ସେତିକିବେଳେ ତାକୁ ଗୋଟିଏ ଆଲୋକ ଦେଖାଗଲା । ଏଣେ ରାତି ତ ବହୁତ ହୋଇଥାଏ । ସେଇ ଅନ୍ଧାର ଭିତରେ ଉଜ୍ଜ୍ୱଳ ନୀଳ ଆଲୋକ ମାଳାରେ ହାତେ ଲମ୍ବର ଗୋଟିଏ ସୁନ୍ଦରିଆ ପକ୍ଷଯୁକ୍ତ ଝିଅଟିଏ ଡାଲାଟିଏ ମୁଣ୍ଡାଇ ପ୍ରେମୀନାନୀ ଘରଆଡକୁ ଆସୁଥାଏ । ପ୍ରେମୀନାନୀ ହଠାତ୍ ତାକୁ ଦେଖି ଲମ୍ବ ହୋଇ ତଳେ ପଡିଗଲା । ତାପରେ ସେ କାନ୍ଦି କାନ୍ଦି କହିଲା –
ତୁମେ ପରା ରାଣୀ ମୋ ଅନ୍ନ ଦାତା
କିଏ ଦିଏ ଘୂରି ନଥିଲା ମଥା ।
ଶାନ୍ତି ଅପା ମୋତେ ପଚାରୁଥିଲା
କହିପାରିଲିନି ନୀରବ ହେଲା ।
ରଖିଅଛି ରାଗ ମୋ ଉପରେ
ତୁହି ଦୟା ରଖିଅଛୁ ମୋଠାରେ ।
ଏସବୁ ଶୁଣି ସେହି କୁନି ପରୀଟି ଜାଣିପାରିଲା, ଶାନ୍ତି ଅପା ହିଂସା କରୁଛି । ତେଣୁ ସେ ପ୍ରେମୀ ନାନୀ ଉପରେ ରାଗୁଛି । ଏସମସ୍ତ ଜାଣିପାରି କୁନି ପରୀଟି ସେ ପ୍ରେମୀ ନାନୀକୁ କହିଲା, –
ଧୈର୍ଯ୍ୟ ହେଉଅଛି ମଣିଷ ବଳ
ମୋ କଥା କହିଦେ ନୋହି ଦୁର୍ବଳ ।
ଯାହା ହେବ ମୁହିଁ ତୋ ପାଇଁ ଅଛି
ତୋ ଆଖି ଲୁହକୁ ଦେବି ମୁଁ ପୋଛି ।
ବୃକ୍ଷ ଦେବତାଙ୍କୁ କେତେ ତୁ ଡାକୁ,
ତରଳିଲି ତୋତେ ମୁଁ ଦେଖୁ ଦେଖୁ ।
ସେହିକ୍ଷଣି ହଠାତ୍ ଡାଲାଟି ଉଡିଯାଇ ସେ ପ୍ରେମୀନାନୀର ଦ୍ୱାର ମୁହଁରେ ରହିଗଲା । ତାପରେ ଏ ଛୋଟ ପରୀରାଣୀ ବି ସେଠାରୁ କୁଆଡେ ଉଭାଇଗଲା ।