ରାତି ନ ପାହୁଣୁ ରୂପା ଯାଇ ନିଜ ବାଡି ଦୁଆରେ କବାଟ ବାଡେଇଲା । ସାବତ ମାଆ ବିଚାରିଲା ବୁଢା ବୋଧହୁଏ ସହରରୁ ଫେରି ଆସିଛି । ସେ କିମିଆ ବୁଢୀ ତ ରୂପାକୁ ନିଶ୍ଚୟ ଖାଇଥିବ । ଏଥର ତାର ଗୋଟେ କଂଟା ଗଲା । ଖୁସି ମନରେ ସାବତ ମାଆ ଯାଇ ଦୁଆର ଖୋଲିଦିଏ ତ ଦେଖେ ସେଠାରେ ରୂପା ଠିଆ ହୋଇଛି । ହାତରେ ପୁଣି ତାର କିମିଆ ଖପୁରୀର ଆଲୁଅ । ସେ ଆଲୁଅ ଯେମିତି ସାବତ ମାଆ ଉପରେ ପଡିଛି ସେ ସାବତ ମାଆ ଗୋଟାସୁଦ୍ଧା ଜଳି ପାଉଁଶ ହୋଇଗଲା ।
ରୂପା ସେ ଖପୁରୀକୁ ନିଜ ବାଡିରେ ମାଟି ଖୋଳି ପୋତି ପକାଇଲା । ରାତି ନ ପାହୁଣୁ ସେ ତା ଗାଁ ଛାଡି ସହରକୁ ସିଧା ପଳାଇଗଲା । ସେଠାରେ ପହଁଚି ସେ ରୂପା ଜଣେ ବୁଢୀ ଘରେ ଆଶ୍ରୟ ନେଲା । ସେ ବୁଢୀ ତ ରଜାଘରେ ସବୁଦିନ ଫୁଲ ଦେଉଥାଏ । ଜାଦୂ କଣ୍ଢେଇ ହାତରେ ରୂପା ଦିନେ ଟସର ସୂତାରେ ପାଟଟିଏ ବୁଣି ବୁଢୀକି ଦେଲା ବିକ୍ରି କରିବାପାଇଁ । ରଜାପୁଅ ସେ ଟସର ପାଟଲୁଗା ଦେଖି ତାର ଆଖି ଖୋସି ହୋଇଗଲା । ତହୁଁ ସେ ବୁଢୀକୁ କହିଲା, ଏଇ ସୂତାରେ ମୋ ପାଇଁ ସାର୍ଟ କନାଟିଏ ବୁଣି ଆଣିବୁ । ବୁଢୀ ରୂପାକୁ ଆସି ରଜାପୁଅର ବରାଦ କହିଲା । ପୁଣି ଜାଦୂ କଣ୍ଢେଇ ହାତରେ ରୂପା ସାର୍ଟ କନା ବୁଣି ପଠାଇଲା । ସାରା ରାଜ୍ୟରେ ଏହି ସୁନ୍ଦର କପଡା କେହି କେବେ ଦେଖି ନ ଥିଲେ । ରଜାଘରେ ସମସ୍ତେ କହିଲେ, ସେ ବୁଢୀର ଝିଅକୁ ଟିକେ ଦେଖିବା ପାଇଁ । ରୂପା ଯେତେବେଳେ ଯାଇ ସେ ରାଜସଭାରେ ପହଁଚିଲା, ତାକୁ ଦେଖି ସମସ୍ତଙ୍କର ଆଖି ଖୋସି ହୋଇଗଲା । ରଜାଘରେ ମଧ୍ୟ ଏଡେ ସୁନ୍ଦରୀ ନ ଥିବେ । ରଜାପୁଅ କି ଆଉ ଛାଡେ । ସେ ତୁରନ୍ତ ରୂପାକୁ ବାହା ହୋଇ ସୁଖରେ ତା ରାଇଜ ପାଳନ କଲା । ସେଇଦିନୁ ଜାଣ ସେ ରୂପାର ଦୁଃଖ ଗଲା । ସେ ରାଣୀ ହୋଇ ସେଠାରେ ଅତି ସୁଖରେ କାଳ କଟାଇଲା ।