ପ୍ରେମୀନାନୀ ଏସବୁ ଦେଖି ଠାକୁରଙ୍କୁ ପ୍ରଣାମ କରି କହୁଥାଏ –
“ଯାହାର କେହି ନାହିଁ, ତାହାର ଥାଏ କେହି
ମନର ଭାବକୁ ସିନା ଭଲରେ ବୁଝେ ସେହି ।”
ତାପରେ ସମୟାନୁକ୍ରମେ ସକାଳ ହେଲା । ପ୍ରେମୀନାନୀ ପାଖକୁ ଶାନ୍ତି ଅପା ଧାଇଁ ଆସିଲା ଅସଲ କଥାଟି କଣ ବୁଝିବା ପାଇଁ । ପ୍ରେମୀନାନୀ ସବୁ କଥା ଟିଖିନିଖି କରି କହିଦେଲା । ତେଣୁ ସେଦିନ ଶାନ୍ତି ଅପା ରାତିସାରା ନିଜ ଘରୁ ବାହାରି ପ୍ରେମୀନାନୀର ଦ୍ୱାର ମୁହଁରେ ଲୁଚି ବସିଲା କଣ ହେଉଛି ଦେଖିବା ପାଇଁ ।
ସେହିକ୍ଷଣି ହଠାତ୍ ଗୋଟିଏ ବାଘ ନୀଳ ଆଲୋକ ଭିତରେ ଆସି ଶାନ୍ତି ଅପାକୁ ମାଡି ବସିବା ପାଇଁ ଧାଇଁ ପଡିଲା ।
ଏସବୁ ଦେଖି ଶାନ୍ତି ଅପା ଖୁବ୍ ଜୋର୍ରେ ଚିତ୍କାର କଲା ଇଲୋ ପ୍ରେମୀନାନୀ କବାଟ ଖୋଲିଦେ । ଏ ବାଘ ମୋତେ ନିଶ୍ଚୟ ଖାଇଯିବ । ଏପରି ଶବ୍ଦ ଶୁଣି ତା କବାଟ ଖୋଲି ପ୍ରେମୀନାନୀ ଯାହା ଦେଖିଲା, ସେଥିରେ ସେ ପୁରାପୁରି ଆଶ୍ଚର୍ଯ୍ୟ ହୋଇଗଲା । ହଠାତ୍ ସେ ବାଘଟି ବି କୁଆଡେ ଉଭେଇ ଗଲା । ଏଣେ ସେ ପ୍ରେମୀନାନୀର ହାଣ୍ଡିଶାଳେ ଖାଦ୍ୟ ପଦାର୍ଥ ଭରା ଡାଲାଟି ବି ଶୂନ୍ୟରେ ଉଡି ଯାଇ ରହିଗଲା । ଏସବୁ ଦେଖି ଅଚାନକ ଶାନ୍ତି ଅପାର ମୁହଁଟି ଶୁଖିଗଲା । ଏବେ ସିଏ ତା ନିଜ ଭୁଲ୍ ଠିକ୍ ବୁଝିପାରିଲା । ଅତି ଲୋଭର ଫଳ ସେ ଏବେ ପାଇଗଲା । ଆଉ ଦିନେ କାହା ସୁଖ ଦେଖି ସେ କେବେବି ଧରସର ହେବ ନାହିଁ ବୋଲି ପ୍ରେମୀନାନୀ ଆଗରେ କହିଲା । ତାପରେ ସେ ଦୁହେଁ ସାଙ୍ଗ ହୋଇ କିଛି ସମୟ କଥାବାର୍ତ୍ତା ହେଲେ । ଶାନ୍ତି ଅପା ପ୍ରେମୀନାନୀକୁ କହିଲା, ମୋ ସୁନାନାନୀଟି ପରା, କାହା ଆଗରେ ତୁ ଏକଥା ଯମା କହିବୁନି । ମୋତେ ଭାରି ଲାଜ ଲାଗିବ । ମୁଁ ଆଉ ଘରୁ ବାହାରି ପାରିବି ନାହିଁ । ଏହା ଶୁଣି ସେ ପ୍ରେମୀନାନୀ ଟିକେ ହସି ଦେଇ କହିଥିଲା, ଛି, ଏକଥା କ’ଣ କେବେ କିଏ କାହାକୁ କହନ୍ତି । ଏଥର ତୁ ତୋ ଘରକୁ ଯାଆ ।