ସେ କ୍ୟାସିଅର୍ ଜଣକ ନିଜ ଟେବୁଲ୍ ଉପରେ ଦିନେ ବିଛେଇ ଦେଲେ ଟେବୁଲ୍ କ୍ଲଥଟିଏ । ଟେବୁଲ୍ କ୍ଲଥ ଉପରେ ହିଁ ସେ ଟଙ୍କା ଗଣିବା, ଥାକ କରିବା, ପୁଡିଆ ବାନ୍ଧିବା ଆଦି କାର୍ଯ୍ୟ କଲେ । ହେଲେ ସେ ଟେବୁଲ୍ ଉପରେ କ୍ୟାସିଅର୍ କାହିଁକି ଟେବୁଲ୍ କ୍ଲଥ୍ଟିଏ ବିଛେଇଛନ୍ତି ତା’ର କାରଣ କେହି ବି ବୁଝି ପାରିଲେ ନାହିଁ । ବରଂ ପରିଷ୍କାର ପରିଚ୍ଛନ୍ନତା ପ୍ରତି ତାଙ୍କର ବହୁତ ଆଗ୍ରହ ଅଛି ବୋଲି କହି ବ୍ୟାଙ୍କ୍ର ବଡ ଅଫିସରମାନେ ତାଙ୍କର ଖୁବ୍ ତାରିଫ୍ କଲେ ।
ବ୍ୟାଙ୍କ୍ରେ କାମ ଆରମ୍ଭ ହେବା ମାତ୍ରେ ସେ କ୍ୟାସିଅର ଜଣକ ଟେବୁଲ୍ ଉପରେ ଟେବୁଲ୍ କ୍ଲଥ୍ଟିକୁ ବିଛେଇ ଦେଉଥିଲେ । ବ୍ୟାଙ୍କ୍ ବନ୍ଦ ହୋଇଗଲେ ଟେବୁଲ୍ କ୍ଲଥଟିକୁ ଭାଙ୍ଗି ଭୁଙ୍ଗି ରଖି ଦେଉଥିଲେ ଟେବୁଲ୍ର ଡ୍ରୟର୍ ଭିତରେ । ପ୍ରତି ଶନିବାର ଦିନ ସେହି ଟେବୁଲ୍ କ୍ଲଥଟିକୁ ଘରକୁ ନେଇ ଯାଉଥିଲେ ସଫା କରିବା ବାହାନାରେ । ସୋମବାର ଦିନ ସେହି ସଫା କରା ଟେବୁଲ୍ କ୍ଲଥଟିକୁ ବ୍ୟାଙ୍କ୍କୁ ନେଇ ଆସି ସେ କ୍ୟାସିଅର୍ ପୁଣି ବିଛେଇ ଦେଉଥିଲେ ଟେବୁଲ୍ ଉପରେ । ବେଶ୍ ବହୁତ ଦିନ ଧରି ଏଇ ଧନ୍ଦା ଚଳେଇ ରଖିଲେ ସେ । କିନ୍ତୁ ଦିନେ ସେହି କ୍ୟାସିଅର୍ଙ୍କ ଘରର ଚାକରାଣୀ ହିଁ ତାଙ୍କ ମାଲିକଙ୍କ ଚାଲାକିକୁ ଧରା ପକେଇ ଦେଲା । କ୍ୟାସିଅର୍ ବାବୁ ଶନିବାର ଦିନ ଟେବୁଲ୍ କ୍ଲଥଟିକୁ ଘରକୁ ନେଇଯାଇ ତା’କୁ ରଖି ଦେଉଥିଲେ ଏକ ପାତ୍ର ଭିତରେ । ପାତ୍ରରେ ପାଣି ରଖି ତା’କୁ ନିଆଁରେ ଗରମ କରୁଥିଲେ । ଫଳରେ ସେ ଟେବୁଲ୍ କ୍ଲଥରେ ଲାଖି ରହିଥିବା ସୁନା ଧୋଇ ହୋଇଯାଇ ପାତ୍ରରେ ଜମିଯାଉଥିଲା । ତା’ପରେ ପାତ୍ରଟିକୁ ଥଣ୍ଡା କରି ସେ କ୍ୟାସିଅର୍ ବାବୁ ପାତ୍ର ଭିତରେ ଜମିଥିବା ସୁନାକୁ ଚାଂଛି ନେଇ ଘରେ ସାଇତି ରଖୁଥିଲେ ।