ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସୁନାର ଘୋଡା

ସୁନା ଠୁଳ କରିବା ବିଷୟରେ ଖାନ୍ ବାଟୁଙ୍କୁ ନେଇ ରହିଛି ଏକ ମଜା କଥା । ବିଭିନ୍ନ ରାଜ୍ୟ ଜୟକରି ଖାନ୍ ବାଟୁ ବହୁ ପରିମାଣର ସୁନା ଲୁଣ୍ଠନ କରି ଆଣିଥିଲେ । ସେହି ସୁନାକୁ ବ୍ୟବହାର କରି ସେ ତିଆରି କରାଇଥିଲେ ବିରାଟ ଦୁଇଟି ଘୋଡା ମୂର୍ତ୍ତି । ପ୍ରତ୍ୟେକ ସୁନାଘୋଡାର ଓଜନ ଥିଲା ୧୫୦୦ କିଲୋଗ୍ରାମ୍ । ଘୋଡା ଦୁଇଟିକୁ ସେ ସ୍ଥାପନ କରିଥିଲେ ନିଜ ରାଜଧାନୀ ସାରାଇବାଟୁରେ । ଏହା ଥିଲା ତାଙ୍କ ରାଜ୍ୟ ବିଜୟର ସ୍ମୃତି ଚିହ୍ନ ।

                ସମୟାନୁକ୍ରମେ ଖାନ୍ ବାଟୁ ମରିଗଲେ । ସେ ମରିଯିବା ପରେ ରାଜା ହେଲେ ତାଙ୍କ ଭାଇ ଖାନ୍ ବର୍କେ । ଖାନ୍ ବର୍କେ ନିର୍ମାଣ କଲେ ସାରାଇ ବର୍କେ ନାମକ ଅନ୍ୟ ଏକ ନୂଆ ରାଜଧାନୀ । ସୁନାଘୋଡା ଦୁଇଟିକୁ ସାରାଇ ବାଟୁରୁ ନେଇ ସାରାଇ ବର୍କେରେ ରଖାଗଲା ।

                ଖାନ୍ ବର୍କେ ମରିଗଲା ପରେ ରାଜଗାଦିରେ ବସିଲେ ଖାନ୍ ମାମାଇ । ତାଙ୍କ ମରିବା ପୂର୍ବରୁ ଖାନ୍ ମାମାଇ କହିଦେଇଥିଲେ ଯେ ସେ ମରିଗଲା ପରେ ଗୋଟିଏ ସୁନାଘୋଡାକୁ ତାଙ୍କ ଶବ ସହ କବର ଦିଆଯିବ । ଶେଷରେ ତାହା ହିଁ ହେଲା । ଖାନ୍ ମାମାଇଙ୍କ ଶବକୁ କବର ଦେବାବେଳେ ଶବକୁ ଲଗେଇ ରଖି ଦିଆଗଲା ସୁନାଘୋଡାଟିଏ । ଫଳରେ ସାରାଇ ବର୍କେରେ ରହିଗଲା ଅନ୍ୟ ସୁନାଘୋଡାଟି ।

                ଥରେ କେତେକ ରୁଷ ସୈନ୍ୟ ସାରାଇ ବର୍କେ ଉପରେ ଆକ୍ରମଣ କଲେ । ସେଠାରେ ସୁନାଘୋଡାଟି ସେମାନଙ୍କ ଆଖିରେ ପଡିଲା । ତେଣୁ ସେଇଟିକୁ ସେମାନେ ନିଜ ସାଙ୍ଗରେ ନେଇଗଲେ । ତା’କୁ ଫେରେଇ ଆଣିବା ନିମନ୍ତେ ସାରାଇ ବର୍କେର ସୈନ୍ୟମାନେ ରୁଷ ସୈନ୍ୟମାନଙ୍କ ଉପରେ ଆରମ୍ଭ କରିଦେଲେ ପ୍ରଚଣ୍ଡ ଆକ୍ରମଣ । ତା’ପରେ ଘମାଘୋଟ ଲଢେଇ ଚାଲିଲା । ଏତିକିବେଳେ ରୁଷ ସୈନ୍ୟମାନେ ଘୋଡା ମୂର୍ତ୍ତିଟିକୁ ନେଇ ଲୁଚେଇଦେଲେ ପାଖରେ ଥିବା ଏକ ନଦୀ ଭିତରେ ।

                ଯୁଦ୍ଧରେ ସବୁଯାକ ରୁଷ୍ ସୈନ୍ୟ ହଣା ଖାଇଲେ । ତେଣୁ ନଦୀ ଭିତରେ ସୁନାଘୋଡାଟି କେଉଁଠି ରହିଛି, ତା’ର ସନ୍ଧାନ କେହି ବି ଆଉ ଦେଇପାରିଲେନି । ଚତୁର୍ଦ୍ଦଶ ଶତାଦ୍ଦୀରେ ସାରାଇ ବର୍କେକୁ ଆକ୍ରମଣ କଲେ ତୈମୁର ଲଙ୍ଗ୍ । କୁହାଯାଏ ଯେ ସେ ମାମାଇଙ୍କ କବରକୁ ଖୋଳି ତା’ ଭିତରେ ପୋତା ହୋଇ ରହିଥିବା ସୁନାଘୋଡାଟିକୁ ନିଜ ସାଙ୍ଗରେ ନେଇଗଲେ ।

                ତେବେ ଖାନ୍ ବାଟୁ  ଓ ତାଙ୍କ ଯାଆଁଳା ସୁନାଘୋଡା ଏକ କାହାଣୀ କି ସତ ଘଟଣା, ତାହା ଠିକ୍ ଭାବରେ ଜଣାପଡିନି ।


ଗପ ସାରଣୀ

ତାଲିକାଭୁକ୍ତ ଗପ