ପରେ ପରେ ରାଜାଙ୍କ ମନରେ ଉଙ୍କିମାରିଲା ସନ୍ଦେହ । ତେଣୁ ସେ ଭାବିଲେ, “ଏଇ କାରିଗରଟି ଖାଂଟିସୁନାରେ ମୁକୁଟ ତିଆରି କରିଛି ନା ତିଆରି କରିଛି ଭେଜାଲ୍ ସୁନାରେ?” ଏହା ଭାବି ଖୁବ୍ ଅସ୍ଥିର ହୋଇପଡିଲେ ସେ ରାଜା । ଖାଂଟି କି ଭେଜାଲ୍ ତାହା ଅବା ରାଜା ଜାଣିବେ କିପରି? ଠିକ୍ ଏହି ସମୟରେ ହଠାତ୍ ତାଙ୍କର ମନେ ପଡିଗଲା ଆର୍କିମେଡିସ୍ଙ୍କ କଥା ।
ଆର୍କିମେଡିସ୍ ଥିଲେ ଗ୍ରୀସ୍ର ଜଣେ ବଡ ଗଣିତଜ୍ଞ ଏବଂ ବୈଜ୍ଞାନିକ ମଧ୍ୟ । ସେ ଥିଲେ ରାଜାଙ୍କର ବଡ ପ୍ରିୟପାତ୍ର । ରାଜା ତୁରନ୍ତ ତାଙ୍କୁ ଡକେଇ ପଠେଇଲେ । ଆର୍କିମେଡିସ୍ ଦରବାରରେ ପହଁଚିବାପରେ ରାଜା ତାଙ୍କୁ କହିଲେ, “ଦେଖ ଆର୍କିମେଡିସ୍, ଏଇ ମୁକୁଟଟି ଖାଂଟି ସୁନା କି ଭେଜାଲ୍ ସୁନାରେ ତିଆରି, ତାହା ମୋର ଜାଣିବା ନିହାତି ଦରକାର । ତେଣୁ ଏହି ଦାୟିତ୍ୱଟି ମୁଁ ତୁମକୁ ଦେଉଛି । ପରୀକ୍ଷାନିରୀକ୍ଷା କରିବାପାଇଁ ତୁମେ ଯେତେଦିନ ନେଉଛ ନିଅ ପଛେ, କିନ୍ତୁ ମୋର ଦରକାର ନିର୍ଭୁଲ୍ ଉତ୍ତର – ‘ମୁକୁଟଟି ଖାଂଟି ସୁନାରେ ତିଆରି ନା ଭେଜାଲ୍ ସୁନାରେ ତିଆରି?’
ଆର୍କିମେଡିସ୍ ଏଥର ସେ ମୁକୁଟଟି ନେଇ ନିଜ ଘରକୁ ବାହୁଡିଗଲେ । କିନ୍ତୁ ତାହା ଖାଂଟି ସୁନା କି ଭେଜାଲ୍ ସୁନାରେ ତିଆରି, ଏହା କେମିତି ଜଣାପଡିବ, ତାହା ତାଙ୍କ ମୁଣ୍ଡକୁ ମୋଟେ ଢୁକିଲାନି । ଏଇ ଚିନ୍ତାରେ ସେ ସବୁବେଳେ ଘାରିହେଲେ । ଏମିତିକି ଭୁଲିଗଲେ ଖିଆପିଆ । ରାତିରେ ଠିକ୍ ସେ ନିଦ ବି ହେଲାନି ତାଙ୍କୁ ।
ଆମେ ସିନା ଦେହରେ ପାଣି ଢାଳିହୋଇ ଗାଧୋଇଥାଉ । ହେଲେ ବିଦେଶର ଲୋକ ଗାଧୋଇଥାଆନ୍ତି ପାଣିକୁଣ୍ଡ ଭିତରେ ପଶି । କୁଣ୍ଡରେ ପାଣି ଭର୍ତ୍ତି ହୋଇଥାଏ । ପାଣିଭର୍ତ୍ତି କୁଣ୍ଡ ଭିତରକୁ ପଶିଯାଇ ସେମାନେ ଭାସିବା ପ୍ରକାରେ ସେଥିରେ ଲମ୍ବା ହୋଇଯାଆନ୍ତି । ସାବୁନ୍ ଲଗେଇ ଘଷି ହୁଅନ୍ତି । ତା’ପରେ ବାହାରି ଆସନ୍ତି କୁଣ୍ଡ ଭିତରୁ । କୁଣ୍ଡ ଭିତରେ ସେମାନେ ରହିଥାନ୍ତି ଲଙ୍ଗଳା ହୋଇ ।
