ସାବତମା’ ରୂପାକୁ ଡାକି କହିଲା, “ଏଇ ଗାଁ ସୀମାରେ ଯେଉଁ ନଈ ଅଛି ତାରି ଆରପଟେ ଗୋଟିଏ ବଡ ବଣ ଅଛି । ସେହି ବଣରେ କିମିଆ ବୁଢୀ ଘର କରି ରହୁଛି । ତୁ ଯାଇ ତାରି ପାଖରୁ ନିଆଁ ଟିକିଏ ମାଗି ଆଣିବୁ ।”
ରୂପା ତ ତା ପିଲାଦିନୁ ସେ କିମିଆ ବୁଢୀ ନାଁ ଶୁଣି ଆସିଛି । ତା’ ପାଖକୁ ତ କେବେ କେହି ଗଲେ ସେ ତାକୁ ତାର ହାଡ ଗୋଡ ସହିତ ଖାଇଦିଏ । ସେଠାରୁ କେହି ବି ଜୀଅନ୍ତା ଫେରିବା ଜଣାନାହିଁ । ତେବେ ସାବତ ମାଆ ଡରରେ ସେ ରୂପା ତା ଗାଁ ଛାଡି ବଣକୁ ଚାଲିବାକୁ ଲାଗିଲା । ବାଟରେ ରୂପାକୁ ତ ଭାରି ଡର ମାଡୁଥାଏ । ସେ ରୂପା ଖାଲି କାନ୍ଦି କାନ୍ଦି ତାର ଜାଦୂ କଣ୍ଢେଇ ଆଗରେ ସବୁ କଥା କହିଲା । ତହୁଁ ସେ କଣ୍ଢେଇ କହିଲା, “ତୁ ଆଦୌ ତୋ ମନ ଦୁଃଖ କରନା । ମୁଁ ପରା ଅଛି । ତୋ ଉପରେ ଆଦୌ କିଛି ବି ବିପଦ ପଡିବ ନାହିଁ ।”
ଚାଲି ଚାଲି ଠିକ୍ ସଂନ୍ଧ୍ୟାବେଳକୁ ଜଙ୍ଗଲ ମଝିରେ ରୂପା ଯାଇ ଗୋଟିଏ ଘର ନିକଟରେ ପହଁଚିଲା । ସେ ଘରର ବାଡ ତିଆରି ହୋଇଛି ଖାଲି ମଣିଷ ହାଡରେ । ମଲା ମଣିଷର ଗୋଡରେ ଗେଟ୍ଟି ଶୋଭାପାଉଛି । ଚାରିଆଡେ କେବଳ କଙ୍କାଳମାଳ ଓ ହାଡ ଗଦାଗଦା । ଏ ସବୁ ଦେଖି ହଠାତ୍ ସେ ରୂପାର ଛାତିରେ ଟିକେ ଛନକା ପଶିଲା । ସେ କେବଳ ଜାଦୂ କଣ୍ଢେଇକୁ ଭରସା କରି ସେ ଗେଟ୍ ପାଖରେ ଯାଇ ଠିଆ ହେଲା । ଚାହୁଁ ଚାହୁଁ ସେ ଗେଟ୍ ମନକୁ ମନ ଖୋଲିଗଲା । ଘରର ଦୁଆର ମଧ୍ୟ ଖୋଲିଗଲା । ରୂପା ଯେମିତି ସେ ଘରେ ପଶିଛି, ଗେଟ୍ ଓ ଦୁଆର ମନକୁ ମନ ବନ୍ଦ ହୋଇଗଲା । କାହିଁ କୁଆଡେ ଥିଲା ସେ କିମିଆ ବୁଢୀ ହଠାତ୍ ଆସି ସେଠାରେ ହାଜର । ରୂପାକୁ ଦେଖି ସେ କିମିଆ ବୁଢୀର ପାଟିରୁ ଖାଲି ଲାଳ ବୋହୁଥାଏ । ସେ ଖାଲି ମନେ ମନେ ଭାବୁଥାଏ, ବଢିଆ କଅଁଳିଆ ପିଲାଟିଏ ହୋଇଛି । ୟାକୁ ମୁଁ ପୋଡିକରି ଖାଇବି ।
