାନଙ୍କ ନିଜ ଘୂରିବା ସ୍ଥାନରୁ ଖସି ଆସି ପୃଥିବୀ ଉପରେ ବାଡେଇ ହୋଇ ଯାଇଥିଲା । ଏହା ଫଳରେ ପୃଥିବୀରେ ସୁନା ସୃଷ୍ଟି ହେଲା ।