ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସୁନାଲୋଭୀ ମିଦାସ୍

ଏହା ଶୁଣି ଦୋଦୋପାଂଚ ନ ହୋଇ ମିଦାସ୍ ବର ମାଗିଲେ, “ହେ ମହାନ୍ ପ୍ରଭୁ ଡାୟୋନିସସ୍, ସତରେ ଯଦି ଆପଣ ମୋତେ କିଛି ବର ଦେବାକୁ ଚାହାଁନ୍ତି, ତେବେ ମୋତେ ଏହି ବର ଦିଅନ୍ତୁ, ଯେପରିକି ମୁଁ ଯାହାକୁ ଛୁଇଁବି, ତାହା ସାଙ୍ଗେ ସାଙ୍ଗେ ଖାଂଟି ଉଜ୍ଜ୍ୱଳ ସୁନା ପାଲଟିଯିବ ।”

ଟିକିଏ ମୁରୁକି ହସା ଦେଇ ଡାୟୋନିସସ୍ କହିଲେ, “ତଥାସ୍ତୁ । ତାହା ହିଁ ହେଉ ।”

ଏଥର ସେ ମିଦାସ୍ ଙ୍କର ଖୁସି ଆଉ ଦେଖେ କିଏ? ଖୁବ୍ ଆନନ୍ଦରେ ସେ ଧାଇଁଲେ ନିଜ ରାଜପ୍ରାସାଦକୁ । ବାଟରେ ଗଲାବେଳେ ରାସ୍ତାକଡରେ ଗୋଟିଏ ଗଛର ଡାଳକୁ ଭାଙ୍ଗି ଆଣିଲେ ସେ । ତାଙ୍କ ହାତ ବାଜି ସେ ଡାଳଟି ହଠାତ୍ ସୁନାର ଡାଳରେ ପରିଣତ ହୋଇଗଲା । ଗହମ କ୍ଷେତରେ ପଶି ଗହମ କେଣ୍ଡାକୁ ଧରି ପକେଇବା କ୍ଷଣି ସେ ଗହମ କେଣ୍ଡାଟି ମଧ୍ୟ ହୋଇଗଲା ସୁନାର ଗହମ କେଣ୍ଡା । ଗଛରୁ ସେଓ ଫଳଟିଏ ଛିଣ୍ଡେଇ ଆଣିବାରୁ ସେଓଟି ହୋଇଗଲା ସୁନା ସେଓ ।

ଉଆସରେ ପହଁଚି ହାତ ଧୋଇବା ନିମନ୍ତେ ମିଦାସ୍ ତାଙ୍କ ହାତରେ ପାଣି ଢାଳିଲେ । କିନ୍ତୁ ପାଣି ମଧ୍ୟ ତରଳ ସୁନାରେ ପରିଣତ ହୋଇ ବୋହିଗଲା । ଏଣେ ମିଦାସ୍ ଏସବୁ ଦେଖି ଅତି ଆନନ୍ଦରେ ଖାଲି କୁରୁଳି ଉଠୁଥାନ୍ତି । ତା’ପରେ ଗୋଟିକ ପରେ ଗୋଟିଏ କରି ସେ ଛୁଇଁ ଚାଲିଥାନ୍ତି ଜିନିଷପତ୍ରଗୁଡିକୁ । ତାଙ୍କ ହାତ ଲାଗି ସବୁ ଜିନିଷ ସୁନା ପାଲଟି ଯାଉଥାଏ ।

ଉଆସ ସାରା ବୁଲି ବୁଲି ଖୁବ୍ ଭୋକ ଲାଗିଲା ତାଙ୍କୁ । ତେଣୁ ସେ ଆସି ଖାଇବା ପାଇଁ ବସିଗଲେ । କିନ୍ତୁ ଏ କ’ଣ? ତାଙ୍କ ସାମନାରେ ବଢା ହୋଇଥିଲା ଭଳି କି ଭଳି ସୁଆଦିଆ ଖାଦ୍ୟଦ୍ରବ୍ୟ । ହେଲେ ପାଟିକୁ ନେବା ପାଇଁ ଖାଦ୍ୟକୁ ଧରି ପକେଇବା ମାତ୍ରେ ତାହା ସୁନା ହୋଇଗଲା । ପାଣି ପିଇବାକୁ ଗିଲାସ ଧରିବାମାତ୍ରେ ଗିଲାସରେ ଥିବା ପାଣି ପାଲଟିଗଲା ସୁନା । ଭୋକ ଶୋଷରେ ତାଙ୍କ ଜୀବନ ଯିବା ଉପରେ!