ସେ କିମିଆ ବୁଢୀ ରୂପାକୁ ଧମକାଇ କହିଲା, “ଏ ଘରୁ ପଳାଇ ଯିବାର ତୋ ପକ୍ଷେ ଆଉ କିଛି ବି ଉପାୟ ନାହିଁ । ତୋତେ ମୋର କିମିଆ କୁକୁର, କିମିଆ ବିଲେଇ, କିମିଆ ଗଛ ଟିକିଟିକି କରି ପକାଇବେ ।” ରୂପା ହଠାତ୍ ଏକଥା ଶୁଣି କାନ୍ଦି ପକାଇଲା । ତହୁଁ ସେ ରୂପା କିମିଆ ବୁଢୀକୁ ପ୍ରଣାମ କରି କହିଲା, “ମୋ ବୋଉ ମୋତେ ତୁମ ପାଖକୁ ପଠେଇଛି ନିଆଁ ଟିକିଏ ପାଇଁ ।” କିମିଆ ବୁଢୀ ଏସବୁ ଶୁଣି ଗୋଟାଏ ବିକଟାଳ ହସ ହସିଲା । ସେ ବୁଢୀଟି ହସିଲାବେଳେ ବୋଧ ହେଉଥାଏ ସତେ ଅବା ଆକାଶଟା ଭାଙ୍ଗିପଡୁଛି । କିମିଆ ବୁଢୀ କହିଲା, “ମୁଁ ଏଥର ଶୋଇବାକୁ ଗଲି । ସକାଳୁ ମୁଁ ତୋ କଥା ବୁଝିବି ।”
ବୁଢୀ ଶୋଇପଡିଲା ପରେ ରୂପା ସେ ଜାଦୂ କଣ୍ଢେଇ ଆଗରେ ସବୁକଥା କହିଲା । ତାପରେ ରୂପା ସେ ଜାଦୂ କଣ୍ଢେଇକୁ ରୁଟି ଖାଇବାକୁ ଦେଲା । ଜାଦୂ କଣ୍ଢେଇ ରୂପାକୁ ବି ସେଠାରୁ ପଳାଇଯିବାର ସମସ୍ତ ଉପାୟ ବତାଇଦେଲା । ଗଲାବେଳେ ରୂପା ସେ ବୁଢୀ ଘରୁ ଗୋଟିଏ କିମିଆ ଖପୁରୀ ଧରି ଚାଲିଲା । ସେହି ଖପୁରୀରୁ ଖାଲି ଆଲୁଅ ବାହାରୁଥାଏ । ରୂପା ସେଠାରୁ ବାହାରି ଗଲାବେଳେ ସେଠାକାର କିମିଆ କୁକୁର ଆଉ ବିଲେଇ ତାର ବାଟ ଓଗାଳିଲେ । ତାପରେ ରୂପା ସେମାନଙ୍କୁ ରୁଟି ଖାଇବାକୁ ଦେବାରୁ ସେମାନେ ଖୁସି ହୋଇ ରୂପାକୁ ବାଟ ଛାଡିଦେଲେ । ରୂପା ସେ କିମିଆ ଗଛରେ ଗୋଟିଏ ରିବନ ବାନ୍ଧିଦେଲା । ତାଫଳରେ ସେ କିମିଆ ଗଛଟି ମଧ୍ୟ ରୂପାକୁ ବାଟ ଛାଡିଦେଲା ।
ସେ କିମିଆ ଖପୁରୀର ଆଲୁଅ ସାହାଯ୍ୟରେ ରୂପା ଜଙ୍ଗଲେ ଜଙ୍ଗଲେ ପଳାଉଥାଏ । କାଳେ ସେ କିମିଆ ବୁଢୀ ଉଠିପଡି ତାକୁ ପିଛା କରିବ, ଏଇ ଭୟଟି ରୂପାର ଥାଏ ।