ଦିନକର ଘଟଣା । ଗାଧୋଇବା ପାଇଁ ଆର୍କିମେଡିସ୍ ପାଣି କୁଣ୍ଡ ଭିତରେ ପଶି ଲମ୍ବା ହୋଇଗଲେ । ଏହା ଫଳରେ ସେ ପାଣି କୁଣ୍ଡରୁ କିଛି ପାଣି ଉଛୁଳି ତଳେ ପଡିଗଲା । ଏଇଥିରୁ ହଠାତ୍ ତାଙ୍କ ମୁଣ୍ଡକୁ ଢୁକିଗଲା ଖାଂଟି ସୁନା କି ଭେଜାଲ୍ ସୁନା ଜାଣିବାର ଏକ ସୂତ୍ର । ସୂତ୍ରଟି ପାଇଯିବାପରେ ସେ ଆର୍କିମେଡିସ୍ ଏତେ ଖୁସି ହୋଇଗଲେ ଯେ ସେ ଲଙ୍ଗଳା ବୋଲି ତାଙ୍କର ଆଉ ହୋସ୍ ରହିଲାନି । ସେଇ ପୂରା ଲଙ୍ଗଳା ଅବସ୍ଥାରେ ସେ ସାଇରାକୁ୍ୟଜ୍ ରାସ୍ତାରେ ଦୌଡିଲେ ସିଧା ରାଜାଙ୍କ ଦରବାରକୁ । ଦୌଡି ଧାଇଁବାବେଳେ ସେ ଆର୍କିମେଡିସ୍ ଖାଲି ଚିତ୍କାର ଛାଡୁଥାନ୍ତି ‘ଇଉରେକୋ’, ‘ଇଉରେକୋ’ । ଗ୍ରୀକ୍ ଭାଷାରେ ‘ଇଉରେକୋ’ ର ଅର୍ଥ ‘ପାଇଗଲି’, ‘ପାଇଗଲି’ । ଅର୍ଥାତ୍ ମୁକୁଟଟି ଖାଂଟି ସୁନାରେ ତିଆରି କି ଭେଜାଲ୍ ସୁନାରେ ତିଆରି, ‘ଏହା ଜାଣିପାରିବାର ଉପାୟ ମୋତେ ମିଳିଗଲା’ ।
ଏହା ଜାଣିବାର ସୂତ୍ରକୁ କୁହାଯାଏ ‘ଆର୍କିମେଡିସ୍ଙ୍କ ସୂତ୍ର’ । ତୁମେ ବିଜ୍ଞାନ ପଢିବାବେଳେ ତୁମ ବିଜ୍ଞାନ ଶିକ୍ଷକ ଏ’ ସଂପର୍କରେ ତୁମକୁ କହିଦେବେ ।
ସେ ଯାହାହେଉ, ଆର୍କିମେଡିସ୍ଙ୍କ ପରୀକ୍ଷାରୁ ଜଣାପଡିଲା ଯେ ସେହି ମୁକୁଟଟି ଖାଂଟି ସୁନାରେ ତିଆରି ହୋଇନଥିଲା । କାରିଗରଟି ଜାଣିଶୁଣି ରାଜା ଦେଇଥିବା ଖାଂଟିସୁନାରେ କିଛି ରୁପା ମିଶେଇଦେଇ ମୁକୁଟଟି ଗଢିଥିଲା । ଏଇକଥା ସେ ଲୁଚେଇଥିଲା ରାଜାଙ୍କଠାରୁ ।
ସୁନା ଗହଣା :-
କାହିଁ କେଉଁ ଆବହମାନ କାଳରୁ ଆମ ଇଣ୍ଡିଆନ ନାରୀମାନେ ପିନ୍ଧି ଆସୁଛନ୍ତି ସୁନାର ଗହଣାଗାଣ୍ଠି । ନାକରେ ପିନ୍ଧା ଯାଉଥିବା ନୋଥ, ବସଣି, ନାକଚଣା, ନାକଫୁଲ, ହାତରେ ଚୁଡି, ବାଲା, ବେକରେ ହାର, କଣ୍ଠି, ମଙ୍ଗଳସୂତ୍ର, କାନରେ ରିଂ, କାନଫୁଲ, ଆଙ୍ଗୁଠିରେ ମୁଦି – ଏହିପରି ଗହଣାମାନ ତିଆରି ହୋଇଥାଏ ସୁନାରେ ।
ପ୍ରାଚୀନ ଇଣ୍ଡିଆରେ ଦକ୍ଷିଣ ଇଣ୍ଡିଆର କାଞ୍ଜିଭରମ୍ ଏବଂ ଉତ୍ତର ଇଣ୍ଡିଆର ବାରାଣାସୀ ସୁନା ଅଳଙ୍କାର ତିଆରି ପାଇଁ ଖୁବ୍ ପ୍ରସିଦ୍ଧ ଥିଲା । ସ୍ଥାନୀୟ ମୂଳନୀବାସୀମାନେ ଦେବୀ ମହାଲକ୍ଷ୍ମୀଙ୍କ ନାମକୁ ସୁନା ସହ ଯୋଡିଥାଆନ୍ତି । ସୁନାକୁ ମଧ୍ୟ ଖୁବ୍ ଶୁଭବୋଲି ମନେ କରିଥାନ୍ତି ସ୍ଥାନୀୟ ମୂଳନୀବାସୀମାନେ ।