ଗୋଲାପି ସୁନାକୁ ମଧ୍ୟ ଫିକାଲାଲ୍ ଏବଂ ଲାଲ୍ ସୁନା ବୋଲି କହନ୍ତି । ସୁନାରେ ତମ୍ବା ମିଶେଇ ପ୍ରସ୍ତୁତ କରାଯାଏ ଗୋଲାପି ସୁନା । ସୁନାରେ ମିଶାଯାଇଥିବା ତମ୍ବାର ପରିମାଣକୁ ଚାହିଁ ତାହା ଗୋଲାପି, ଫିକାଲାଲ୍ ଏବଂ ଲାଲ୍ ରଙ୍ଗର ହୋଇଥାଏ । ବେଶୀ ତମ୍ବା ମିଶିଥିଲେ ରଙ୍ଗ ହୋଇଥାଏ ଅଧିକ ଗାଢ ଲାଲ୍ । ତିନିଭାଗ ସୁନା ଏବଂ ଏକଭାଗ ତମ୍ବା ମିଶା ସୁନାର ରଙ୍ଗ ଗୋଲାପି । ଅଧା ସୁନା ଏବଂ ଅଧା ରୁପାର ମିଶ୍ରଣରୁ ଲାଲ୍-ସୁନା ଜାତ ହୁଏ । ଗୋଲାପି ସୁନା ୧୪ କ୍ୟାରଟ୍ ଏବଂ ୧୮ କ୍ୟାରଟ୍ରେ ମିଳେ । ୧୪ କ୍ୟାରଟ୍ରେ ଗୋଲାପି ରଙ୍ଗ ବେଶୀ ଫୁଟି ଉଠିଥାଏ । ଗୋଲାପି-ସୁନା ବ୍ୟବହାରର ସଉକ ପ୍ରଚଳିତ ଥିଲା ମୁଖ୍ୟତଃ ଉନବିଂଶ ଶତାବ୍ଦୀ-ରୁଷିଆରେ । ଏବେ ଗୋଲାପି-ସୁନା ସାରା ପୃଥିବୀରେ ଲୋକପ୍ରିୟ । ଗୋଲାପି ସୁନାର ଚରିତ୍ର ଊଣା ଅଧିକେ ହଳଦିଆ ସୁନାଭଳି । ଏଥିରୁ ହାର, ମୁଦି, କାନଫୁଲ, ଚୁଡି, କଙ୍କଣ ଇତ୍ୟାଦି ଗହଣା ଅତି ସହଜରେ ପ୍ରସ୍ତୁତ କରିହୁଏ ।
ସବୁଜ-ସୁନା ବା ଶାଗୁଆ-ସୁନା ହେଉଛି ସୁନା, ରୂପା ଓ ତମ୍ବାର ମିଶ୍ରଧାତୁ । ୧୮ କ୍ୟାରଟ୍ ଶାଗୁଆ-ସୁନାରେ ତିନିଭାଗ ସୁନା ଏବଂ ଏକଭାଗ ରୁପା ଓ ତମ୍ବା ରହିଥାଏ । ତେବେ ଏ’ଧରଣର ସୁନା ବେଶ୍ ନରମ ହୋଇଥିବାରୁ ଗହଣାଗାଣ୍ଠି ତିଆରି କରିବା ନିମନ୍ତେ ଏହା ବିଶେଷ ସନ୍ତୋଷଜନକ ନୁହେଁ । କିନ୍ତୁ ଗହଣା ଉପରେ ବିଭିନ୍ନ କାରୁକାର୍ଯ୍ୟ କରିବା ନିମନ୍ତେ ଓ ତା’ର ଶୋଭା ବୃଦ୍ଧିକରିବାପାଇଁ ବ୍ୟବହୃତ ହୋଇଥାଏ ଏହି ଧରଣର ସୁନା ।
ଏବେ ନୂତନ ପ୍ରଯୁକ୍ତି-ପଦ୍ଧତିର ଯଥେଷ୍ଟ ବିକାଶ ହୋଇପାରିଛି । ଫଳରେ ନାନାରଙ୍ଗର ସୁନା ତିଆରି କରିବା ଆଉ ସମସ୍ୟା ହୋଇ ରହିନାହିଁ । ଏପରିକି ପ୍ରସ୍ତୁତ ହୋଇପାରିଲାଣି କଳାରଙ୍ଗର ସୁନା ।
କିନ୍ତୁ କଳା-ସୁନା ତିଆରି ହୋଇଥାଏ କିପରି? ବ୍ଲାକ୍ ରୋଡିୟମ୍ କିମ୍ବା ରୁଥେନିୟମ୍, ଆମୋର୍ଫସ୍ ବା ଦାନାହୀନ ଅଙ୍ଗାରକ, କ୍ରୋମିୟମ୍ କିମ୍ବା କୋବାଲ୍ଟକୁ ସୁନାରେ ମିଶେଇ କଳାସୁନା ତିଆରି କରାଯାଇଥାଏ । ତମ୍ବା ଏବଂ ପୋଟାସିୟମ୍ ସଲ୍ଫାଇଡ୍ ବ୍ୟବହାର କରି ବାଦାମୀ ରଙ୍ଗରୁ ଆରମ୍ଭ କରି ଗାଢ କଳାରଙ୍ଗର ସୁନା ପ୍ରସ୍ତୁତି ସମ୍ଭବ । ଏବେ ଲେଜର୍ ପଦ୍ଧତି ସାହାଯ୍ୟରେ ହଳଦିଆ- ସୁନାକୁ କଳାସୁନାରେ ପରିଣତ କରାଯାଇପାରୁଛି । କଳା-ସୁନା ବେଶ୍ ଆକର୍ଷଣୀୟ । ତେଣୁ ବଢି ବଢି ଚାଲିଛି କଳାସୁନାର ଗହଣାପିନ୍ଧା ସଉକ ।