ମିଦାସ୍ ଙ୍କୁ ଏତେବେଳେକେ ଯାଇ ଚେତା ପଶିଲା । ଡାୟୋନିସସ୍ ମିଦାସ୍ ଙ୍କ ବର ଯେ ଏକ ଅଭିଶାପ, ତାହା ବୁଝିବାକୁ ତାଙ୍କୁ ଆଉ ବେଶୀ ସମୟ ଲାଗିଲାନି । ଭୋକ ଓ ଶୋଷରେ ଯେ ତାଙ୍କ ପ୍ରାଣ ଚାଲିଯିବ, ଏହା ଭାବି ସେ ବଡ ଛାନିଆ ହୋଇପଡିଲେ ।

ମିଦାସ୍ ସାଙ୍ଗେ ସାଙ୍ଗେ ଭୂଇଁ ଉପରେ ଆଣ୍ଠୁମାଡି ବସିଗଲେ । ହାତ ଦୁଇଟିକୁ ଉପରକୁ ଟେକି ପ୍ରାର୍ଥନା କରିବାକୁ ଲାଗିଲେ ଡାୟୋନିସସ୍ ଙ୍କୁ । ସେ ଗୁହାରି ଜଣେଇଲେ, “ପ୍ରଭୁ, ମୋର ବଡ ଭୁଲ୍ ହୋଇ ଯାଇଛି । ମୋତେ କ୍ଷମା କରିଦିଅ । ମୋତେ ଦେଇଥିବା ବରଟିକୁ କୃପାକରି ଫେରେଇ ନିଅ । ଏଭଳି ଅପରାଧ ଜୀବନରେ ମୁଁ ଆଉ କେବେ ବି କରିବିନି । ମୋ’ ଉପରେ ଦୟାକର ପ୍ରଭୁ ।”

ଡାୟୋନିସସ୍ ମିଦାସ୍ ଙ୍କ ମିନତି ଶୁଣିଲେ । କହିଲେ, “ମିଦାସ୍, ତୁମ ରାଜ୍ୟରେ ଯେଉଁ ପାକ୍ଟୋଲସ୍ ନଦୀ ଅଛି, ସେହି ନଦୀ ଯେଉଁଠୁ ବାହାରିଛି, ସେଠାକୁ ଚାଲିଯାଅ । ସେଠାରେ ପହଁଚି ମୁଣ୍ଡ ବୁଡେଇ ଗାଧୋଇ ପଡିଲେ ମୋ’ ବର ଅକାମୀ ହୋଇଯିବ ।”

ଏହା ଶୁଣି ମିଦାସ୍ ତଳେ ମୁଣ୍ଡ ଲଗେଇ ଡାୟୋନିସସ୍ ଙ୍କୁ ପ୍ରଣାମ ଜଣେଇଲେ । ତା’ପରେ ସେ ପ୍ରାଣ ବିକଳରେ ଧାଇଁଲେ ନଦୀର ବାହାରିବା ସ୍ଥାନକୁ । ସେଠାରେ ଗାଧୋଇ ପଡିବା କ୍ଷଣି ନଦୀର ପବିତ୍ର ଜଳରେ ‘ବର’ ରୂପକ ସେହି ଭୟଙ୍କର ଅଭିଶାପ ଧୋଇ ହୋଇଗଲା ।

ଏହା ଏକ ଗପ ହୋଇପାରେ । ହେଲେ ମିଦାସ୍ ଙ୍କ ଭଳି ସୁନା ପାଗଳ ଲୋକଙ୍କର ଏଇ ପୃଥିବୀରେ ଅଭାବ ନାହିଁ । ଅନେକ ଚୋରି, ଡକାୟତି, ଯୁଦ୍ଧ, ହତ୍ୟା ଇତ୍ୟାଦି ପଛରେ ରହିଛି ସୁନାର ଲୋଭ । ସଂସାରର ବହୁ ଅନର୍ଥର ମୂଳ ରହି ଆସିଛି ଏହି ସୁନା ପ୍ରତି ମୋହ ।


ଗପ ସାରଣୀ

ତାଲିକାଭୁକ୍ତ ଗପ