ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସୁନା ଗୋଟିଏ ମୂଲ୍ୟବାନ୍ ଧାତୁ

କହିଲ ଦେଖି, ସୁନା ମିଳେ କେଉଁଠୁ? ମାଟି ଖୋଳି ବହୁତ ଗଭୀରକୁ ଗଲେ ସେହି ଖଣି ଭିତରୁ ମିଳେ ସୁନା । ଏହା ବୋଲି ଖଣି ଭିତରେ କଅଣ ସୁନା ଗଦାଗଦା ହୋଇ ଜମା ହୋଇଥାଏ ନା କଅଣ? ନା, ସେପରି ନୁହେଁ । ସୁନା ମିଶିକରିଥାଏ ପଥରରେ । ଛୋଟ ଛୋଟ ଦାନା ବା ଟିକି ଟିକି ମୁଣ୍ଡା ଭାବରେ ଏହା ପଥରରେ ଲାଖିକରି ରହିଥାଏ । ସେହି ପଥରକୁ ଭୂଇଁ ଉପରକୁ ଆଣି ଓ କାରଖାନାରେ ତରଳେଇ ସେଥିରୁ ବାହାର କରାଯାଏ ସୁନା ।

ତୁମ ବାପାମାଆମାନଙ୍କୁ ପଚାରିଲେ ସେମାନେ କହିଦେବେ ଯେ ତମ୍ବା ଗଡୁ କି ତମ୍ବା ଗିଲାସରେ ପାଣି ରଖି ପିଇଲେ ସେହି ପାଣି ତମ୍ବାଟିଆ ଲାଗେ । କିନ୍ତୁ ସୁନାର କୌଣସି ସ୍ୱାଦ ନାହିଁ । ସୁନାକୁ ଶୁଙ୍ଘିଲେ ସେଥିରୁ ବି କୌଣସି ଗନ୍ଧ ବା ବାସନା ବାହାରି ନ ଥାଏ । ତୁମେମାନେ ସୁନାମୁଦିଟିଏ ଭଲ ଭାବରେ ଧୋଇସାରି ତାକୁ ଜିଭରେ ଛୁଆଁଇଲେ କୌଣସି ସୁଆଦ ବାରିପାରିବନି । ମୁଦିକୁ ଶୁଙ୍ଘିଲେ ବି ତାହା ବାସ ଛାଡିବନି କି ଗନ୍ଧ ମଧ୍ୟ ଛାଡିବନି । ଏହାର କାରଣ ହେଲା, ସୁନା ସ୍ୱାଦହୀନ ଏବଂ ଗନ୍ଧହୀନ ବି । ଏହାର ସ୍ୱାଦ ନାହିଁ କି ଗନ୍ଧ ମଧ୍ୟ ନାହିଁ ।

ସୁନାର ଆହୁରି ଭଲଗୁଣ କଅଣ ଜାଣିଛ? ସେ ଭଲଗୁଣଗୁଡିକ ହେଲା, ସୁନାରେ କଳଙ୍କି ବା ଜଙ୍କ୍ କଦାପି ଲାଗେ ନାହିଁ । ବର୍ଷ ବର୍ଷ ଧରି ସୁନାଗହଣା ପିନ୍ଧିଚାଲିଲେ ବି ଏହା ସାମାନ୍ୟ ଘୋରି ହୋଇ ଯାଉଥିଲେ ମଧ୍ୟ ବିଶେଷ କ୍ଷୟ ହୋଇଯାଏନି । ତାହାଛଡା, ଏହାର ରଙ୍ଗ ବଦଳି ନ ଯାଇ ସବୁବେଳେ ସମାନ ଭାବରେ ଝଟକୁଥାଏ । ମଇଳା ବି ହୋଇଯାଏନି ।

                ପୁଣି ସୁନା ପାତିଆକୁ ହାତୁଡିରେ ପିଟିପିଟି ଏତେ ପତଳା କରିଦିଆଯାଇ ପାରେ ଯେ ସେହି ସୁନା ପତର ହୋଇଯାଏ ଅତି ସ୍ୱଚ୍ଛ । ଏପରିକି ଏହା ଭିତର ଦେଇ ଆଲୋକ ମଧ୍ୟ ପ୍ରବେଶ କରିପାରେ ।

                ସୁନା ଭିତର ଦେଇ ତାପ ପ୍ରବାହିତ ହୋଇପାରେ । ତେଣୁ ସୁନା ଖାଡିଟିଏ ଖାଲିହାତରେ ଧରି ନିଆଁରେ ଗରମ କଲେ, ହାତ ତାତିଯାଏ । ଏହା ମଧ୍ୟ ଦେଇ ଅତି ସହଜରେ ବିଦ୍ୟୁତ୍ ପ୍ରବାହିତ ହୋଇପାରେ । ସେଥିପାଇଁ ବିଦ୍ୟୁତ୍ ପ୍ରବାହିତ ହେଉଥିବା ସୁନାକୁ ଛୁଇଁଲେ ସକ୍ ମାରିଥାଏ ।

ପାଖାପାଖି ୩୦ ଗ୍ରାମ୍ ସୁନାଦେଇ ସେଥିରୁ ଖୁବ୍ ସରୁ ତାର ତିଆରି କଲେ, ସେହି ତାରର ଲମ୍ବ ହୋଇଯିବ ୮୦.୪ କିଲୋମିଟର! ତାରର ମୋଟେଇ ମାତ୍ର ପାଂଚ ମାଇକ୍ରନ୍ (୧ ମାଇକ୍ରନ୍ ହେଉଛି ୧ମିଲିମିଟରର ଏକ ହଜାର ଭାଗରୁ ଭାଗେ)ର ହୋଇଥିଲେ ପୃଥିବୀରେ ଯେତେ ସୁନା ଅଛି, ଏହି ମୋଟେଇର ତାର ପୃଥିବୀ ଚାରିପଟେ ୭୨ ଲକ୍ଷଥର ଗୁଡେଇ ହୋଇପାରିବ ।

ସୁନା ଭିତରେ ବିଶେଷ ଫାଙ୍କ ନ ଥାଏ । ତେଣୁ ଏହା ଖୁବ୍ ଘନ ଏବଂ ଓଜନିଆ । ଏକ ମିଟର୍ ଲମ୍ବ, ଏକମିଟର୍ ଓସାର ଏବଂ ଏକ ମିଟର ଉଚ୍ଚତା ଥିବା ୧ ଘନମିଟର ସୁନାର ଓଜନ ୧୯,୩୦୦ କିଲୋଗ୍ରାମ୍! ବିଶ୍ୱାସ କରିପାରୁଛ?


ଗପ ସାରଣୀ

ତାଲିକାଭୁକ୍ତ ଗପ