ଆଚ୍ଛା, ଫିକା ନାଲି ଏବଂ ନୀଳ-ସୁନା ତିଆରି କଅଣ ସମ୍ଭବ? ହଁ, ସମ୍ଭବ । ସୁନାରେ ଆଲୁମିନିୟମ୍ ମିଶେଇ ତିଆରି କରାଯାଇପାରେ ଫିକା-ନାଲି ରଙ୍ଗର ସୁନା । ଏହି ୧୯ କ୍ୟାରଟ୍ ସୁନାରେ ୮୦ ଭାଗ ହେଉଛି ୨୪ କ୍ୟାରଟ୍ ସୁନା ଏବଂ ୨୦ ଭାଗ ଆଲୁମିନିୟମ୍ । ଦଶହଜାର ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରାରେ ଏକ ସ୍ୱତନ୍ତ୍ର ଧରଣର ପଦ୍ଧତି ଅବଲମ୍ବନ କରି ଫିକା-ନାଲିରଙ୍ଗ ସୁନା ପ୍ରସ୍ତୁତ ହୁଏ । ସୁନାସହ ଇଣ୍ଡିୟମ୍ ମିଶେଇ ଏବଂ ଉପରୋକ୍ତ ପଦ୍ଧତିଟି ଅବଲମ୍ବନ କରି ତିଆରି କରାଯାଏ ନୀଳରଙ୍ଗର ସୁନା । ଫିକା-ନାଲି ଏବଂ ନୀଳରଙ୍ଗର ସୁନାରେ ତିଆରି ଗହଣାର ଆଦର ବଢିଚାଲିଛି ।
ସୁନା ପଦକ :-
କେତେକ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଯଥାକ୍ରମେ ସୁନା, ରୁପା ଓ ବ୍ରୋଞ୍ଜ ପଦକ ଦିଆଯାଉଥିବାର ତୁମେମାନେ ତ ଜାଣିଛ । ପଦକ ଭିତରେ ସୁନାକୁ ସବୁଠାରୁ ଉଚ୍ଚସ୍ଥାନ ଦିଆଯାଇଥାଏ । ସାଧାରଣତଃ କଳା, ବିଜ୍ଞାନ, କ୍ରୀଡା ଏବଂ ଶିକ୍ଷା କ୍ଷେତ୍ରରେ ସବୁଠାରୁ ବେଶୀ କୃତିତ୍ୱ ହାସଲ୍ କରିଥିବା ବ୍ୟକ୍ତିଙ୍କୁ ହିଁ ପ୍ରଦାନ କରାଯାଇଥାଏ ସ୍ୱର୍ଣ୍ଣପଦକ । ମାତ୍ର ସାମରିକ ବିଭାଗରେ କୃତିତ୍ୱ ପାଇଁ ଏପରି ଚଳଣି ନାହିଁ ।
ଜାଣିରଖ ଯେ ପଦକକୁ ସିନା ସୁନା ପଦକ ବା ସୁନା ମେଡାଲ୍ ବୋଲି କୁହାଯାଉଛି, ହେଲେ ସବୁକ୍ଷେତ୍ରରେ ପଦକଟି ପୂରାପୂରି ସୁନାରେ ତିଆରିବୋଲି ଧରି ନେବନି । କେତେକ ସୁନାପଦକରେ ରହିଥାଏ ନିଦା ସୁନା, ହେଲେ ଅନେକ ସୁନାପଦକରେ ସୁନା ଅନ୍ୟଧାତୁ ସହ ମିଶି କରି ରହିଥାଏ । କିନ୍ତୁ ବାହାରକୁ ତାହା ଦିଶିଥାଏ ସୁନାଭଳି । କେତେକ ସୁନା ପଦକରେ ଦିଆଯାଇଥାଏ କେବଳ ସୁନାର ପ୍ରଲେପ ବା ସୁନାର ପ୍ଲେଟିଂ । ଯେପରିକି ନୋବେଲ୍ ପୁରସ୍କାରରେ ଦିଆଯାଉଥିବା ସୁନାପଦକଟି ପ୍ରକୃତରେ ତିଆରି ହୋଇଥାଏ ରୂପାରେ । କିନ୍ତୁ ସେଇ ରୂପାପଦକଟିର ଉପରେ ଦିଆଯାଇଥାଏ ୨୪ କ୍ୟାରଟ୍ ସୁନାର ପ୍ରଲେପ ।