ଋଷ୍ ଦେଶର ଛୋଟିଆ ଗାଁଟିଏ । ସେଇଠି ଦୁଇଜଣ ବୁଢାବୁଢୀ ବାସ କରୁଥିଲେ । ତାଙ୍କର ଗୋଟିଏ ଝିଅ ଥାଏ । ତାର ନାଁଟି ରୂପା । ସେ ଦେଖିବାକୁ ରୂପ ଗୁଣରେ ଭାରି ସୁନ୍ଦର । ମାଛିକି ‘ମଅ’ ବୋଲି ସେ କେବେବି କହେ ନାହିଁ । ଗାଁରେ ସମସ୍ତେ ସେ ରୂପାକୁ ଅତ୍ୟନ୍ତ ସୁଖ ପାଆନ୍ତି ।
ଦିନକର କଥା । ରୂପାର ବୋଉକୁ ବଡ ବାଧିକା ପଡିଲା । ବୁଢୀ ଜାଣିପାରିଲା ଯେ ସେ ଆଉ ଖୁବ୍ ଅଳ୍ପ ଦିନ ବଂଚିବ । ତେଣୁ ସେ ତାର ଝିଅ ରୂପାକୁ ପାଖକୁ ଡାକି ଚୁପ୍କରି କଣ୍ଢେଇଟିଏ ଦେଇ କହିଲା, “ରୂପା ଲୋ! ଏ ହେଲା ଜାଦୂ କଣ୍ଢେଇ । ତୁ ଏହାକୁ ଅତି ସାବଧାନରେ ନିଜ ପାଖରେ ଲୁଚାଇ ରଖିଥିବୁ । ତୋର କିଛି ବିପଦ ଆପଦ ପଡିଲେ ତୁ ଏଇ କଣ୍ଢେଇକି ଖାଇବାକୁ ଦେଇ ତୋର ଦୁଃଖ କହିବୁ । ତେବେ ସେ ତୋତେ ନିଶ୍ଚୟ ସାହାଯ୍ୟ କରିବ ।”
କିଛିଦିନ ପରେ ସତକୁ ସତ ରୂପାର ବୋଉ ଚିରଦିନ ପାଇଁ ନିଜ ଆଖି ବୁଜିଲା । ରୂପାର ବାପା ଆଉ ଜଣେ ସାବତ ମାଆ ଘରକୁ ଆଣିଲା । ସେ ଆସିଲା ଦିନୁ ରୂପାକୁ ସେ ମୋଟେ ସହିପାରୁ ନ ଥାଏ । ବିଶେଷକରି ରୂପାର ସୁନ୍ଦରପଣ ଦେଖି ତା ସାବତ ମାଆର ଖାଲି ହାଡ ଜଳି ଯାଉଥାଏ । ସେଥିପାଇଁ ସେ ଯାଉଣୁ ଆସୁଣୁ ଖାଲି ରୂପାକୁ ନାନା କାମରେ ଖଟାଉଥାଏ । ସେ ସାବତମାଆ ଜଣକ ଜାଣି ଜାଣି ରୂପାକୁ ସବୁତକ କଠିନ କାମ ଦେଉଥାଏ । ଯେମିତିକି ରୂପାର ଫୁରସତ ବୋଲି କିଛି ବି ନ ଥାଏ । ରୂପା ଗାଈ ଦୁହିଁ ନ ଥିବ, ତାକୁ ତା ସାବତ ମାଆ କହିବ କାଠ ହାଣ । କାଠ ହାଣୁ ହାଣୁ ବଜାର ସଉଦା ପାଇଁ ବରାଦ ଆସିବ । ବଜାର ସଉଦା ପରେ ରନ୍ଧାବଢା, ରନ୍ଧାବଢା ସରିଥିବ କି ନାହିଁ ବଗିଚାରେ ତୁରନ୍ତ ପାଣିଦେବାକୁ ବି ଆଦେଶ ହୁଏ । ଏଇମିତି ସାରାଦିନ ସେ ରୂପା ଖାଲି କାମରେ ଲାଗି ରହିଥାଏ । ରୂପା ସକାଳୁ ଗାଈ ଦୁହିଁଲାବେଳେ ଜାଦୂ କଣ୍ଢେଇକୁ ଦୁଧ ଟିକିଏ ପିଇବାକୁ ଦେଇ ତାକୁ ତାର ସମସ୍ତ ଦୁଃଖ କହିବସେ । ଜାଦୂ କଣ୍ଢେଇ ସବୁ କଥା ଶୁଣି ସାରି କହେ, “ତୁ ଯାଇ ଆମ୍ବଗଛ ମୂଳେ ଚୁପ୍ଚାପ୍ ଖେଳୁଥା, ମୁଁ ତୋର ସବୁ କାମ କରିଦେଉଛି ।” ସତକୁ ସତ ସବୁ କାମ ସେ ଜାଦୂ କଣ୍ଢେଇଟି କରିଦିଏ । ସାବତ ମା’ ରୂପାକୁ ଗାଳିଦେବା ପାଇଁ ଆଉ କିଛି ସୁଯୋଗ ପାଉ ନ ଥାଏ । ସେଥିରେ ପୁଣି ଦିନକୁ ଦିନ ରୂପାର ସୁନ୍ଦରପଣ ଚହଟୁ ଥିବାରୁ ତା ସାବତମାର ଈର୍ଷା ଯେ କହିଲେ ନ ସରେ ।
ଦିନେ ରୂପାର ବାପା ଦୁଇଦିନ ପାଇଁ ସହରକୁ ଗଲେ । ସାବତମା’ ଦେଖିଲା ଏଇ ହେଉଛି ଅସଲ ସମୟ ଯେତେବେଳେ ହିଁ ସେ ରୂପାର ସର୍ବନାଶ କରିବ । ଏ ସଉତୁଣୀ ଝିଅଟା ତ ତାର କାଳ ହୋଇଛି ।